ଲଣ୍ଡନ: ସମ୍ମାନଜନକ ଅଲଇଂଲଣ୍ଡ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତକୁ ଏକ ବଡ଼ ଝଟ୍କା ଲାଗିଛି। ପଦକ ଆଶାୟୀ ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୁଧବାର ସନ୍ଧ୍ୟାରେ କୋରିଆର ସୁଙ୍ଗ୍ ଜି ହୁଆନ୍ ପଞ୍ଚମ ମାନ୍ୟତା ସିନ୍ଧୁଙ୍କୁ ୨୧-୧୬, ୨୦-୨୨ ଓ ୨୧-୧୮ରେ ହରାଇ ବିଦାୟର ପଥ ଦେଖାଇ ଦେଇଛନ୍ତି। ସିନ୍ଧୁ ଦ୍ବିତୀୟ ଏବଂ ତୃତୀୟ ସେଟ୍ରେ ୮ ମ୍ୟାଚ୍ ପଏଣ୍ଟ ବଞ୍ଚାଇଥିଲେ ମଧ୍ୟ ସୁଙ୍ଗଙ୍କ ଶକ୍ତିଶାଳୀ ସର୍ଭିସ୍ ଆଗରେ ଶେଷରେ ହାର ମାନିଥିଲେ। ସୁଙ୍ଗ୍ଙ୍କ ବିପକ୍ଷରେ ୮/୬ର ଜୟ/ପରାଜୟ ପରିସଂଖ୍ୟାନ ସହ ସିନ୍ଧୁ ଏହି ମ୍ୟାଚ୍କୁ ଯାଇଥିଲେ। ହେଲେ ୮୧ ମିନିଟ୍ର ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସୁଙ୍ଗ୍ ବାଜି ମାରି ନେଇଥିଲେ। ଦ୍ବିତୀୟ ଓ ତୃତୀୟ ସେଟ୍ର ଶେଷ କିଛି ମିନିଟ୍ରେ ସିନ୍ଧୁ ଜବରଦସ୍ତ ଖେଳ ଖେଳିଥିଲେ। ହେଲେ ମାତ୍ରାଧିକ ଅନିଚ୍ଛାକୃତ ତ୍ରୁଟି କରି ମ୍ୟାଚ୍ ହାତଛଡ଼ା କରିଥିଲେ। ମହିଳା ଯୁଗଳରେ ମଧ୍ୟ ଭାରତକୁ ନିରାଶାଜନକ ଖବର ମିଳିଥିଲା। ମେଘନା ଜକମପୁଡି ଓ ପୂର୍ବିସା ଏସ୍ ରାମ ୨୧-୧୮, ୧୨-୨୧, ୧୨-୨୧ରେ ରୁଷିଆର ଏକାଟେରିନା ବୋଲୋତୋଭା ଓ ଆଲିନା ଡାଭେଲତୋଭାଙ୍କଠୁ ଏବଂ ଅଶ୍ବିନୀ ପୁନପ୍ପା ଓ ଏନ୍ ସିକ୍କି ରେଡ୍ଡୀ ୨୧-୧୬, ୨୬-୨୮, ୧୬-୨୧ରେ ଜାପାନର ସିହୋ ତାନାକା ଓ କୋହାରୁ ୟୋନୋମୋତାଙ୍କଠୁ ହାରି ବିଦାୟ ନେଇଥିଲେ। ତେବେ ପୁରୁଷ ଏକକରେ ବି ସାଇ ପ୍ରଣୀତ ଏବଂ କିଦାମ୍ବି ଶ୍ରୀକାନ୍ତ ବିଜୟର ସ୍ବାଦ ଚାଖିଥିଲେ। ପ୍ରଣୀତ ନିଜ ଦେଶର ଏଚ୍ ଏସ୍ ପ୍ରଣୟଙ୍କୁ ୨୧-୧୯, ୨୧-୧୯ରେ ଏବଂ ଶ୍ରୀକାନ୍ତ ୨୧-୧୩, ୨୧-୧୧ରେ ଫ୍ରାନ୍ସର ବ୍ରିସ ଲେଭର୍ଦେଜଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।
ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ୍, ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦା
Advertisment
Follow Us