‘ହକି ଗଡ଼ର କର୍ପୂର ଉଡ଼ିଗଲାଣି! ରାଉରକେଲାରୁ ସବୁ ସୁବିଧା ସ୍ଥାନାନ୍ତର

Advertisment
ଡିସେମ୍ବରରେ ରାଜ୍ୟ ହକି ପ୍ରତିଯୋଗିତା

123rf.com

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ‘ହକିର ଗଡ଼ ଭାବେ ବିଶ୍ବବିଦିତ। ଏହି ମାଟିରୁ ୭୦ରୁ ଅଧିକ ଅନ୍ତର୍ଜାତୀୟ ହକି ଖେଳାଳି ଓ ସହଶ୍ରାଧିକ ଜାତୀୟ ଖେଳାଳି ସୃଷ୍ଟି ହୋଇଛନ୍ତି। ତେବେ ରାଜ୍ୟ ସରକାରଙ୍କ କ୍ରମାଗତ ଅଣଦେଖା, ସୁନ୍ଦରଗଡ଼ ହକିକୁ ପତନମୁଖୀ କରିଛି। କେବଳ ବିଶ୍ବସ୍ତରୀୟ ହକି ଷ୍ଟାଡିୟମର ଉପହାର ଓ ସବୁ ବ୍ଲକ୍‌ରେ ଆଷ୍ଟ୍ରୋଟର୍ଫ‌୍ ପଡ଼ିଆ ଘୋଷଣାକରି ଏଠାରେ ଥିବା ସମସ୍ତ ସୁବିଧା ସୁଯୋଗକୁ ସ୍ଥାନାନ୍ତର କରିବାର ଅଗ୍ରହଣୀୟ ପରମ୍ପରା ଆରମ୍ଭ କରିଦେଇଛନ୍ତି। ଯଦ୍ବାରା, ସୁନ୍ଦରଗଡ଼ରେ ହକିର ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ।

ସୁନ୍ଦରଗଡ଼ର ହକିକୁ ହତାଦର କରିବା ପ୍ରକ୍ରିୟା ୨୦୧୪ ମସିହାରେ ଆରମ୍ଭ ହୋଇଥିଲା। ଉକ୍ତ ବର୍ଷ ମେ’ ମାସରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ହକି ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଥିଲା। ଏହାଦ୍ବାରା ପାନପୋଷ କ୍ରୀଡ଼ା ଛାତ୍ରାବାସର ବଛାବଛା ଉଦୀୟମାନ ଖେଳାଳି ଅନିଚ୍ଛା ସତ୍ତ୍ବେ ଭୁବନେଶ୍ବରକୁ ଚାଲିଯାଇଥିଲେ। ସେତେବେ‌ଳେ, ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତୀବ୍ର ପତିବାଦ କରାଯାଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ସରକାରଙ୍କ ଜିଦ୍‌ ହିଁ କାୟମ୍‌ ରହିଥିଲା। ଏବେ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ନାଭାଲ ଟାଟା ଏକାଡେମୀ ହାଇ ପରଫର୍ମାନ୍ସ ସେଣ୍ଟର୍‌ ଉଭୟ ପାନପୋଷ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ଖେଳାଳିଙ୍କୁ ନେଇ ଶ୍ରେୟ ଗୋଟାଇବାରେ ବ୍ୟସ୍ତ। କେବଳ ଏତିକିରେ ସୀମିତ ରହିନି ନାଭାଲ ଟାଟା ଏକାଡେମୀର ଅନୈତିକ କାର୍ଯ୍ୟକଳାପ। କ୍ରୀଡ଼ା ଛାତ୍ରାବାସରୁ ଖେଳାଳିମାନଙ୍କୁ ନେଇ ନିଜ ଏକାଡେମୀ ଦଳ ଗଠନ କରି ଏକାଡେମୀସ୍ତରୀୟ ଜାତୀୟ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି। ଏମିତିକି ନିଜର ଏକାଡେମୀ ଦଳକୁ ହିଁ ଓଡ଼ିଶା ଦଳ ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ଖେଳାଉଛି। ହକି ଇଣ୍ଡିଆ ନୂତନ ମାର୍ଗଦର୍ଶିକା ଅନୁସାରେ, ଗୋଟିଏ ଖେଳାଳି କୌଣସି ବି ପରିସ୍ଥିତିରେ ଦୁଇଟି ଭିନ୍ନ ସଂସ୍ଥା/ରାଜ୍ୟ ଦଳରୁ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ। କିନ୍ତୁ ନାଭାଲ ଟାଟା ଏକାଡେମୀ ଏହି ନିୟମକୁ ଉଲ୍ଲଂଘନ କରି କେବଳ ରାଜ୍ୟ ହକିକୁ ଅପବାଦ ଆଣିନି, ବରଂ ଅନ୍ୟ ଉଦୀୟମାନ ହକି ଖେଳାଳିଙ୍କ ପଥରୋଧ କରୁଛି। ଯଦି ଏକାଡେମୀ ଓ ରାଜ୍ୟ ଦଳ ପାଇଁ ପୃଥକ୍‌ ପୃଥକ୍‌ ଦଳ ଗଠନ କରାଯାଆନ୍ତା; ତାହେଲେ ସୁନ୍ଦରଗଡ଼ର ଅନ୍ୟୁନ ଆଉ ୧୮ ଜଣ ଖେଳାଳି ମଧ୍ୟ ଜାତୀୟ ପ୍ରତିଯୋଗିତା ଖେଳିବାର ସୁଯୋଗ ପାଆନ୍ତେ। ଏତଦ୍‌ବ୍ୟତୀତ ରାଜ୍ୟ କନିଷ୍ଠ ଓ ବରିଷ୍ଠ ଦଳ ପାଇଁ ଚୟନ ଶିବିର ଆୟୋଜନରୁ ରାଉରକେଲାକୁ ବାଦ୍‌ ଦିଆଯାଇଛି; ଯାହାକି ବିଡ଼ମ୍ବନା ବ୍ୟତୀତ ଅନ୍ୟ କିଛି ହୋଇନପାରେ। ପୂର୍ବରୁ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ହିଁ ରାଜ୍ୟ କନିଷ୍ଠ ଓ ବରିଷ୍ଠ ହକି ଦଳର ଚୟନ ଶିବିର ଆୟୋଜିତ ହେଉଥିଲା। ତେବେ ଚଳିତବର୍ଷ ପ୍ରଥମଥର ପାଇଁ ଏହି ଶିବିରକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଝାଡ଼ଖଣ୍ଡ ସ୍ଥିତ ସିମଡେଗାରେ ଚାଲିଥିବା କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଓ ଝାନ୍ସିରେ ଚାଲିଥିବା ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ପାଇଁ ଚୟନ ଶିବିର ଭୁବନେଶ୍ବରରେ ହିଁ ଆୟୋଜିତ ହୋଇଥିଲା।

