୯ରୁ ଏଲ୍‌ଆଇସି ସର୍ବଭାରତୀୟ କ୍ରୀଡ଼ା ପ୍ରତିଯୋଗିତା, ଭାଗ ନେବେ ୪୨୪ ଖେଳାଳି

ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ, କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟନ

୯ରୁ ଏଲ୍‌ଆଇସି ସର୍ବଭାରତୀୟ କ୍ରୀଡ଼ା ପ୍ରତିଯୋଗିତା, ଭାଗ ନେବେ ୪୨୪ ଖେଳାଳି

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଆଗାମୀ ନଭେମ୍ବର ୯ରୁ ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ନିଗମର ୮ଟି ଜୋନ୍‌ ଓ ୧୧୩ଟି ଡିଭିଜନ୍‌ରୁ ମୋଟ୍‌ ୪୨୪ ଜଣ ଖେଳାଳି ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରସ୍ଥିତ ଡିଭିଜନାଲ ଅଫିସ୍‌ରେ ସୋମବାର ସାମ୍ବାଦିକ ସମ୍ମିଳନୀରେ ସିନିୟର ଡିଭିଜନାଲ ମ୍ୟାନେଜର ଲକ୍ଷ୍ମୀ ପ୍ରସାଦ ଦାସ ଏହି ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି, ଏଲ୍‌ଆଇସିର ଅଧ୍ୟକ୍ଷ ଭିକେ ଶର୍ମା କଳିଙ୍ଗ ଷ୍ଟାଡିୟମରେ ୪ ଦିବସୀୟ ଖେଳ ସମାରୋହକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଭାର୍ଗବ ଉଦ୍‌ଯାପନୀ ଦିବସରେ ଯୋଗଦେବେ।

ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ବିହାର ଓ ଝାରଖଣ୍ଡକୁ ନେଇ ଭୁବନେଶ୍ୱରରେ ପୂର୍ବ-କେନ୍ଦ୍ରୀୟ ଜୋନ୍‌ ଗଠନ ହୋଇଛି। ଓଡ଼ିଶାରୁ କିରଣ ମନୀଷା ମହାନ୍ତି ସମେତ ଆହୁରି ଜଣାଶୁଣା ପ୍ରତିଭା ଏହି ଖେଳକୁମ୍ଭରେ ଯୋଗଦେବେ। ଓଡ଼ିଶାର ପ୍ରତିଭାମାନଙ୍କ ପାଇଁ ଏହି ପ୍ରତିଯୋଗିତା ଅଧିକ ପଦକ ଜିତିବାରେ ସୁଯୋଗ ସୃଷ୍ଟି କରିବ ବୋଲି ଆମେ ଆଶା କରୁଛୁ। ସେହିଭଳି ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ଶକ୍ତିଶାଳୀ କରିପାରିବେ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଥିବା ଏହି ମେଗା ପ୍ରତିଯୋଗିତାର ଆୟୋଜନକୁ ନେଇ ଆମେ ଗର୍ବିତ। ବିଗତ ଦୁଇ ମାସ ହେବ ଆମର କର୍ମଚାରୀମାନେ ପ୍ରସ୍ତୁତି ଚଳାଇଛନ୍ତି। ଖେଳାଳିମାନଙ୍କ ରହିବା ପାଇଁ ୬ଟି ହୋଟେଲର ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନୀ ସମାରେହ ପାଇଁ ଖୋର୍ଦ୍ଧାର ପାଇକ ନୃତ୍ୟ, ଗୋଟିପୁଅ ନାଚ, ଛଉ, ଘୁମୁରା, ଘୋଡ଼ା ନୃତ୍ୟ ଓ ଶଙ୍ଖ ବାଦ୍ୟ ଆୟୋଜନ କରାଯାଇଛି।

- ଲକ୍ଷ୍ମୀ ପ୍ରସାଦ ଦାସ, ସିନିୟର ଡିଭିଜନାଲ ମ୍ୟାନେଜର

ପ୍ରତିଯୋଗିତାରେ ଆଥ୍‌ଲେଟିକ୍ସ, ଭଲିବଲ୍‌, ଟେବୁଲ୍‌ ଟେନିସ୍‌, ଚେସ୍‌, କ୍ୟାରମ୍‌ ଓ ବ୍ୟାଡମିଣ୍ଟନକୁ ସାମିଲ କରାଯାଇଛି। ଏହି ଖେଳଗୁଡ଼ିକରେ ୫୫ଜଣ ଅନ୍ତର୍ଜାତୀୟ ଓ ୧୫୫ଜଣ ଜାତୀୟ ସ୍ତରର ଖେଳାଳି ଭାଗ ନେବେ। ଆଥ୍‌ଲେଟିକ ବିଭାଗରେ ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟର ଉଭୟ ପୁରୁଷ ଓ ମହିଳା ବର୍ଗରେ ଏବଂ ୫୦୦୦ ମିଟର, ୧୦,୦୦୦ ମିଟର ତଥା ୧୦୦ ମିଟର ବାଧା ଦୌଡ଼ କେବଳ ପୁରୁଷମାନଙ୍କ ପାଇଁ ଓ ୧୧୦ ଓ ୪୦୦ ମିଟର ବାଧା ଦୌଡ ମହିଳାମାନଙ୍କ ପାଇଁ ଅନୁଷ୍ଠିତ ହେବ। ହାଇଜମ୍ପ, ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ଜାଭେଲିନ୍‌, ଡିସକସ୍‌, ସଟଫୁଟ୍‌ ଓ ହ୍ୟାମର ଥ୍ରୋ ଭଳି ଇଭେଣ୍ଟ ମଧ୍ୟ ଅନୁଷ୍ଠିତ ହେବ। କ୍ୟାରମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌ ଓ ଚେସ୍‌ ସ୍ପଧାର ଉଭୟ ବର୍ଗରେ ୩୨ ଜଣ ଲେଖାଏଁ ଖେଳାଳି ଭାଗ ନେବେ।

ଭୁବନେଶ୍ୱର ମଣ୍ଡଳର ଚେସ୍‌ରେ ପୁରୁଷ ବର୍ଗରେ ମନୋରଞ୍ଜନ ସାହୁ ଓ ମହିଳା ବର୍ଗରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନା ମହିଳା ଗ୍ରାଣ୍ଡ ମାଷ୍ଟର ସୁଶ୍ରୀ କିରଣ ମନିଷା ମହାନ୍ତି ପ୍ରତିନିଧିତ୍ୱ କରିବେ। ଜେଭେଲିନ୍‌ ଥ୍ରୋରେ ପ୍ରକାଶ କୁମାର ମହାନ୍ତି, ୨୦୦ ମିଟରରେ ଦୌଡ଼ରେ ମଧୁସୂଦନ ବଳ, ଭଲିବଲ୍‌ରେ ସନ୍ତୋଷ କୁମାର ପଣ୍ଡା ଓ ଶ୍ରୀନିବାସ ବଡ଼ଜେନା ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ମଣ୍ଡଳର ବିପଣନ ପ୍ରବନ୍ଧକ ତଥା ଖେଳ ପରିଚାଳନା କମିଟିର ଆବାହକ ଅନନ୍ତ ଭୂଷଣ ରଥ, ପ୍ରବନ୍ଧକ(କାର୍ମିକ ଏବଂ ଔଦ୍ୟଗିକ ସମ୍ପର୍କ ବିଭାଗ) ନୃସିଂହ ଚରଣ ବେହେରା, ପ୍ରମୋଦ କୁମାର ସାହୁ, ପ୍ରବନ୍ଧକ(ବିକ୍ରୟ) , ଭୁବନେଶ୍ୱର ମଣ୍ଡଳ ଏଲ୍‌ଆଇସି କ୍ରୀଡା କ୍ଲବର ସମ୍ପାଦକ ରମାକାନ୍ତ ଦାଶ, ରୂପ ନାରାୟଣ ସାହୁ ଓ ସୁଧାଂଶୁ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe