ଅର୍ପିତାଙ୍କ ଅଲିମ୍ପିକ୍ସ ଆଶା

Advertisment

ଅଲିମ୍ପିଆନ୍ ହେବାର ସମସ୍ତ ଗୁଣ ଅର୍ପିତାର ଅଛି: ପ୍ରଶିକ୍ଷକ

ଅଲିମ୍ପିଆନ୍ ହେବାର ସମସ୍ତ ଗୁଣ ଅର୍ପିତାର ଅଛି: ପ୍ରଶିକ୍ଷକ

ଅର୍ପିତାଙ୍କ ଅଲିମ୍ପିକ୍ସ ଆଶା

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ନେପାଳର କାଠମାଣ୍ଡୁଠାରେ ଆୟୋଜିତ ସାଉଥ ଏସିଆନ୍ ଫେଡେରେସନ୍ ଫର୍‌ ଅଲ୍ ସ୍ପୋର୍ଟସ (ସାଫ୍ସ‌) ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରେକର୍ଡ ପ୍ରଦର୍ଶନ ସହ ବିଶ୍ବ ସ୍କୁଲ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅର୍ପିତା ପରିଡ଼ା ଓଡ଼ିଶା କ୍ରୀଡ଼ା ଆକାଶର ଅନ୍ୟତମ ଉଦୀୟମାନ ତାରକା ଭାବେ ଉଭା ହୋଇଛନ୍ତି। ମାତ୍ର ୧୮ ବର୍ଷ ବୟସରେ ଡିସକସ୍ ଭଳି ଶକ୍ତି ଓ ସାମର୍ଥ୍ୟଭରା ଖେଳର ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରେ ନିଜର ନିଆରା ଛାପ ଛାଡ଼ିଥିବା ଏହି ପ୍ରତିଭାବାନ କ୍ରୀଡ଼ା ତାରକା ଦିନେ ଅଲିମ୍ପିକ୍ସ ଖେଳିବାର ସ୍ବପ୍ନ ଦେଖିବା ସହ ତାକୁ ଅନୁସରଣ ମଧ୍ୟ କରୁଛନ୍ତି। ସଂପ୍ରତି ୧୮ ବର୍ଷରୁ କମ୍ ବୟସ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅର୍ପିତା ଆଗକୁ ବିଭିନ୍ନ ଓପନ୍ ବର୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେସୁଦ୍ଧା ଦୁଇଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମାତ୍ର ୩ ମାସ ଭିତରେ ଉଭୟ ଥର ସ୍ବର୍ଣ୍ଣିମ ସଫଳତା ଲାଭ କରିସାରିଥିବା

ଏହି ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରୀଙ୍କ ପାଦକୁ କିନ୍ତୁ ଟାଣି ଧରୁଛି ତାଙ୍କ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି। ପିତାଙ୍କ ସ୍ବଳ୍ପ ଆୟ ସତ୍ତ୍ବେ ନିଜସ୍ବ ଉଦ୍ୟମ‌ରେ ଆଗକୁ ବଢ଼ି ଚାଲିଛନ୍ତି ସେ। ପ୍ରଶିକ୍ଷକ ଅଶୋକ କୁମାର ପ୍ରସାଦ ବି ତାଙ୍କୁ ନୈତିକ ସମର୍ଥନ ଦେଉଛନ୍ତି। ଅର୍ପିତାଙ୍କୁ ଜଣେ ସଫଳ କ୍ରୀଡ଼ାବିତ୍ ଭାବେ ଗଢ଼ି ତୋଳିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି। କୋଭିଡ୍-୧୯ ସଂକ୍ରମଣର ସଙ୍କଟ ଜନକ ସମୟରେ ମଧ୍ୟ ଅର୍ପିତାଙ୍କ ମନୋବଳ ଉଚ୍ଚରେ ରଖିବାକୁ ଭରପୁର ଚେଷ୍ଟା କରୁଛନ୍ତି। ତଥାପି କୌଣସି ସରକାରୀ କିମ୍ବା ବେସରକାରୀ ସଂଗଠନ ଅର୍ପିତାଙ୍କୁ ସହାୟତାର ହାତ ବଢ଼ାଇଲେ ସେ ନିଶ୍ଚିତ ଭାବେ ଓଡ଼ିଶା ଓ ସର୍ବୋପରି ଭାରତ ବର୍ଷର ଟେକ ରଖିପାରନ୍ତେ ବୋଲି ଆ‌ବେଗଭରା କଣ୍ଠରେ ମତ ରଖନ୍ତି ପ୍ରସାଦ। ୫ ଫୁଟ ୧୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ଅର୍ପିତାଙ୍କ ଶାରୀରିକ ଗଠନ, ଦୃଢ଼ ଆତ୍ମବିଶ୍ବାସ ଓ ନିରନ୍ତର ଅଧ୍ୟବସାୟ ଡିସକସ୍ ପାଇଁ ସଂପୂର୍ଣ୍ଣ ଉପଯୁକ୍ତ। କେବଳ ଯାହା ତାଙ୍କୁ ଉନ୍ନତ ଓ ବିଜ୍ଞାନ ସମ୍ମତ ପ୍ରଶିକ୍ଷଣ ବ୍ୟବସ୍ଥା, ସନ୍ତୁଳିତ ଡାଏଟ୍ ସହ କିଛିଟା ଅନ୍ତର୍ଜାତୀୟ ସ୍ତରୀୟ ଉପକରଣର ଆବଶ୍ୟକତା ରହିଛି। ଏଣୁ ରାଜ୍ୟ ସରକାରଙ୍କୁ ତାଙ୍କ ଉପରେ ଏବେଠୁ ଧ୍ୟାନ ଦେବାକୁ ମୁଁ ଅନୁରୋଧ କରିବି ବୋଲି କହିଛନ୍ତି ପ୍ରସାଦ।

ଏବେ କିନ୍ତୁ ଅର୍ପିତା ନିଜର ସବୁ ଧ୍ୟାନ ଆସନ୍ତା ନଭେମ୍ବର ମାସରେ ନେପାଳରେ ସାଫାସ ତରଫରୁ ଆୟୋଜିତ ହେବାକୁ ଥିବା ବିଶ୍ବ ସ୍କୁଲ୍ କ୍ରୀଡ଼ା ଉପରେ ରଖିଛନ୍ତି। ଏଥିରେ ପଦକ ଜିତିବାର ଦୃଢ଼ ଆତ୍ମବିଶ୍ବାସ ମଧ୍ୟ ରଖିଛନ୍ତି। ଅର୍ପିତାଙ୍କ ସାନ ଭାଇ ଆଶୁତୋଷ ମଧ୍ୟ ପଛରେ ନାହାନ୍ତି। ସେ ମଧ୍ୟ ୧୨ ବର୍ଷରୁ କମ୍ ବର୍ଗରେ ଅନ୍ତର୍ଜାତୀୟ ପଦକ ଜିତି ଭବିଷ୍ୟତରେ ଜଣେ ଦକ୍ଷ କ୍ରୀଡ଼ାବିତ୍‌ ହେବାର ଝଲକ ଦେଖାଇ ସାରିଛନ୍ତି।

ଅଲିମ୍ପିଆନ୍ ହେବାର ସମସ୍ତ ଗୁଣ ଅର୍ପିତାର ଅଛି: ପ୍ରଶିକ୍ଷକ

ଅର୍ପିତାଙ୍କ ଉପରେ ଢେର ଆଶା ଓ ଭରସା ରଖିଛନ୍ତି ପ୍ରଶିକ୍ଷକ ଅଶୋକ କୁମାର ପ୍ରସାଦ। ‘‘ଖେଳ ଆରମ୍ଭ କଲା ବେଳେ ଅର୍ପିତା ୨୧-୨୨ ମିଟର ଦୂରତାକୁ ଡିସ୍‌କସ୍ ପକାଉଥିଲା। ଏବେ ୪୨ ମିଟର ଟପି ସାରିଲାଣି। ବିଶ୍ବ ସ୍କୁଲ୍ ଗେମ୍ସ ବେଳେ ସେ ୪୫ ମିଟର ଦୂରତା ଛୁଇଁବ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ସେହି ଅନୁସାରେ ତାଙ୍କୁ ମୁଁ ପ୍ରଶିକ୍ଷଣ ଦେଉଛି। ଯଦି ତାକୁ ଆବଶ୍ୟକ ସମର୍ଥନ ଓ ସହଯୋଗ ମିଳେ, ତାହାଲେ ସେ ନିଶ୍ଚିତ ଭାବେ ଜଣେ ଅଲିମ୍ପିଆନ୍ ହୋଇ ବାହାରିବ’’ ବୋଲି କହିଛନ୍ତି ନିଜ ପ୍ରଶିକ୍ଷଣରେ ପାର୍ବତୀ ସେଠୀ, ସୌଭାଗିନୀ ପ୍ରଧାନଙ୍କ ସହ ୧୨ରୁ ଅଧିକ ମହିଳା ଓ ପୁରୁଷ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିବା ପ୍ରସାଦ। ପ୍ରତିଷ୍ଠିତ ଖେଳାଳିଙ୍କ ସହ ଉଦୀୟମାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚିତ ପ୍ରୋତ୍ସାହନ ଦେବାକୁ ସେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା‌ହେଲେ ଡିସକସ୍, ସଟପୁଟ ଭଳି ଅଣପାରମ୍ପରିକ ଖେଳରେ ବି ଓଡ଼ିଶା ପିଲା ଆଗକୁ ଯାଇପାରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିଭଳି ରାଜ୍ୟର ଅନ୍ୟତମ ବୃହତ୍ ଶିଳ୍ପ ସଂସ୍ଥାନ ଆରଏସ୍‌ପି (ରାଉରକେଲା ଷ୍ଟିଲ୍ ପାଣ୍ଟ୍)କୁ ଅର୍ପିତାଙ୍କ ଭଳି ଖେଳାଳିଙ୍କୁ ପୋଷ୍ୟଭାବେ ଗ୍ରହଣ କରି ସେମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବାକୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe