ସେମିରେ ମେସିଙ୍କୁ ମିସ୍‌ କରିପାରେ ଆର୍ଜେଣ୍ଟିନା

ସେମିରେ ମେସିଙ୍କୁ ମିସ୍‌ କରିପାରେ ଆର୍ଜେଣ୍ଟିନା

ଦୋହା : ମଙ୍ଗଳବାର ଖେଳ‌ାଯିବାକୁ ଥିବା କ୍ରୋଏସିଆ ବିପକ୍ଷ ପ୍ରଥମ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା ଏହାର ପ୍ରମୁଖ ଅସ୍ତ୍ର ଲିଓନେଲ୍ ମେସିଙ୍କୁ ମିସ୍ କରିପାରେ। ନେଦରଲାଣ୍ଡ୍ସ ବିପକ୍ଷ କ୍ବାର୍ଟରଫାଇନାଲ୍ ପରେ ରେଫରି ଆଣ୍ଟୋନିଓ ମାତେଉ ଲାହୋଜଙ୍କ ସହ ଯୁକ୍ତିତର୍କ କାରଣରୁ ଫିଫା ମେସିଙ୍କୁ ବାସନ୍ଦ କରିବା ଆଶଙ୍କା ରହିଛି। ଶୁକ୍ରବାର ରାତିର ଆର୍ଜେଣ୍ଟିନା-ନେଦରଲାଣ୍ଡ୍ସ ମହାଲଢ଼େଇ ଚଳିତ ବିଶ୍ବକପ୍‌ରେ ସର୍ବାଧିକ ବାକ୍‌ବିତଣ୍ଡା ଓ ଯୁକ୍ତିତର୍କ ମଧ୍ୟରେ ଶେଷ ହୋଇଥିଲା। ଫଳସ୍ବରୂପ ରେଫରି ଆଣ୍ଟୋନିଓ ମୋଟ ୧୬ ହଳଦିଆ କାର୍ଡ ଦେଖାଇଥିଲେ।

ଏହି ମ୍ୟାଚ୍‌‌ରେ ମଧ୍ୟ ମୋଟ ୪୮ ଫାଉଲ୍‌ ନଜରକୁ ଆସିଥିଲା। ଆର୍ଜେଣ୍ଟିନା ପେନାଲ୍ଟି ସୁଟ୍‌ ଆଉଟ୍‌ରେ ୪-୩ (୨-୨) ଜିତି ସେମିଫାଇନାଲ୍ ଉଠିଛି। ଏହି ମୁକାବିଲାର ୨ ଦିନ ପରେ ଫିଫା ଏ ସମ୍ପର୍କିତ ଶୃଙ୍ଖଳା ପ୍ରକ୍ରିୟାକୁ ଖୋଲି ତଦନ୍ତ ଆରମ୍ଭ କରିଛି। ମେସି ଖେଳାଳିଙ୍କ ଆଚରଣ ସଂହିତାର ଧାରା ୧୨ ଓ ୧୬ ଉଲ୍ଲଂଘନ କରିଥିବା ପ୍ରମାଣିତ ହେଲେ ସେ ବୁଧବାର ସେମିଫାଇନାଲ୍ ‌ଖେଳିନପାରନ୍ତି। ମ୍ୟାଚ୍‌ ପରେ ମଧ୍ୟ ମେସି ତୀବ୍ର ଅସନ୍ତୋଷ ପ୍ରକଟ କରି କହିଥିଲେ, ‘ରେଫରିଙ୍କ ସମ୍ପର୍କରେ ମୁଁ ବିଶେଷ କିଛି କହିପାରିବି ନାହିଁ, କାରଣ ସେମାନେ ତୁମକୁ ବାସନ୍ଦ କରିଦେବେ। ମୁଁ ଯାହା ଭାବୁଛି ତାହା ମଧ୍ୟ କହିପାରିବି ନାହିଁ। ଫିଫା ଏସବୁ ଦେଖିବା କଥା। ଏଭଳି ସ୍ତରର ରେଫରିକୁ ଫିଫା ମ୍ୟାଚ୍‌ ପରିଚାଳନା ଦାୟିତ୍ବ ନ ଦେଉ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe