ସର୍ବଭାରତୀୟ ଟେନିସ୍‌: ସୋହିନୀଙ୍କୁ ଦ୍ବିମୁକୁଟ, ଅର୍ଣ୍ଣାଙ୍କୁ ପ୍ରଥମ ଟ୍ରଫି

Advertisment
ସର୍ବଭାରତୀୟ ଟେନିସ୍‌: ସୋହିନୀଙ୍କୁ ଦ୍ବିମୁକୁଟ, ଅର୍ଣ୍ଣାଙ୍କୁ ପ୍ରଥମ ଟ୍ରଫି

ଭୁବନେଶ୍ବର: ଓଡ଼ିଶା ଟେନିସ୍‌ ପାଇଁ ଶୁକ୍ରବାର ଏକାଧିକ ଖୁସି ଖବର ମିଳିଛି। ସର୍ବଭାରତୀୟ ଟେନିସ୍‌ ସଂଘ (ଆଇଟା)ର ଦୁଇଟି ପ୍ରତିଯୋଗିତାରେ ଓଡ଼ିଆ ଝିଅମାନେ ଚମକ ଛାଡ଼ିଛନ୍ତି। ବିହାରର ପାଟଣାରେ ଅନୁଷ୍ଠିତ ଆଇଟା ଟ୍ୟାଲେଣ୍ଟ୍ ସିରିଜ୍ (ଟିଏସ୍‌)‌ରେ ଅର୍ଣ୍ଣା ରାଜ ୧୬ ବର୍ଷରୁ କମ୍‌ ବାଳିକା ଯୁଗଳ ଟ୍ରଫି ଜିତିଥିବା ବେଳେ ଏକକ ବର୍ଗରେ ଉପବିଜୟିନୀ ହୋଇଛନ୍ତି। ଆରାଧ୍ୟା ବର୍ମାଙ୍କୁ ସାଥୀ କରି ଖେଳିଥିବା ଅର୍ଣ୍ଣା ବାଳିକା ଯୁଗଳ ଫାଇନାଲ୍‌ରେ ବେଙ୍ଗଲ ଯୋଡ଼ି ଆକାଂକ୍ଷା ଘୋଷ ଓ ଶ୍ରୀନିୟା ଘୋଷଙ୍କୁ ୬-୨, ୬-୩ରେ ପରାସ୍ତ କରିଥିଲେ। ଏକକ ଫାଇନାଲରେ କିନ୍ତୁ ଅର୍ଣ୍ଣାଙ୍କୁ ବେଙ୍ଗଲର ସମୃଦ୍ଧା ବାସୁ ୬-୧, ୬-୦ରେ ହରାଇ ଟ୍ରଫି ବିଜୟିନୀ ହୋଇଥିଲେ। ଭୁବନେଶ୍ବର ଝିଅ ଅର୍ଣ୍ଣାଙ୍କୁ ଏସ୍‌ଏସ୍‌ ଟେନିସ୍‌ ଏକାଡେମିରେ ଏହାର ମୁଖ୍ୟ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ ପ୍ରଶିକ୍ଷଣ ଦେଉଛନ୍ତି। ଅର୍ଣ୍ଣା ତାଙ୍କ ଖେଳ ଜୀବନର ପ୍ରଥମ ଟିଏସ୍‌ ଟ୍ରଫି ଜିତିଥିବାରୁ ଶ୍ରୀ ଷଡ଼ଙ୍ଗୀ ଖୁସି ଜାହିର କରିଛନ୍ତି।

ଅନ୍ୟପକ୍ଷରେ ଗୁଜରାଟର ଅହମଦାବାଦରେ ଅନୁଷ୍ଠିତ ଆଇଟା ସୁପର୍‌ ସିରିଜ୍ (ଏସ୍ଏସ୍‌) ପ୍ରତିଯୋଗିତାର ୧୪ ବର୍ଷରୁ କମ୍‌ ବର୍ଗରେ ଉଦୀୟମାନ ତାରକା ସୋହିନୀ ମହାନ୍ତି ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଏକକ ଫାଇନାଲରେ ସୋହିନୀ ହାଇଦ୍ରାବାଦର ବାଂଶିକା ମାରିଆ ଭୈଜ ବସନ୍ତଙ୍କୁ ୬-୦, ୬-୦ରେ ପରାସ୍ତ କରିଥିଲେ। ଅବନି ସୁଜିଥ ଚିତାଲେଙ୍କୁ ସାଥୀ କରି ଖେଳିଥିବା ସୋହିନୀ ବାଳିକା ଯୁଗଳ ଫାଇନାଲରେ ଗୁଜରାଟର ପ୍ରାର୍ଥା ସୋଲାଙ୍କୀ ଓ ପ୍ରିୟଙ୍କା ସଞ୍ଜୟ ରାଣାଙ୍କୁ ୬-୧, ୬-୪ରେ ପରାସ୍ତ କରିଥିଲେ। ଗତ ମାସରେ ଜାତୀୟ ପ୍ରତିଯୋଗିତାରେ ଉପବିଜୟିନୀ ହୋଇ ଇତିହାସ ରଚିଥିବା ସୋହିନୀ ୨୦୨୧ ମସିହାରେ ଡଜନେରୁ ଊର୍ଧ୍ବ ଆଇଟା ସର୍କିଟ ଟ୍ରଫି ଜିତି ସଫଳ ଯାତ୍ରା ଜାରି ରଖିଛନ୍ତି। ଫାରହାନ୍ ଅଲୀ ଟେନିସ୍‌ ଏକାଡେମିରେ ସୋହିନୀ ନିଜ ଖେଳ ଜୀବନ ଗଢ଼ି ସଫଳତା ପାଇଛନ୍ତି। ସୋହିନୀ କିଟ୍‌ ଛାତ୍ର ହୋଇଥିବାରୁ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe