Photograph: (India Today)
ନୂଆଦିଲ୍ଲୀ: ଦେଶର ଦ୍ରୁତତମ ଧାବକ ଅନିମେଷ କୁଜୁର ଏବଂ ବିଶ୍ବର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ମହାମିଳନ ମଙ୍ଗଳବାର ହୋଇଛି। ଏହି ପ୍ରତୀକ୍ଷିତ ଭେଟାଭେଟି ମୁମ୍ବାଇଠାରେ ଏକ ଜୋତା ବ୍ରାଣ୍ଡ୍ ତରଫରୁ ଆୟୋଜିତ ଘରୋଇ କାର୍ଯ୍ୟକ୍ରମ ଅବସରରେ ଘଟିଛି। ନିଜ ଆଦର୍ଶ ବୋଲ୍ଟଙ୍କୁ ପାଖରେ ପାଇ ଅନିମେଷ ବେଶ୍ ଉଲ୍ଲସିତ ଥିଲେ। ଏହି ମୌକାରେ ଅନିମେଷ ନିଜ ବିଜୁଳି ଭଳି ଗତି ପାଇଁ ପରିଚିତ ଏବଂ ଅଲିମ୍ପିକ୍ସ ଇତିହାସର ସବୁଠାରୁ ସଫଳ ଧାବକ ବୋଲ୍ଟଙ୍କଠାରୁ ଦୌଡ଼କୁଦର କିଛି ବୈଷୟିକ ରଣକୌଶଳ ଓ ଟିପ୍ସ ଉତ୍ସାହର ସହ ବୁଝୁଥିବା ଦେଖିବାକୁ ମିଳିଥିଲା। ବୋଲ୍ଟ ମଧ୍ୟ ଖୁସିରେ ତାଙ୍କ ରନ୍ଅପ୍ରେ ଥିବା କିଛିଟା ସମସ୍ୟା ବିଷୟରେ ଖୋଲି କହିଥିଲେ। ଉଭୟ ପରସ୍ପର ସହ ଢେର୍ ସମୟ ଗପସପ କରି ଏବଂ ହାତମିଳାଇ ଏହି ମୁହୁର୍ତ୍ତକୁ ସ୍ମରଣୀୟ କରିଥିଲେ। ଉଭୟ ସଂପୃକ୍ତ ଜୋତା ବ୍ରାଣ୍ଡ୍ର ବ୍ରାଣ୍ଡ୍ ଆମ୍ବାସଡର ଥିବା ଜଣାପଡ଼ିଛି।
କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ରିଲାଏନ୍ସ ଏଚ୍ପିସିରେ ପ୍ରଶିକ୍ଷଣ ନେଉଥିବା ଅମିନେଷ, ବୋଲ୍ଟଙ୍କୁ ନିଜ ଭଗବାନ ଭାବେ ପୂଜା କରନ୍ତି। ଏପରିକି ବୋଲ୍ଟ ଉତ୍ସବ ପାଳନ ଶୈଳୀକୁ ନକଲ କରନ୍ତି। ଚଳିତ ଋତୁରେ ସେ ଉଭୟ ୧୦୦ ଓ ୨୦୦ ମିଟର ଜାତୀୟ ରେକର୍ଡ ଭାଙ୍ଗିବା ସହ ପ୍ରଥମ ଭାରତୀୟ ପୁରୁଷ ଧାବକ ଭାବେ ଜାପାନର ଟୋକିଓରେ ଆୟୋଜିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଅନିମେଷ ସଂପ୍ରତି ଆସନ୍ତାବର୍ଷର ଏସୀୟ କ୍ରୀଡ଼ା ଲାଗି ପ୍ରସ୍ତୁତ ହେଉଛନ୍ତି। ଏଥିରେ ସେ ୧୦ ସେକେଣ୍ଡ ପ୍ରତିବନ୍ଧକକୁ ଦୂର କରିବା ଲକ୍ଷ୍ୟରେ ରହିଛନ୍ତି।
Follow Us