ଆଉ ସବୁ ଖେଳ ଚୁଲିକି

Advertisment
ଆଉ ସବୁ ଖେଳ ଚୁଲିକି

ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବେ ଏକମୁହାଁ ଅଭିଯାନରେ ବ୍ୟସ୍ତ। ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କରି ବାହାବା ନେବା ଏବଂ ଲୋକଦେଖାଣିଆ ପ୍ରଚାର ପ୍ରସାର ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି। ଫଳରେ ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମୀ ସହିତ ଖେଳ ଓ ଖେଳାଳି ପଛରେ ପଡ଼ିଯାଇଛନ୍ତି। ଏହାର ଉଦାହରଣ ଦେଖିବାକୁ ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳକୁ ଯିବାର ଆବଶ୍ୟକତା ନାହିଁ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ଯଥେଷ୍ଟ। ଜୁଲାଇ ମାସରେ ଆୟୋଜିତ ଏସୀୟ ଦୌଡ଼କୁଦ ପାଇଁ ପ୍ରାୟ ୩ ମାସ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ପ୍ରଶିକ୍ଷଣ ବ୍ୟବସ୍ଥାରେ ଥିବା ଖେଳ ଓ ଖେଳାଳି ପ୍ରଭାବିତ ହୋଇଥିଲେ। ଏବେ ଆସନ୍ତା ମାସର ବିଶ୍ୱ ହକି ପାଇଁ ସମ ଦଶା ଭୋଗିବେ ଖେଳାଳିମାନେ। ସନ୍ତରଣାଗାରକୁ ଭାଙ୍ଗି ଦିଆଯାଇଥିବାବେଳେ ଟେନିସ୍‌ କୋର୍ଟକୁ ତ ପ୍ରଶାସକମାନେ ନିଜ ପୈତୃକ ସମ୍ପତ୍ତି ଭଳି ତାଲା ପକାଇ ରଖିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଇତି ମଧ୍ୟରେ ଷ୍ଟାଡିୟମ୍‌ ପରିସରରେ ଅନ୍ୟ ଖେଳଗୁଡ଼ିକ ଉପରେ କୁନଜର ପକାଇଛନ୍ତି। ଷ୍ଟାଡିୟମ୍‌ ଗେଟ୍‌ରେ ଝୁଲୁଥିବା ନୋଟିସ୍‌ ଏହି ବାର୍ତା ଦେଉଛି।

ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ପାଇଁ ନଭେମ୍ବର ୧୬ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହା ପରିସରରେ କୌଣସି ପ୍ରକାର ଖେଳ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ନୋଟିସ୍‌ରେ ଦର୍ଶାଯାଇଛି। ଏବେ ନିର୍ବାଚନ ମୁହାଁ ସରକାର ଆଦିବାସୀଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ହକି ପାଇଁ ଅନ୍ୟ ସବୁ ଖେଳକୁ ବଳି ପକାଇ ଦେବାକୁ ଯୋଜନା କରିଛନ୍ତି। ହକି ଷ୍ଟାଡିୟମ୍‌ର ପୁନଃରୁଦ୍ଧାର ଓ ଉନ୍ନତିକରଣ ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଫଳରେ ସନ୍ତରଣ, ଟେନିସ୍‌ ପରେ ଫୁଟ୍‌ବଲ୍‌, ଦୌଡ଼କୁଦ, ବାସ୍କେଟ୍‌ବଲ୍‌, ରଗ୍‌ବି, ଭାରୋତ୍ତୋଳନ, ବଂଧୁକଚାଳନା, କବାଡ଼ି, ଭଲିବଲ୍‌ ଆଦି ଏକାଧିକ ଖେଳର ପ୍ରଶିକ୍ଷଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। ଫଳରେ କ୍ରୀଡ଼ା ବିଭାଗ ଯେ ରାଜ୍ୟ ଖେଳର ସାମଗ୍ରିକ ବିକାଶରେ ଦାୟିତ୍ୱବୋଧତା ରଖୁ ନାହିଁ ବୋଲି ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି। ‘ବିଶ୍ୱ ହକି ଲିଗ୍‌ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ନୋଟିସରେ ଉଲ୍ଲେଖ ରହିଛି। ବାହ୍ୟ ପ୍ରବେଶକୁ ରୋକାଯାଇଛି। କିନ୍ତୁ କ୍ରୀଡ଼ା ଛାତ୍ରାବାସରେ ଥିବା କୌଣସି ଖେଳ ପ୍ରଭାବିତ ହେବ ନାହିଁ ବୋଲି କହିଛନ୍ତି ଷ୍ଟାଡିୟମ୍‌ ଭାରପ୍ରାପ୍ତ ଅଧିକାରୀ ବାରିଜ ରଂଜନ ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe