ଏଜବାଷ୍ଟନ୍: ଇଂଲଣ୍ଡ ପାଇଁ ସର୍ବାଧିକ ଟେଷ୍ଟ୍ ଖେଳିବାର କୀର୍ତ୍ତିମାନ ଗୁରୁବାରଠାରୁ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ଙ୍କ ନାମକୁ ଆସିଛି। ଏଜ୍ବାଷ୍ଟନ୍ରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ଖେଳିବା ସହ ସେ ପୂର୍ବତନ ଅଧିନାୟକ ଆଲେଷ୍ଟର୍ କୁକ୍ଙ୍କୁ ଟପିଯାଇଥିଲେ। କୁକ୍ ଇଂଲଣ୍ଡ ପାଇଁ ୧୬୧ ଟେଷ୍ଟ୍ ଖେଳିଥିଲେ, ଆଣ୍ଡରସନ୍ ଗୁରୁବାରଠାରୁ ନିଜ ୧୬୨ତମ ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି। ଆଣ୍ଡରସନ୍ଙ୍କ ସାଥି ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ୧୪୭ ଟେଷ୍ଟ୍ ମ୍ୟାଚ୍ ସହ ତାଲିକାର ତୃତୀୟରେ ରହିଥିବା ବେଳେ ପୂର୍ବତନ ଅଧିନାୟକ ଆଲେକ ଷ୍ଟୁଆର୍ଟ ୧୩୩ ମ୍ୟାଚ୍ ସହ ଚତୁର୍ଥରେ ରହିଛନ୍ତି।
ଆଣ୍ଡରସନ୍ ଏକମାତ୍ର ଦ୍ରୁତ ବୋଲର ଭାବେ ୬୦୦ ଟେଷ୍ଟ୍ ୱିକେଟ୍ ଅତିକ୍ରମ କରିଛନ୍ତି। ସେ ଏହି ଟେଷ୍ଟ୍ ପୂର୍ବରୁ ୬୧୬ ୱିକେଟ୍ ନେଇଛନ୍ତି। ଶୀର୍ଷ ୧୦ ମଧ୍ୟରେ ଥିବା ଅନ୍ୟ ଏକମାତ୍ର ସକ୍ରିୟ ବୋଲର ଷ୍ଟୁଆର୍ଟ ବ୍ରଡ୍ ତାଙ୍କଠାରୁ ୯୮ ୱିକେଟ୍ ପଛରେ ରହିଛନ୍ତି। ୨୦୦୩ରେ ଲର୍ଡସରେ ଜିମ୍ବାୱେ ବିପକ୍ଷରେ ପଦାର୍ପଣ କରିବା ବେଳେ ସେ ଏତେବାଟ ଆସିବେ ବୋଲି ନିଶ୍ଚିତ ନଥିବା ଆଣ୍ଡରସନ୍ ପ୍ରକାଶ କରିଛନ୍ତି। ମୋର ମନେ ଅଛି ପଦାର୍ପଣ ମ୍ୟାଚ୍ରେ ମୋ ବୋଲିଂ ପାଇଁ ନାସିର୍ ହୁସେନ ଫାଇନ୍ ଲେଗ୍ ରଖିନଥିଲେ ଏବଂ ମୁଁ ଢେର ରନ୍ ବ୍ୟୟ କରିଥିଲି। ପ୍ରଥମ ବଲ ବି ନୋ ବଲ୍ ପକାଇଥିଲି। ଅନେକ ନର୍ଭସ ଥିଲି, ତେବେ ପ୍ରତିଟି ପ୍ରତିବଂଧକ କ୍ରମେ ମୋତେ ଲମ୍ବା ଖେଳ ଜୀବନରେ ଦୃଢ଼ କରିଛି ବୋଲି ଆଣ୍ଡରସନ୍ ପ୍ରକାଶ କରିଥିଲେ।
Follow Us