ବିରାଟ-ରୋହିତ ବିବାଦକୁ ନେଇ ମୁହଁ ଖୋଲିଲେ ଅରୁଣ

India Today

ମୁମ୍ବାଇ: ବିଶ୍ବକପ୍‌ ବେଳେ ଭାରତୀୟ ଦଳ ଶିବିରରେ ବାତାବରଣ ସୁସ୍ଥ ନଥିଲା। ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଯାହାକି ଭାରତୀୟ ଦଳକୁ କ୍ଷତିଗ୍ରସ୍ତ କରିଥିଲା ବୋ‌ଲି ଅଭିଯୋଗ ଉଠିଥିଲା। ବିଶ୍ବକପ୍‌ ବେଳେ କୋହଲି ଓ ରୋହିତଙ୍କ ପାଇଁ ଦୁଇଟି ଭିନ୍ନ ଗୋଷ୍ଠୀ ସୃଷ୍ଟି ହୋଇଥିଲା। ଏପରିକି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ତାଙ୍କ ସହକାରୀଙ୍କ କାର୍ଯ୍ୟ ଶୈଳୀ ଉପରେ କେତେକ ବରିଷ୍ଠ ‌ଖେଳାଳି ଆଦୌ ସନ୍ତୁଷ୍ଟ ନଥିଲେ। ଶାସ୍ତ୍ରୀଙ୍କୁ କୋହଲି ସମର୍ଥନ କରୁଥିବାରୁ ଖେଳାଳିଙ୍କ ମଧ୍ୟରେ ଦୁଇ ଗୋଷ୍ଠୀ ହେବା ଅଭିଯୋଗ ଉଠିଥିଲା। ବିଶେଷକରି ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ୧୮ ରନ୍‌ର ପରାଜୟ ପରେ ଏଭଳି ଅଭିଯୋଗ ରିପୋର୍ଟ ପଦାକୁ ଆସିଥିଲା। ତେବେ ଏଭଳି ଘଟଣାରେ ଦଳର ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ମୁହଁ ଖୋଲିଛନ୍ତି। ବିଶ୍ବକପ୍‌ ବେଳେ ହାତଗଣତି କିଛି ଖେଳାଳି ଏକତ୍ରିତ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ଏହା ହିଁ ବିବାଦ ସଂପର୍କରେ କଳ୍ପନାଜଳ୍ପନାକୁ ଖୋରାକ ଯୋଗାଉଥିଲା। ଅବଶ୍ୟ ଦଳ ମଧ୍ୟରେ କେତେକ ବାଦବିବାଦ ଲାଗି ରହିଥିଲା। ମାତ୍ର ଏବେ ସବୁ ସମାଧାନ ହୋଇଯାଇଛି ବୋଲି ଅରୁଣ କହିଛନ୍ତି। ଆମେ ସବୁ କଥାରେ ହଁ କରିବୁ ବୋଲି କିଛି ମାନେ ନାହିଁ। ଦଳୀୟ ସନ୍ତୁଳନ ଓ ରଣ କୌଶଳ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆମେ ଯୁକ୍ତିତର୍କ ଓ ଆଲୋଚନା କରୁଥିଲୁ। ପ୍ରତ୍ୟେକ ନିଜ ନିଜର ମତ ସାବ୍ୟସ୍ତ କରୁଥିଲେ। ହେଲେ ଶେଷରେ ଜଣେ ଅନ୍ୟ ଜଣଙ୍କ ମତକୁ ସମ୍ମାନ ଜଣାଉଥିଲା ବେଳେ ମିଳିତ ନିଷ୍ପତ୍ତି ନିଆଯାଉଥିଲା ବୋଲି ଅରୁଣ କହିଛନ୍ତି। ହେଲେ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକଙ୍କ ମିଶ୍ର ମନ୍ତବ୍ୟ ଦଳ ମଧ୍ୟରେ ସୁସ୍ଥ ବାତାବରଣ ଥିଲା ଭଳି ମନେ ହୁଏନି। କୋହଲି ଓ ରୋହିତଙ୍କ ପାଇଁ ଦଳରେ ଗୋଷ୍ଠୀ ବିବାଦ ଉପୁଜିଥିବା ଏବଂ ଏହା ଏତେ ଶୀଘ୍ର ଥମିବନି ବୋଲି ଅନ୍ୟ ଏକ ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe