ଭୁବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂସ ପଡ଼ିଆରେ ଚାଲିଥିବା ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚ୍ରେ ପାରାମାଉଣ୍ଟ ଷ୍ଟ୍ରାଇକର୍ସ ସହଜ ବିଜୟ ହାସଲ କରିଛି। ଏହି ଦଳ ୯ ୱିକେଟ୍ରେ ରାଇଜିଂ ଷ୍ଟୁଡେଣ୍ଟ୍ସକୁ ପରାସ୍ତ କରିଥିଲା। ଟସ୍ ଜିତି ବ୍ୟାଟିଂ ନେଇଥିବା ରାଇଜିଂ ଷ୍ଟୁଡେଣ୍ଟ୍ସ ୨୭.୨ ଓଭରରେ ୬୨ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। କେବଳ ବୈଷ୍ଣବ ବେହେରା (୪୩) ଦୁଇ ଅଙ୍କ ଛୁଇଁଥିଲେ। ପାରାମାଉଣ୍ଟର ସୟଦ ତୁଫୈଲ ଅହମ୍ମଦ ୩ ଏବଂ ବିଦ୍ୟାଧର ବେହେରା, ନୈବ ସର୍ବର ଓ ଦୁର୍ଗା ପି ମଲ୍ଲିକ ୨ ୱିକେଟ୍ ଲେଖାଏଁ ନେଇଥିଲେ। ଜବାବରେ ସିଦ୍ଧାର୍ଥ ବେହେରାଙ୍କ ଅପରାଜିତ ୪୨ ରନ୍ ବଳରେ ପାରାମାଉଣ୍ଟ ଦଳ ୧୪ ଓଭରରେ ୧ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ସୟଦ ତୁଫୈଲ ଅହମ୍ମଦ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ରୁଦ୍ର ମଲ୍ଲିକ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ରଣଜୀ ଖେଳାଳି ଦେବାଶିଷ ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରଦୀପ ଜେନା ଓ ଲୁଲୁ ମହାପାତ୍ର ମ୍ୟାଚ୍ ପରିଚାଳନା କରିଥିଲେ।
ଅରବିନ୍ଦ ସ୍ମାରକୀ କ୍ରିକେଟ୍: ପାରାମାଉଣ୍ଟ ଷ୍ଟ୍ରାଇକର୍ସ ବିଜୟୀ
Advertisment
Follow Us