ଡବ୍ଲୁଟିସି ଫାଇନାଲ ପୂର୍ବରୁ ଭାରତ ପାଇଁ ସତର୍କଘଣ୍ଟି, ୨୨ ବର୍ଷ ପରେ ଇଂଲଣ୍ଡରେ ଶୃଙ୍ଖଳା ଜିତିଲା ନ୍ୟୁଜିଲାଣ୍ଡ୍‌

Advertisment

ଘରୋଇ ମାଟିରେ ୭ ବର୍ଷ ପରେ ଶୃଙ୍ଖଳା ହାରିଲା ଇଂଲଣ୍ଡ

ଘରୋଇ ମାଟିରେ ୭ ବର୍ଷ ପରେ ଶୃଙ୍ଖଳା ହାରିଲା ଇଂଲଣ୍ଡ

ଡବ୍ଲୁଟିସି ଫାଇନାଲ ପୂର୍ବରୁ ଭାରତ ପାଇଁ ସତର୍କଘଣ୍ଟି, ୨୨ ବର୍ଷ ପରେ ଇଂଲଣ୍ଡରେ ଶୃଙ୍ଖଳା ଜିତିଲା ନ୍ୟୁଜିଲାଣ୍ଡ୍‌

ଏଜବାଷ୍ଟନ୍‌: ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର ପ୍ରାଧାନ୍ୟଭରା ଶୃଙ୍ଖଳା ବିଜୟ ଭାରତ ପାଇଁ ସତର୍କଘଣ୍ଟି ଭଳି ହୋଇଛି। ରବିବାର ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌କୁ ନ୍ୟୁଜିଲାଣ୍ଡ୍‌ ୮ ୱିକେଟ୍‌ରେ ଜିତିବା ସହ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇଛି। ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌ର ଉଭୟ ପାଳିରେ ୩-୩ ଲେଖାଏଁ ୱିକେଟ୍‌ ନେଇଥିବା ମ୍ୟାଟ୍‌ ହେନରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତେବେ ନ୍ୟୁଜିଲାଣ୍ଡ୍ ପାଇଁ ଡେଭନ୍ କନୱେ (୩୦୬ ରନ୍) ଏବଂ ଇଂଲଣ୍ଡ ପାଇଁ ରୋରି ବର୍ଣ୍ଣସ (୨୩୮ ରନ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ଅର୍ଜନ କରିଥିଲେ। ଏଥି ସହ ଇଂଲଣ୍ଡ ଦୀର୍ଘ ୭ ବର୍ଷ ପରେ ଘରୋଇ ମାଟିରେ ଏକ ଟେଷ୍ଟ୍ ଶୃଙ୍ଖଳା ପରାଜୟ ବରଣ କରିଛି। ଶେଷ ଥର ପାଇଁ ୨୦୧୪ରେ ଏହି ଦଳ ଘରୋଇ ମାଟିରେ ଶୃଙ୍ଖଳା ହାରିଥିଲା। ଅନ୍ୟପକ୍ଷରେ ଦୀର୍ଘ ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ ନ୍ୟୁଜିଲାଣ୍ଡ୍ ଟେଷ୍ଟ୍‌ ଶୃଙ୍ଖଳା ଜିତିଛି। ଶେଷ ଥର ପାଇଁ ୧୯୯୯ରେ ଶୃଙ୍ଖଳା ସଫଳତା ପାଇଥିଲା ବ୍ରିଟିଶ ମାଟିରେ।

ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌ରେ ଇଂଲଣ୍ଡର ପରାଜୟ ଶନିବାର ତୃତୀୟ ଦିବସରୁ ଥୟ ହୋଇ ସାରିଥିଲା। ପ୍ରଥମ ପାଳିରେ ୮୫ ରନ୍‌ ପଛୁଆ ରହିବା ପରେ ଘରୋଇ ଦଳ ଶନିବାର ଖେଳ ଶେଷ ସୁଦ୍ଧା ୧୨୨ ରନ୍‌ରେ ୯ ୱିକେଟ୍ ହରାଇ ଦେଇଥିଲା। ରବିବାର ଚତୁର୍ଥ ଦିନ ଖେଳ ଆରମ୍ଭ ମାତ୍ରେ ପ୍ରଥମ ବଲ୍‌ରେ ଓଲି ‌ଷ୍ଟୋନଙ୍କୁ ଟ୍ରେଣ୍ଟ୍‌ ବୋଲ୍ଟ କଟ୍‌ ବିହାଇଣ୍ଡ୍‌ ଆଉଟ୍ କରି ଦେବାରୁ ସେହି ୧୨୨ ରନ୍‌ରେ ହିଁ ଇଂଲଣ୍ଡର ଦ୍ବିତୀୟ ପାଳି ସୀମିତ ରହିଯାଇଥିଲା। ଏହା ପରେ ନ୍ୟୁଜିଲାଣ୍ଡ୍ ସମ୍ମୁଖରେ ମାତ୍ର ୩୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କାମଚଳା ଅଧିନାୟକ ଟମ୍ ଲଥାମ (୨୩*)ଙ୍କ ଅପରାଜିତ ପାଳି ସହ ଭ୍ରମଣକାରୀ ଦଳ ୧୦.୫ ଓଭରରେ ୨ ୱିକେଟ୍ ହରାଇ ୪୧ ରନ୍‌ ସଂଗ୍ରହ କରି ନେଇଥିଲା। ସୂଚନାଯୋଗ୍ୟ, ଭାରତ-ନ୍ୟୁଜିଲାଣ୍ଡ୍‌ ଡବଲ୍ୟୁଟିସି ଫାଇନାଲ୍ ଜୁନ୍ ୧୮ ତାରିଖରୁ ସାଉଥାମ୍ପଟନ୍‌ରେ ଖେଳାଯିବ।

ଇଂଲଣ୍ଡରେ ତୃତୀୟ: ଇଂଲଣ୍ଡ ମାଟିରେ ନ୍ୟୁଜିଲାଣ୍ଡ୍‌ ରବିବାର ୨୨ ବର୍ଷ ପରେ ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଥର ଟେଷ୍ଟ୍ ଶୃଙ୍ଖଳା ଜିତିଛି। ପୂର୍ବ ଦୁଇ ଥର କିୱି ଦଳ ୧୯୮୬ ଓ ୧୯୯୯ରେ ଜିତିଥିଲା। ବର୍ମିଂହାମରେ ନ୍ୟୁଜିଲାଣ୍ଡ୍ ମଧ୍ୟ ପ୍ରଥମ ଥର ଏକ ଟେଷ୍ଟ୍ ମ୍ୟାଚ୍‌ ଜିତିଛି। ଅନ୍ୟପକ୍ଷରେ ୨୦୦୨ ମସିହାଠାରୁ ଆରମ୍ଭ କରି ବିଗତ ୧୬ ଟେଷ୍ଟ୍‌ରେ ଇଂଲଣ୍ଡ ବର୍ମିଂହାମରେ କେବଳ ତୃତୀୟ ଥର ପାଇଁ ପରାଜୟ ବରଣ କରିଛି। ଇଂଲଣ୍ଡର ୧୨୨ ରନ୍‌ ମଧ୍ୟ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ସର୍ବନିମ୍ନ ସ୍କୋର୍‌।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୦୩ (ରୋରି ବର୍ଣ୍ଣସ-୮୧, ଡାନିଏଲ୍ ଲରେନ୍ସ-୮୧*, ଟ୍ରେଣ୍ଟ୍ ବୋଲ୍ଟ-୪/୮୫, ମ୍ୟାଟ୍ ହେନରି-୩/୭୮)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୩୮୮ (ୱିଲ୍ ୟଙ୍ଗ-୮୨, ଡେଭନ୍ କନୱେ-୮୦, ରସ୍ ଟେଲର୍‌-୮୦, ଷ୍ଟୁଆର୍ଟ ବ୍ରଡ୍‌-୪/୪୮)। ଇଂଲଣ୍ଡ ଦ୍ବିତୀୟ ପାଳି: ୪୧.୧ ଓଭରରେ ୧୨୨ (ମାର୍କ ଉଡ୍‌-୨୯, ଓଲି ପୋପ୍‌-୨୩, ନିଲ୍ ୱାଗନର୍‌-୩/୧୮, ମ୍ୟାଟ୍ ହେନରି-୩/୩୬, ଐଜାଜ ପଟେଲ୍‌-୨/୨୫, ଟ୍ରେଣ୍ଟ୍ ବୋଲ୍ଟ-୨/୩୪)। ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି: ୧୦.୫ ଓଭରରେ ୪୧/୨ (‌ଟମ୍ ଲଥାମ୍‌-୨୩*, ଓଲି ଷ୍ଟୋନ୍‌-୧/୫, ଷ୍ଟୁଆର୍ଟ ବ୍ରଡ୍‌-୧/୧୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe