ଆମର ସମସ୍ତ ସୁଟର ପଦକ ଜିତିବା ପାଇଁ ସମର୍ଥ: ପାଭେଲ

Advertisment

ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୪୩ ଦିନ

ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୪୩ ଦିନ

ଆମର ସମସ୍ତ ସୁଟର ପଦକ ଜିତିବା ପାଇଁ ସମର୍ଥ: ପାଭେଲ

ନୂଆଦିଲ୍ଲୀ: ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସକୁ ଆଉ ୪୩ ଦିନ ବାକି ରହିଛି। ସାରା ବିଶ୍ବର ଆଥ୍‌ଲେଟ୍‌ମାନଙ୍କ ନଜର ଏହା ଉପରେ ରହିଛି। ପଦକ ଜିତିବାର ଲାଳସା ସମସ୍ତଙ୍କ ମନରେ ରହିଥିବାରୁ ପ୍ରସ୍ତୁତିକୁ ମଧ୍ୟ ଜୋର୍‌ଦାର କରିଛନ୍ତି। ଏକ୍ଷେତ୍ରରେ ଭାରତୀୟ ଆଥ୍‌ଲେଟ୍‌ମାନେ ମଧ୍ୟ ପଛରେ ପଡ଼ିଯାଇନାହାନ୍ତି। ଭାରତୀୟ ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ବନ୍ଧୁକଚାଳନାରେ ଏକାଧିକ ପଦକ ହାସଲ କରିବାର ଆଶା ରହିଥିଲା ବେଳେ ଭାରତୀୟ ପିସ୍ତଲ ଦଳର ପ୍ରଶିକ୍ଷକ ବଡ଼ ଆଶା ରଖିଛନ୍ତି। ଭାରତର ରେକର୍ଡ ସଂଖ୍ୟକ ୧୫ ଜଣ ସୁଟର ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବେ। ତାଙ୍କ କହିବା କଥା ହେଲା ଏହା କେବଳ ଜଣେ, ଦୁଇ ଜଣ କିମ୍ବା ତିନି ଜଣଙ୍କ ପାଇଁ ନୁହେଁ ଆମର ସମସ୍ତ ବନ୍ଧୁକଚାଳକ (ସୁଟର) ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାର ସାମର୍ଥ୍ୟ ରଖିଛନ୍ତି। ଏପରିକି ଏକାଧିକ ସ୍ବର୍ଣ୍ଣ ପଦକ ମଧ୍ୟ ଅମଳ କରିପାରିବେ ବୋଲି ଭାରତର ଏହି ବିଦେଶୀ ପ୍ରଶିକ୍ଷକ ପାଭେଲ ସ୍ମିର୍‌ନୋଭ୍‌ ଜୋର୍‌ ଦେଇ କହିଛନ୍ତି।

ଟୋକିଓରେ ବିଶେଷକରି ସୌରଭ ଚୌଧୁରୀ ଓ ମନୁ ଭାକେରଙ୍କ ଭଳି ଦକ୍ଷ ଯୁବ ପିସ୍ତଲ ସୁଟର ଟୋକିଓରେ ଚମକ ଦେଖାଇବେ। ଏ ଦୁଇଜଣଙ୍କ ବ୍ୟତୀତ ଅଭିଷେକ ବର୍ମା ଓ ଯଶ୍ବସ୍ବିନୀ ସିଂହ ଦେଶୱାଲଙ୍କ ସାଙ୍ଗକୁ ପୁରୁଖା ରାହି ସର୍ନୋବତ ମଧ୍ୟ ଦଳର ଶକ୍ତି ବଢ଼ା‌ଇବେ। ମୁଁ କିଛି ବର୍ଷ ଧରି ସମସ୍ତଙ୍କ ଦକ୍ଷତା ମାପିସାରିଛି। ତେଣୁ ପ୍ରତ୍ୟେକ ଭାରତୀୟ ସୁଟର ନିଶ୍ଚିତ ପୋଡ଼ିୟମ୍‌ ଫିନିସ୍‌ କରିପାରିବେ। ଏପରିକି ସେମାନଙ୍କ ଦିନରେ ସମସ୍ତେ ପଦକ ଜିତି ଗୌରବ ଆଣିପାରିବେ ବୋଲି କହିଛନ୍ତି ସ୍ମିର୍‌ନୋଭ୍‌। ସୁଟରମାନେ ମଧ୍ୟ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟାକୁଳ ହୋଇ ରହିଛନ୍ତି। ତେଣୁ ଟୋକିଓ ଆମ ପାଇଁ ଖୁବ୍‌ ଭଲ ଅଲିମ୍ପିକ୍ସ ରହିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସ୍ମିର୍‌ନୋଭ୍‌ କହିଛନ୍ତି। ତେବେ ଏଥର କରୋନା ମହାମାରୀ ଦୃଷ୍ଟିରୁ ସମସ୍ତ ପ୍ରଶିକ୍ଷକ ଟୋକିଓ ଯାଇପାରିବେନି। ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟିର ନିୟମ ଓ କଟକଣା ଯୋଗୁଁ ସର୍ବାଧିକ ୩୦ ପ୍ରତିଶତ ପ୍ରଶିକ୍ଷକ ଅଲିମ୍ପିକ୍ସ ସାରା ନିଜ ନିଜ ଆଥ୍‌ଲେଟ୍‌ଙ୍କ ସହିତ ରହିପାରିବେ। ସେହି ଦୃଷ୍ଟିରୁ ରାଇଫଲ ବିଦେଶୀ ପ୍ରଶିକ୍ଷକ ଓଲେଗ୍‌ ମିଖାଇଲୋଭ୍‌ଙ୍କ ସହ ସ୍ମିର୍‌ନୋଭ୍‌ ଅଦଳବଦଳ କରି ଦଳ ସହ ରହିବେ ବୋଲି କହିଛନ୍ତି। ନିୟମ ହିଁ ନିୟମ। ସମସ୍ତଙ୍କୁ ମାନିବାକୁ ପଡ଼ିବ। ତଥାପି ଆମ ଦଳ ବଢ଼ିଆ କରିବ ବୋଲି ସ୍ମିର୍‌ନୋଭ୍‌ ଆଶା ଦେଇଛନ୍ତି।

ରିଓ ଅଲିମ୍ପିକ୍ସ ପରେ ଭାରତୀୟ ସୁଟିଂର ଢେର ଉନ୍ନତି ଘଟିଛି। ଅଲିମ୍ପିକ୍ ବିଜେତା ଅଭିନବ ବିନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ସମୀକ୍ଷା ସମିତିର ସୁପାରିସକ୍ରମେ ସୁଟରମାନଙ୍କୁ ସଠିକ୍‌ ପ୍ରଶିକ୍ଷକ ଓ ପ୍ରସ୍ତୁତି ଜରିଆରେ ଦକ୍ଷ କରାଯାଇପାରିଛି। ଏଠାରେ ସୂଚନାଯୋଗ୍ୟ, ସ୍ମିର୍‌ନୋଭ୍‌ଙ୍କ ପ୍ରଶିକ୍ଷଣରେ ବିଜୟ କୁମାର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe