ପୁଣି ଏକ ବିପର୍ଯ୍ୟୟ: ୪ ଥର ବିଜେତା ଜର୍ମାନିକୁ ହରାଇଲା ଜାପାନ

Advertisment

ଜାପାନକୁ ଜିତାଇଲେ ବଦଳ ଖେଳାଳି

ଜାପାନକୁ ଜିତାଇଲେ ବଦଳ ଖେଳାଳି

ପୁଣି ଏକ ବିପର୍ଯ୍ୟୟ: ୪ ଥର ବିଜେତା ଜର୍ମାନିକୁ ହରାଇଲା ଜାପାନ

ଦୋହା: ଗ୍ରୁପ୍‌ ଇ’ରେ ଜାପାନ ବିପର୍ଯ୍ୟୟ ଘଟାଇବା ସହ ବିଜୟରୁ ଚଳିତ ଫିଫା ବିଶ୍ବକପ୍‌ରେ ଅଭିଯାନ ଆରମ୍ଭ କରିଛି। ଖଲିଫା ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଜାପାନ ୨-୧ ଗୋଲ୍‌ରେ ୪ ଥରର ବିଜେତା ଜର୍ମାନିକୁ ପରାସ୍ତ କରି ପ୍ରତିଯୋଗିତାର ଦ୍ବିତୀୟ ବିପର୍ଯ୍ୟୟ ଘଟାଇଛି। ମଙ୍ଗଳବାର ଦୁଇ ଥରର ବିଜେତା ଆର୍ଜେଣ୍ଟିନାକୁ ହରାଇ ସାଉଦି ଆରବ ପ୍ରତିଯୋଗିତାର ପ୍ରଥମ ବିପର୍ଯ୍ୟୟ ଘଟାଇଥିଲା। ବୁଧବାର କଡ଼ା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଆରମ୍ଭ ହୋଇଥିବା ମ୍ୟାଚ୍‌ର ୩୨ତମ ମିନିଟ୍‌ରେ ଜର୍ମାନି କାତାର ସଂସ୍କରଣରେ ଗୋଲ୍‌ ଆକାଉଣ୍ଟ ଖୋଲିଥିଲା। ଜାପାନ ଗୋଲ୍‌ରକ୍ଷକ ସୁଇଚି ଗୋଣ୍ଡା ଜର୍ମାନିର ଡେଭିଡ୍‌ ରାଉମ୍‌ଙ୍କ ଜର୍ସିକୁ ଭିଡ଼ି ଧରିବା ସହ ତାଙ୍କୁ ତଳେ ପକାଇଦେଇଥିଲେ। ଫଳରେ ରେଫରି ଏହାକୁ ପେନାଲ୍‌ଟି ଘୋଷଣା କରିବାରୁ ଉଭୟ ଦଳର ଖେଳାଳିମାନଙ୍କ ଭିତରେ ଯୁକ୍ତିତର୍କ ଲାଗିଥି‌ଲା।

ତଥାପି ଶେଷରେ ଇଲକାଏ ଗ୍ବେଣ୍ଡୋଗାନ୍‌ ଏହାକୁ ଗୋଲ୍‌ରେ ପରିଣତ କରିଥିଲେ। କିନ୍ତୁ ଏହି ଗୋଲ୍‌ ପରେ ଜର୍ମାନି ଅଟକି ନଥିଲା। ଚାପ ବଜାୟ ରଖିବାକୁ ଯାଇ ପ୍ରଥମାର୍ଦ୍ଧର ଶେଷ ମିନିଟ୍‌ (୪୫+୪)ରେ ଜର୍ମାନି ଦ୍ବିତୀୟ ଗୋଲ୍‌ ଦେଇଥିଲା। କାଇ ହାଭେର୍ଜ ପୋଷ୍ଟ୍‌ର ଅତି ନିକଟରୁ କିକ୍‌ ମାରିଥିଲା ବେଳେ ସର୍ଗେ ଜିନାବ୍ରି ତାହାକୁ ଅତି ସହଜରେ ପୋଷ୍ଟ ଭିତରକୁ ପାର୍‌ କରାଇଦେଇଥିଲେ। କିନ୍ତୁ ଭାର୍‌ରେ ତାହା ଅଫ୍‌ସାଇଡ୍‌ ଜଣାପଡ଼ିବାରୁ ଦଳକୁ ନିରାଶ ହେବାକୁ ପଡ଼ିଥିଲା। ପ୍ରଥମାର୍ଦ୍ଧରେ ଜର୍ମାନି ୧-୦ ରେ ଅଗ୍ରଣୀ ରହିବା ପରେ ଦ୍ବିତୀୟାର୍ଦ୍ଧରେ ଜାପାନ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା। ଏକାଧିକ ଗୋଲ୍‌ ରକ୍ଷା କରି ପରାକାଷ୍ଠା ଦେଖାଉଥିବା ଜର୍ମାନି ଗୋଲ୍‌ରକ୍ଷକ ତଥା ଅଧିନାୟକ ମାନୁଏଲ୍‌ ନିଉରଙ୍କୁ ବାରମ୍ବାର ଝଟ୍‌କା ଦେଇଥିଲା ଜାପାନ। ୭୧ତମ ମିନିଟ୍‌ରେ ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ରିସ୍ତୁ ଡୋଆନ୍‌ ୪ ମିନିଟ୍‌ ପରେ ସହଜରେ ମାନୁଏଲ୍‌ଙ୍କୁ ଅତିକ୍ରମ କରି ଦଳ ପାଇଁ ପ୍ରଥମ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ ବରାବର ହୋଇଥିଲେ ହେଁ ୮୩ତମ ମିନିଟ୍‌ରେ ଅନ୍ୟତମ ବଦଳ ଖେଳାଳି ଟାକୁମା ଅସାନୋ ମଧ୍ୟ ସମାନ ଢଙ୍ଗରେ ଗୋଲ୍‌ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ନିର୍ଦ୍ଧାରିତ ସମୟ ପରେ ଇଞ୍ଜୁରି ସମୟରେ ମଧ୍ୟ ଜର୍ମାନି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲା। କିନ୍ତୁ ଜାପାନ ରକ୍ଷଣଭାଗକୁ ଭେଦ କରିବାରେ ସଫଳ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe