ଅନ୍ୟର ଟ୍ଵିଟ୍‌ ପାଇଁ ପାଣ୍ଡ୍ୟା ଫସିଗଲେ

Advertisment
ଅନ୍ୟର ଟ୍ଵିଟ୍‌ ପାଇଁ ପାଣ୍ଡ୍ୟା ଫସିଗଲେ

କୋଲକାତା: ଆଜିକାଲି ସାମାଜିକ ଗଣମାଧ୍ୟମରେ କିଛି ବି ହୋଇ ପାରୁଛି। ନକଲି ଆକାଉଣ୍ଟ ଖୋଲି ଅସଲ ଲୋକଙ୍କୁ ହଇରାଣ କରାଯାଉଛି। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସମାଜରେ ଘୃଣା ଓ ବିଦ୍ୱେଶ ବି ସୃଷ୍ଟି କରାଯାଉଛି। ଏପରିକି ଏହି ନକଲି ଆକାଉଣ୍ଟଧାରୀଙ୍କ ପାଇଁ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିନା ଦୋଷରେ ଅଡ଼ୁଆରେ ପଡ଼ି ଯାଉଛନ୍ତି। ଏମିତି ଏକ ଘଟଣା ଭାରତୀୟ କ୍ରିକେଟ୍‌ ଦଳର ଯୁବ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ କ୍ଷେତ୍ରରେ ଘଟିଛି। ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ ସହ ସାମଞ୍ଜସ୍ୟ ଥିବା ଅନ୍ୟଏକ ଅକାଉଣ୍ଟରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଭିମରାଓ ଆମ୍ବେଦକରଙ୍କୁ ନେଇ ଆପତ୍ତିଜନକ ଟ୍ଵିଟ୍‌ କରାଯାଇଥିଲା ବେଳେ ପାଣ୍ଡ୍ୟା କିନ୍ତୁ ଅଜାଣତରେ ଏହି ମାମଲାରେ ଫସି ଯାଇଛନ୍ତି।

ଏହି ଟ୍ଵିଟ୍‌ ଗତ ୨୦ ତାରିଖରେ କରାଯାଇଥିିଲା। ଏଥିରେ ପାଣ୍ଡ୍ୟା ଆମ୍ବେଦକରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଫଳରେ ଯୋଧପୁରର ଏକ ସ୍ୱତନ୍ତ୍ର ଅଦାଲତ ଏଥିପାଇଁ ତାଙ୍କ ବିରୋଧରେ ଆନୁଷ୍ଠାନିକ ଏତଲା ଦାୟର କରିବାକୁ ସେଠାକାର ପୁଲିସକୁ ନିର୍ଦେଶ ଦେଇଥିଲେ। ସେଥିପାଇଁ ଅଧିକାଂଶ ସମୟ ନିଜ ରଙ୍ଗୀନ ମିଜାଜ ପାଇଁ ଚର୍ଚାରେ ରହୁଥିବା ପାଣ୍ଡ୍ୟା ଆଗକୁ ଏକ ନୂଆ ଆଇନଯୁଦ୍ଧରେ ଛନ୍ଦି ହୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ଅଦାଲତ ତାଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ ଜନଜାତି ଧାରାରେ ମାମଲା ଦାୟର କରିବାକୁ ପୁଲିସକୁ ନିର୍ଦେଶ ଦେଇଥିବାରୁ ପାଣ୍ଡ୍ୟା ଏହି ବିବାଦରୁ ସହଜରେ ମୁକୁଳି ଯିବାର ସମ୍ଭାବନା ବି କମ୍‌ ରହିଥିଲା। ଏବେ କିନ୍ତୁ ସବୁ କଥା ସ୍ପଷ୍ଟ ହୋଇ ଯାଇଛି। ପାଣ୍ଡ୍ୟା ଏଭଳି କରି ନଥିବା ସ୍ପଷ୍ଟ ହୋଇ ଯାଇଛି। ପ୍ରକୃତ କଥା ହେଉଛି କିଛି ଦିନ ତଳେ ରାଷ୍ଟ୍ରୀୟ ଭିମ ସେନା ନାମକ ଏକ ସାମାଜିକ ସଂଗଠନର କର୍ମୀ ଡି ଆର ମେଘଓ୍ଵାଲ ଆମ୍ବେଦକରଙ୍କୁ ନେଇ ପାଣ୍ଡ୍ୟା ଆପତ୍ତିଜନକ ଟ୍ଵିଟ୍‌ କରିଥିବା ଦର୍ଶାଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଅଦାଲତ ଏହାର ବିଚାର କରି ପାଣ୍ଡ୍ୟାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ଦାୟର କରିବାକୁ ବୁଧବାର ପୁଲିସକୁ ନିର୍ଦେଶ ଦେଇଥିଲେ।
ମେଘଓ୍ଵାଲ ତାଙ୍କ ପିଟିସନରେ ଦର୍ଶାଇଥିଲେ ଯେ ପାଣ୍ଡ୍ୟା କିଛି ଦିନ ତଳେ ଟ୍ଵିଟ୍‌ କରି ଆମ୍ବେଦକରଙ୍କୁ ଆକ୍ଷେପ କରିବା ସହ ତାଙ୍କ ସଂରକ୍ଷଣ ନୀତିକୁ ତାତ୍ସଲ୍ୟ କରିଥିଲେ। କୋଉ ଆମ୍ବେଦକର। ଯିଏ ସମ୍ବିଧାନର ବିଭିନ୍ନ ନୀତି ନିୟମ ପ୍ରଣୟନ କରିଥିଲେ ନା ଯାହାଙ୍କ ପାଇଁ ସାରା ଦେଶରେ ସଂରକ୍ଷଣ ବ୍ୟାଧି ବ୍ୟାପି ଯାଇଥିଲା ବୋଲି ପାଣ୍ଡ୍ୟା ଟ୍ଵିଟ୍‌ କରିଥିବା ମେଘଓ୍ଵାଲ ଅଭିଯୋଗ କରିଥିଲେ। ସେ ଆହୁରି କହିଥିଲେ ଯେ ପାଣ୍ଡ୍ୟାଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ଏବଂ ଏହା ଏକ ଖରାପ ଉଦାହରଣ ସୃଷ୍ଟି କରିଛି। ଦେଶର ଜଣେ ପ୍ରତିଷ୍ଠିତ କ୍ରିକେଟର ହୋଇ ମଧ୍ୟ ସେ ସମ୍ବିଧାନ ଏବଂ ସମ୍ବିଧାନ ପ୍ରଣେତାଙ୍କୁ ଘୋର ଅସମ୍ମାନ କରିଛନ୍ତି। ପାଣ୍ଡ୍ୟା ଏକ ନିର୍ଦିଷ୍ଟ ଜାତି ବିଶେଷବର୍ଗଙ୍କ ଭାବନାକୁ କ୍ଷୁଣ୍ଣ କରିଛନ୍ତି। ତେବେ ପରେ କିନ୍ତୁ ଏହି ଟ୍ଵିଟ୍‌ ଏକ ପାଣ୍ଡ୍ୟା କରି ନଥିବା ଜଣା ପଡ଼ିଛି। ପାଣ୍ଡ୍ୟାଙ୍କ @hardikpandya7 ହୋଇଥିଲା ବେଳେ ବିବାଦୀୟ ଟ୍ଵିଟ୍‌ @sirhardik3777ରୁ କରାଯାଇଛି। ଏଣୁ ଏବେ ଓଲଟା ମେଘଓ୍ଵାଲ ଅଡ଼ୁଆରେ ପଡ଼ିବାର ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe