ଆର୍ଜେଣ୍ଟିନାର ଦ୍ବିତୀୟ ବିଜୟ

ଆର୍ଜେଣ୍ଟିନାର ଦ୍ବିତୀୟ ବିଜୟ

ଭୁବନେଶ୍ବର: ଚଳିତ ବିଶ୍ବକପ୍‌ରେ ସୋମବାର ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ପ୍ରଥମ ଦଳ ଭାବେ ଦ୍ବିତୀୟ ବିଜୟ ହାସଲ କରି କାର୍ଟର ଫାଇନାଲରେ ଗୋଟିଏ ପାଦ ରଖି ଦେଇଛି। ପୁଲ୍ 'ଏ' ଅନ୍ତର୍ଗତ ଏହି ଦ୍ବିତୀୟ ରାଉଣ୍ଡ୍ ଦ୍ବିତୀୟ ମ୍ୟାଚ୍‌ରେ ରିଓ ଅଲିମ୍ପିକ୍କ୍ସ ସ୍ବର୍ଣ୍ଣ ବିଜୟୀ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଯୋଗ୍ୟତା ଅର୍ଜନର ଦ୍ବାରଦେଶରେ ପହଞ୍ଚିଯାଇଛି। ଏହା ପୂର୍ବରୁ ସୋମବାର ସଂଧ୍ୟାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଫଳରେ ପୁଲ୍ 'ଏ'ରେ ଏବେ ବି ସବୁ ଦଳ ପାଇଁ ଆଗକୁ ବଢ଼ିବାକୁ ଦ୍ବାର ଉନ୍ମୁକ୍ତ ରହିଛି।
ସୋମବାରର ଏହି ମ୍ୟାଚ୍ ଏକତରଫା ଥିଲା। କଳା ଷ୍ଟିକ୍‌ର ଦେଶ ନ୍ୟୁଜିଲାଣ୍ଡ ଅଲିମ୍ପିକ୍ ବିଜେତାର ସମକକ୍ଷ ଖେଳ ଦେଖାଇ ପାରିନଥିଲା। ଏପରିକି ଭଲ ସୁଯୋଗ ସୃଷ୍ଟି କରିପାରିନଥିଲା। ଫିନିସିଂର ଅଭାବ ବି ଏହି ଦଳକୁ ପଛରେ ପକାଇ ଦେଇଥିଲା। ୧୯୭୬ ଅଲିମ୍ପିକ୍ସ ସ୍ବର୍ଣ୍ଣ ଏବଂ ଚଳିତ ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜୟୀ ନ୍ୟୁଜିଲାଣ୍ଡର ରକ୍ଷଣଭାଗକୁ ଭେଦିବାରେ ଆର୍ଜେଣ୍ଟିନାକୁ ବିଶେଷ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିନଥିଲା। ଫଳରେ ବିଶ୍ବ ମାନ୍ୟତାର ୨ ନମ୍ବର ଏହି ଦକ୍ଷିଣ ଆମେରିକୀୟ ଦେଶ ୯ ନମ୍ବର ନ୍ୟୁଜିଲାଣ୍ଡକୁ ସହଜରେ ହରାଇ ଦେଇଥିଲା।

ମ୍ୟାଚ୍‌ର ୨୩ତମ ମିନିଟରେ ୨୯ ବର୍ଷୀୟ ଅଗଷ୍ଟିନ୍ ମାଜିଲି ଏକ ରିଭର୍ସ ଷ୍ଟିକ୍‌ରେ ଗୋଲ୍ ଖାତା ଖୋଲିଥିଲେ। ସ୍ପେନ୍ ବିପକ୍ଷରେ ଯୁଗଳ ଗୋଲ୍‌ ଦେଇଥିବା ମାଜିଲି ଏଥି ସହିତ ଅଗ୍ରଣୀ ଗୋଲ୍‌ ସ୍କୋରରଙ୍କ ତାଲିକାରେ ମିଳିତ ଶୀର୍ଷରେ ରହିଛନ୍ତି। ଭାରତର ସିମ୍ରନଜିତ୍ ସିଂହ, ନେଦରଲାଣ୍ଡର ଜେରୋନ୍‌ ହାର୍ଟବର୍ଜର ମଧ୍ୟ ୩ ଲେଖାଏଁ ଗୋଲ୍ ଦେଇଛନ୍ତି। ପ୍ରଥମାର୍ଧରେ ୧-୦ରେ ଆଗୁଆ ରହିଥିବା ଆର୍ଜେଣ୍ଟିନାକୁ ୪୧ତମ ମିନିଟରେ ତାରକା ଲୁକାସ ଭିଲା ୨-୦ରେ ପହଞ୍ଚାଇ ଦେଇଥିଲେ। ଗୋଲ୍‌ ମୁହଁରେ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ଲେୟାର ଟେରାଣ୍ଟଙ୍କ ସହ ଲଢ଼େଇ ପରେ ବକ୍ସ କର୍ନରକୁ ବଲ୍‌କୁ ପଠାଇ ଦେଇଥିଲେ। ୫୫ତମ ମିନିଟରେ ପେନାଲଟି କର୍ନରରୁ ଆଜେଣ୍ଟିନା ପାଇଥିଲା ତୃତୀୟ ଗୋଲ୍‌। ଗଞ୍ଜାଲୋ ପିଲାଟଙ୍କ ବ୍ୟାକ୍‌ପାସରୁ ମିଳିଥିବା ବଲକୁ ଫରୱାର୍ଡ ଲୁକାସ ମାର୍ଟିନେଜ ପ୍ରଥମେ ବିଫଳ ‌ହୋଇଥିଲେ ମଧ୍ୟ ଦ୍ବିତୀୟ ପ୍ରୟାସରେ ଗୋଲ୍ ବକ୍ସ ଭିତରକୁ ପଠାଇବାରେ ସଫଳ ହୋଇଥିଲେ। ଏଥି ସହିତ ଚଳିତ ବିଶ୍ବକପ୍‌ରେ ଭାରତ (୫-୦), ନେଦରଲାଣ୍ଡ (୭-୦), ଜର୍ମାନି (୧-୦) ପରେ ଆର୍ଜେଣ୍ଟିନା ଚତୁର୍ଥ ଦେଶ ଭାବେ କ୍ଲିନ୍ ସିଟ୍‌ରେ (୩-୦) ଜିତିଲା।
୨୦୦୨ କୁଆଲାଲମ୍ପୁରଠୁ ଆରମ୍ଭ କରି ଲଗାତାର ପଞ୍ଚମ ବିଶ୍ବକପ୍ ଖେଳୁଥିବା ୩୬ ବର୍ଷୀୟ ମାଟିଆସ ପରଦେସଙ୍କ ଖେଳ ବେଶ୍‌ ପ୍ରଶଂସନୀୟ ରହିଥିଲା। ଗତ ଗୁରୁବାର ଏହି ପୁଲ୍‌ର ପ୍ରଥମ ଦିବସରେ ଆର୍ଜେଣ୍ଟିନା ୪-୩ରେ ସ୍ପେନ୍‌କୁ ଏବଂ ନ୍ୟୁଜିଲାଣ୍ଡ ୨-୧ରେ ଫ୍ରାନ୍ସକୁ ହରାଇ ଦେଇଥିଲେ। ସୋମବାର ଭିନ୍ନକ୍ଷମ ଦିବସରେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଜୟନ୍ତୀ ବେହେରା ପ୍ରଥମ ଅତିଥି ଥିଲେ। ଶେଷରେ ଆଇଆର୍‌ଏସ୍ ସୁନୀଲ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ଆର୍ଜେଣ୍ଟିନାର ଲୁକାସ ଭିଲ୍ଲାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe