ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟ୍ ତାରକା ବିରାଟ କୋହଲି ସଂପର୍କରେ ରହିବା ଦିନଠାରୁ ସୋସିଆଲ୍ ମିଡିଆରେ ସେ ଦୁହିଁଙ୍କୁ ନେଇ ନାନା ପ୍ରକାରର ପୋଷ୍ଟ୍ ସବୁ ଦେଖିବାକୁ ମିଳୁଛି। ବିଶେଷ କରି ବିରାଟଙ୍କ ଖେଳକୁ ନେଇ ଅନୁଷ୍କା ଅନେକ ବାର ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଛନ୍ତି। ଅନୁଷ୍କା ବିରାଟଙ୍କ ପାଇଁ ଅଶୁଭ। ସେ ତାଙ୍କ ଜୀବନରେ ଆସିବା ପରଠାରୁ ବିରାଟ ଆଉ ଭଲ ଖେଳି ପାରୁନାହାନ୍ତି ବୋଲି ପୂର୍ବରୁ ବିରାଟଙ୍କ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରି ସମାଲୋଚନା କରିଥିଲେ। ବିରାଟ ଯଦି କମ୍ ରନ୍ କରୁଥିଲେ କିମ୍ବା କୌଣସି ଖେଳରେ ହାରୁଥିଲେ ତେବେ ପ୍ରଶଂସକଙ୍କ ଆଙ୍ଗୁଠି ସିଧା ଉଠୁଥିଲା ଅନୁଷ୍କାଙ୍କ ଆଡ଼େ।
ନିକଟରେ ବିରାଟ ଦିନିକିଆ ମ୍ୟାଚ୍ରେ ସମୁଦାୟ ୧୦,୦୦୦ ରନ୍ କରିବା ପରେ ସଚିନ୍ ତେନ୍ଦୁଲ୍କରଙ୍କ ରେକର୍ଡ ଭଙ୍ଗ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି। ମାତ୍ର ବିରାଟଙ୍କ ସଫଳତାର ଶ୍ରେୟ କେହି ହେଲେ ଅନୁଷ୍କାଙ୍କୁ ଦେଇନାହାନ୍ତି, ଯଦିଓ ବିଫଳତା ପାଇଁ ସର୍ବଦା ଅନୁଷ୍କାଙ୍କୁ ଦାୟୀ କରାଯାଉଥିଲା। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରାଟ। ସେ ପତ୍ନୀଙ୍କ ଅନୁଷ୍କାଙ୍କୁ ସମର୍ଥନ କରି ସମାଲୋଚକମାନେ ଏବେ କୁଆଡ଼େ ଗଲେ ବୋଲି ପ୍ରଶତ୍ନ କରିଛନ୍ତି। ତାଙ୍କ ପତ୍ନୀ ସବୁବେଳେ ତାଙ୍କ ପାଇଁ ସକାରାତ୍ମକ ବାତାବରଣ ସୃଷ୍ଟି କରନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
Follow Us