ଚେନ୍ନାଇରେ ପହଞ୍ଚିଲେ ରାହାଣେ, ରୋହିତ; ଦ୍ବିତୀୟ ଦଫା ଇଂଲଣ୍ଡ ଦଳ ବି ପହଞ୍ଚିଲା

ହୋଟେଲ ପ୍ରବେଶ ପୂର୍ବରୁ କୋଭିଡ୍ ପରୀକ୍ଷା

ଚେନ୍ନାଇରେ ପହଞ୍ଚିଲେ ରାହାଣେ, ରୋହିତ; ଦ୍ବିତୀୟ ଦଫା ଇଂଲଣ୍ଡ ଦଳ ବି ପହଞ୍ଚିଲା

ଚେନ୍ନାଇ: ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ସହ ଦ୍ରୁତ ବୋଲର ସାର୍ଦୁଳ ଠାକୁର ମଙ୍ଗଳବାର ଚେନ୍ନାଇରେ ପହଞ୍ଚିଛନ୍ତି। ରାହାଣେ, ରୋହିତ ଏବଂ ସାର୍ଦୁଳ ମୁମ୍ବାଇରୁ ବିମାନ ଧରି ଏଠାରେ ପହଞ୍ଚିବା ପରେ ସିଧାସଳଖ ହୋ‌ଟେଲ୍‌କୁ ଯାଇଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି ବୁଧବାର ପହଞ୍ଚିଥିବା ଜଣାପଡ଼ିଛି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ସେମାନେ ଅନ୍ୟ ଭାରତୀୟ ଏବଂ ଇଂଲଣ୍ଡ ଖେଳାଳିଙ୍କ ସହ ସଙ୍ଗରୋଧରେ ରହିବେ। ପ୍ରଥମ ଦଫାରେ ଆସିଥିବା‌ ଇଂଲଣ୍ଡ ଦଳର ଖେଳାଳି ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଓ ମୋଇନ ଅଲ୍ଲୀଙ୍କ ସଙ୍ଗରୋଧ ଆରମ୍ଭ ହୋଇସାରିଛି। ଉଭୟ ଦଳର ଖେଳାଳିଙ୍କ ସଙ୍ଗରୋଧ ଅବଧି ୬ ଦିନ ହେବ ଏବଂ ଫେବ୍ରୁଆରି ୨ରୁ ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଦୁଇଟି ଯାକ ଦଳର ଖେଳାଳି ସ୍ଥାନୀୟ ହୋଟେଲ ଲିଲାରେ ରହୁଥିବା‌ ବିସିସିଆଇ ସୂଚନା ଦେଇଛି।

ହୋଟେଲ ପ୍ରବେଶ ପୂର୍ବରୁ କୋଭିଡ୍ ପରୀକ୍ଷା
ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଧରି ଯେଉଁ ଭାରତୀୟ ଖେଳାଳିମାନେ ଚେନ୍ନାଇ ପହଞ୍ଚିଛନ୍ତି, ଦଳୀୟ ହୋଟେଲରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଛି। ନେଗେଟିଭ୍ ରିପୋର୍ଟ ଆସିଥିବା ଖେଳାଳିଙ୍କୁ ହିଁ ହୋଟେଲ‌୍‌ର ଜୈବ ବଳୟ ଭିତରକୁ ପ୍ରବେଶ ଅନୁମତି ମିଳିବ ବୋଲି ଦଳୀୟ ଡାକ୍ତର ଅଭିଜିତ ସାଲଭି କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଲାଗି ଦୁବାଇରେ ଦଳୀୟ ଜୈବ ବଳୟରେ ପ୍ରବେଶ କରିବା ପରଠାରୁ ଭାରତୀୟ ଖେଳାଳିଙ୍କର ୧୫ ଥର କୋଭିଡ୍ ପରୀକ୍ଷା ହୋଇସାରିଲାଣି। ସେହିଭଳି ଆଇପିଏଲ୍ ପାଇଁ ୟୁଏଇ ଯିବାପରଠାରୁ ପରୀକ୍ଷା ସଂଖ୍ୟା ୩୦ ଛୁଇଁଲାଣି।

ଦ୍ବିତୀୟ ଦଫା ଇଂଲଣ୍ଡ ଦଳ ବି ପହଞ୍ଚିଲା
କିଛି ଦିନ ପୂର୍ବେ ଇଂଲଣ୍ଡ ଖେଳାଳି ଏବଂ ଅଧିକାରୀଙ୍କ ୧୫ ଜଣିଆ ଦଳ ସିଧାସଳଖ ଚେନ୍ନାଇ ପହଞ୍ଚିଥିଲା। ଶ୍ରୀଲଙ୍କାରେ ଟେଷ୍ଟ୍ ଶୃଙ୍ଖଳା ମୂଳପୋଛ କରି ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ବଳକା ଇଂଲଣ୍ଡ ଖେଳାଳିମାନେ ମଧ୍ୟ ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ରୁଟ୍ ଏବଂ ତାଙ୍କ ଦଳ ଆଜି ଦିନ ୧୦ଟା ୩୦ରେ ଏଠାରେ ପହଞ୍ଚିବା ପରେ ସିଧାସଳଖ ହୋଟେଲକୁ ଯାଇଥିଲେ। ଭାରତୀୟ ଖେଳାଳିଙ୍କ ଭଳି ସେମାନେ ମଧ୍ୟ ୬ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe