ଆଡିଲେଡ୍: ଆଡିଲେଡ୍ ଓଭାଲ୍ରେ ଚାଲିଥିବା ଦ୍ବିତୀୟ ଆସେସ୍ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ବିଜୟ ମୁହାଁ ହୋଇଛି। ଇଂଲଣ୍ଡ ସମ୍ମୁଖରେ ୪୬୮ ରନ୍ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚତୁର୍ଥ ଦିନ ଖେଳ ବନ୍ଦ ବେଳକୁ ଭ୍ରମଣକାରୀ ଇଂଲଣ୍ଡ ୮୨ ରନ୍ରେ ୪ ୱିକେଟ୍ ହରାଇ ଦେଇଥିବାରୁ ଆଉ ଏକ ପରାଜୟ ସହ ଶୃଙ୍ଖଳାରେ ୦-୨ରେ ପଛରେ ପଡ଼ିଯିବା ଆଶଙ୍କା ବଢ଼ିଯାଇଛି। ରବିବାର ଅଷ୍ଟ୍ରେଲିଆ ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୪୫/୧ରୁ ଖେଳିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୩୦/୯ରେ ଘୋଷଣା କରି ଦେଇଥିଲା। ମାର୍ନସ ଲବୁସେନ୍ (୫୧, ୯୬ ବଲ୍) ଏବଂ ଟ୍ରାଭିସ୍ ହେଡ୍ (୫୧, ୫୪ ବଲ୍) କେବଳ ଅର୍ଦ୍ଧଶତକ ହାସଲ କରିଥିଲେ। କାମେରନ୍ ଗ୍ରିନ୍ (୪୩ ବଲ୍ରୁ ୩୩* ରନ୍) ବିନା ବାଉଣ୍ଡରିରେ ଦ୍ରୁତ ଖେଳିଥିଲେ। ଇଂଲଣ୍ଡ ପକ୍ଷରୁ ରବିନ୍ସନ୍, ରୁଟ୍ ଓ ମଲାନ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଏହା ପରେ ୪୬୮ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିବା ଇଂଲଣ୍ଡ୍ କିନ୍ତୁ ଭଲରେ ଲଢ଼ିପାରିନାହିଁ। ହସିବ୍ ହମିଦ୍ (୦), ଦାୱିଦ ମଲାନ (୨୦), ରୋରି ବର୍ଣ୍ଣସ (୩୪)ଙ୍କ ସହ ଚତୁର୍ଥ ରାତିର ଶେଷ ବଲ୍ରେ ଜୋ ରୁଟ୍ (୨୪) ଆଉଟ୍ ହୋଇଯିବାରୁ ଇଂଲଣ୍ଡ ଏହି ମ୍ୟାଚ୍କୁ ବଞ୍ଚାଇବା ଆଶା ମଉଲିଯାଇଛି।
ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୭୩/୯, ଘୋଷିତ (ମାର୍ନସ ଲାବୁସେନ୍-୧୦୩, ଡେଭିଡ୍ ୱାର୍ଣ୍ଣର-୯୫, ଷ୍ଟିଭେନ୍ ସ୍ମିଥ୍-୯୩, ଆଲେକ୍ସ କ୍ୟାରି-୫୧, ବେନ୍ ଷ୍ଟୋକ୍ସ-୩/୧୧୩, ଜେମ୍ସ ଆଣ୍ଡରସନ୍-୨/୫୮)। ଇଂଲଣ୍ଡ ପ୍ରଥମ ପାଳି: ୨୩୬ (ଦାୱିଦ ମଲାନ-୮୦, ଜୋ ରୁଟ୍-୬୨, ମିଚେଲ ଷ୍ଟାର୍କ-୪/୩୭, ନାଥନ୍ ଲାୟନ୍-୩/୫୮, କାମେରନ୍ ଗ୍ରିନ୍-୨/୨୪)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୬୧ ଓଭରରେ ୨୩୦/୯, ଘୋଷଣା (ମାର୍ନସ ଲାବୁସେନ୍-୫୧, ଟ୍ରାଭିସ୍ ହେଡ୍-୫୧, କାମେରନ୍ ଗ୍ରିନ୍-୩୩*, ମାର୍ନସ ହାରିସ୍-୨୩, ଜୋ ରୁଟ୍-୨/୨୭, ଦାୱିଦ ମଲାନ-୨/୩୩, ଓଲି ରବିନସନ୍-୨/୫୪)। ଇଂଲଣ୍ଡ ଦ୍ବିତୀୟ ପାଳି: ୪୩.୨ ଓଭରରେ ୮୨/୪ (ରୋରି ବର୍ଣ୍ଣସ-୩୪, ଜୋ ରୁଟ୍-୨୪, ଦାୱିଦ ମଲାନ-୨୦, ବେନ୍ ଷ୍ଟୋକ୍ସ-୩*, ଝାଏ ରିଚାର୍ଡସନ୍-୨/୧୭, ମାଇକେଲ୍ ନେସର୍-୧/୭, ମିଚେଲ୍ ଷ୍ଟାର୍କ-୨୧)।
ଷ୍ଟାର୍କଙ୍କ ପିଙ୍କ୍ ବଲ୍ କୃତିତ୍ବ
ଚଳିତ ଦ୍ବିତୀୟ ଆସେସ୍ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏକ ବଡ଼ କୃତିତ୍ବ ଅର୍ଜନ କରିଛନ୍ତି। ପିଙ୍କ୍ ବଲ୍ ଟେଷ୍ଟ୍ରେ ୫୦ ୱିକେଟ୍ ଅତିକ୍ରମ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ୩୧ ବର୍ଷୀୟ ଷ୍ଟାର୍କ ଇଂଲଣ୍ଡର ପ୍ରଥମ ପାଳିରେ ୪ ୱିକେଟ୍ (ବର୍ଣ୍ଣସ, ମଲାନ, ବଟଲର୍, ବ୍ରଡ୍) ନେଇ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ରବିବାର ଦ୍ବିତୀୟ ପାଳିରେ ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ୫୧ତମ ଶିକାର କରିଛନ୍ତି। ପିଙ୍କ ବଲ୍ ଟେଷ୍ଟ୍ର ଶୀର୍ଷ ୪ ଅଗ୍ରଣୀ ବୋଲର ବାସ୍ତବରେ ଅଷ୍ଟ୍ରେଲୀୟ। ସେମାନେ ହେଲେ-ମିଚେଲ ଷ୍ଟାର୍କ (୫୧, ୯* ମ୍ୟାଚ୍), ଜୋସ୍ ହାଜେଲଉଡ୍ (୩୨, ୭ ମ୍ୟାଚ୍), ନାଥନ୍ ଲାୟନ୍ (୩୨, ୯* ମ୍ୟାଚ୍), ପ୍ୟାଟ୍ କମିନ୍ସ (୨୬, ୫ ମ୍ୟାଚ୍)।
Follow Us