ଜିଲ୍ଲାର ଦୁଇ କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକମାନଙ୍କୁ ମଧ୍ୟ ବାରମ୍ବାର ଉପେକ୍ଷା କରାଯାଉଥିବାର ନଜିର ରହିଛି। ଜାତୀୟ ପ୍ରତିଯୋଗିତାରେ ଭାଗନେଉଥିବା ରାଜ୍ୟ ଦଳ ପାଇଁ କେବଳ ଭୁବନେଶ୍ବର ସ୍ଥିତ ପ୍ରଶିକ୍ଷକମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ସଂପ୍ରତି ସିମଡେଗାରେ ଚାଲିଥିବା କନିଷ୍ଠ ଜାତୀୟ ମହିଳା ହକି ପ୍ରତିଯୋଗିତାର ପ୍ରଶିକ୍ଷକ କେସି ଚୌଧୁରୀ ଥିବାବେଳେ ଝାନ୍ସି ଯାଇଥିବା ବରିଷ୍ଠ ମହିଳା ଦଳର ପ୍ରଶିକ୍ଷକ ଅଛନ୍ତି ଲାଜରୁସ ବାର୍ଲା। କିନ୍ତୁ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ଏନଆଇଏସ୍‌ ପ୍ରଶିକ୍ଷକମାନଙ୍କୁ ନେତୃତ୍ବ ନେବାରୁ ବଞ୍ଚିତ କରାଯାଉଛି। ଏହାବାଦ୍‌, ଜିଲ୍ଲାରେ ହକିର ବିକାଶ ପାଇଁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ଦେଖିବାକୁ ମିଳୁନି। କେବଳ ଏକ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣରେ ସୀମିତ ରହିଛି ହକି ବିକାଶ। ପରନ୍ତୁ ପାନପୋଷ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ବର୍ଷ ବର୍ଷ ପୁରଣା ଆଷ୍ଟ୍ରୋଟର୍ଫ‌୍, ଅନ୍ତୋବାସୀ ସଂଖ୍ୟା ବୃଦ୍ଧି, ଅନ୍ତେବାସୀଙ୍କ ପାଇଁ ଆସୁଥିବା ଅନୁଦାନର ବୃଦ୍ଧିକୁ ମଧ୍ୟ ଧ୍ୟାନ ଦିଆଯାଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe