‘ମଦର୍ସ ଏଗେନ୍‌ଷ୍ଟ ଭାପିଙ୍ଗ’ ସହ ଯୋଡ଼ି ହେଲେ ଦୂତି

‘ମଦର୍ସ ଏଗେନ୍‌ଷ୍ଟ ଭାପିଙ୍ଗ’ ସହ ଯୋଡ଼ି ହେଲେ ଦୂତି

ଭୁବନେଶ୍ବର: ଅଲିମ୍ପିକ୍‌ ଧାବିକା ଦୂତି ଚାନ୍ଦ ଭାରତୀୟ ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ ନୂତନ ଯୁଗର ତମାଖୁ ଉପକରଣର ପ୍ରଚାର ପ୍ରସାର ବିରୋଧରେ ଲଢୁଥିବା ମହିଳାମାନଙ୍କର ଏକ ମିଳିତ ସାମ୍ମୁଖ୍ୟ ‘ମଦର୍ସ ଏଗେନ୍‌ଷ୍ଟ ଭାପିଙ୍ଗ’ ସହିତ ସାମିଲ ହୋଇଛନ୍ତି। ଦୂତି ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବେ ବୋଲି କହିଛନ୍ତି। ଏଭଳି କରିବାରେ‌ ସେ ବାଇଚୁଙ୍ଗ ଭୁତିଆ, ଦୀପା ମଲିକ ଏବଂ ନେହା ଧୂପିଆଙ୍କ ଭଳି ପ୍ରଭାବଶାଳୀ ତାଲିକାରେ ସାମିଲ ହୋଇଛନ୍ତି। ଏମାନେ ସମସ୍ତେ ଯୁବକମାନଙ୍କ ଧୂମପାନ ବିରୋଧରେ ‘ମଦର୍ସ ଏଗେନ୍‌ଷ୍ଟ ଭାପିଙ୍ଗ’ ଉଦ୍ୟମକୁ ସମର୍ଥନ କରୁଛନ୍ତି। ଦୂତି କହିଛନ୍ତି ଯେ, ‘‘ଆଜି ଆମେ ଏକ କ୍ରୀଡ଼ା ରାଷ୍ଟ୍ର ଭାବରେ ଆଗକୁ ବଢୁଛୁ। ଦୌଡ଼କୁଦଠାରୁ ଆରମ୍ଭ କରି ଚେସ୍‌ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ପ୍ରତିଭାବାନ ଯୁବକମାନେ ଆଗେଇ ଆସିବା ବହୁତ ଆନନ୍ଦ ଦେଉଛି। କିନ୍ତୁ ଯୁବକମାନଙ୍କ ମଧ୍ୟରେ ଧୂମପାନ ନିଶା ଭଳି ସମସ୍ୟା ଆମକୁ ପଛକୁ ଠେଲି ଦେଉଛି, ତେଣୁ ଆମେ ଏହି ଧାରା ବିରୋଧରେ କହିବା ଉଚିତ।

ଶିଶୁମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ କରିବାର ଅଧିକାର ରହିଛି। କିନ୍ତୁ ଏଭଳି ଖରାପ ଅଭ୍ୟାସ ଦ୍ବାରା ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରୁ ନାହାନ୍ତି। ତେଣୁ ଏ‌ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବ ପାଇଁ ପିଲାମାନଙ୍କ ସହ ଅଭିଭାବକ, ଶିକ୍ଷକ ଓ ସମାଜର ବଡ଼ ଭୂମିକା ରହୁଛି।’’ ଭାରତ ଭଳି ଅଷ୍ଟ୍ରେଲିଆ, ସିଙ୍ଗାପୁର, ଥାଇଲାଣ୍ଡ, ଆର୍ଜେଣ୍ଟିନା, ଜାପାନ, ବ୍ରାଜିଲ୍‌ରେ ଭାପିଙ୍ଗକୁ ବ୍ୟାନ୍‌ କରାଯାଇଛି। ଭାରତରେ ଭାପିଙ୍ଗ ଯନ୍ତ୍ରାଂଶ ଓ ଇ-ସିଗାରେଟ୍‌କୁ ଇଲେକ୍ଟ୍ରୋନିକ୍‌ ସି‌ଗାରେଟ୍‌ ନିରୋଧ ଆଇନ୍‌ ଅନୁସାରେ ନିଷେଧ କରାଯାଇଛି। ଯାହାମଧ୍ୟରେ ଯୋଗାଣ ଓ ବିଜ୍ଞାପନ ମଧ୍ୟ ସାମିଲ ଅଛି। ଏହି ନୂତନ ଯୁଗର ତମାଖୁର ଖରାପ ପ୍ରଭାବ ୨୦୧୯ରେ ଆମେରିକାରେ ଦେଖାଦେଇଥିଲା। ବିଶେଷକରି କିଶୋର ଓ ଯୁବକମାନେ ଅଧିକ ପ୍ରଭାବିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରେ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହେବା ସହ ଶ୍ବାସ ରୋଗ ଭଳି ସମସ୍ୟା ଦେଖାଦେଇଥିଲା। ଯେଉଁଥିପାଇଁ ଏହା ଉପରେ ସଚେତନତା ଓ ପ୍ରତିରୋଧ ପଦକ୍ଷେପର ଆବଶ୍ୟକତା ଥିବା କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe