ଆଶୀର୍ବାଦଙ୍କ ‘ଇନ୍‌ଡୋର’ ଅଭ୍ୟାସ, ୧୯ ବର୍ଷରୁ କମ୍ ବିଶ୍ବକପ୍ ଖେଳିବା ଲକ୍ଷ୍ୟ

Advertisment
ଆଶୀର୍ବାଦଙ୍କ ‘ଇନ୍‌ଡୋର’ ଅଭ୍ୟାସ, ୧୯ ବର୍ଷରୁ କମ୍ ବିଶ୍ବକପ୍ ଖେଳିବା ଲକ୍ଷ୍ୟ

ଭୁବନେଶ୍ବର(ଦେବାଶିଷ ସୁନ୍ଦରାୟ): ପିତା ଶକ୍ତିଉତ୍ତୋଳନ ସହ ସଂପୃକ୍ତ ଥିଲେ। ସେ କିନ୍ତୁ ପିଲାଟି ବେଳୁ କ୍ରିକେଟ୍ ଆଡ଼କୁ ଢଳିଥିଲେ। ମାତ୍ର ୬ ବର୍ଷ ବୟସର ହୋଇଥିଲା ବେଳେ ଭାରତୀୟ କ୍ରିକେଟ୍ ଦଳର ୨୦୧୧ ମସିହା ବିଶ୍ବକପ୍ ବିଜୟରେ ଅନୁପ୍ରେରିତ ହୋଇ ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାଇ ଯାଇଥିଲେ। ସଚିନ ତେନ୍ଦୁଲକରଙ୍କ ବିଷୟରେ ଶୁଣି ଶୁଣି ବଡ଼ ହୋଇଥିବାରୁ ଏହି ମହାନ ଖେଳାଳିଙ୍କ ପଦାଙ୍କ ଅନୁସରଣ କରିବାକୁ କୁନି ବୟସରୁ ହିଁ ନିଷ୍ପତ୍ତି ନେଇ ଯାଇଥିଲେ ସେ। ତାଙ୍କ କଠିନ ପରିଶ୍ରମ, ଏକାଗ୍ରତା ଓ ନିଂରନ୍ତର ଅଧ୍ୟବସାୟ ପାଇଁ ଖୁବଶୀଘ୍ର କନିଷ୍ଠସ୍ତରୀୟ ଅନ୍ତଃଜିଲ୍ଲା କ୍ରିକେଟ୍ ଖେଳିବାର ସୁଯୋଗ ପାଇଥିଲେ। ବିଭିନ୍ନ କ୍ଲବ୍‌ସ୍ତରୀୟ ବୟସ ବର୍ଗ ପ୍ରତିଯୋଗିତାରେ ଆଖିଦୃଶିଆ ପ୍ରଦର୍ଶନ କରିବା ପରେ ଓଡ଼ିଶା ୧୬ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲେ। ଦୁଇ ବର୍ଷ କ୍ୟାମ୍ପ ଯିବା ପରେ ତୃତୀୟ ବର୍ଷ ତାଙ୍କୁ ରାଜ୍ୟ ଦଳ ଲାଗି ବଛା ଯାଇଥିଲା। ୨୦୧୯-୨୦ ଋତୁରେ ଗୋଟିଏ ମ୍ୟାଚ୍‌ରେ ଓଡ଼ିଶା ଦଳର ଅଧିନାୟକ ଦାୟିତ୍ବ ତୁଲାଇବାର ମଧ୍ୟ ସୌଭାଗ୍ୟ ଲାଭ କରିଥିଲେ। ଓଡ଼ିଶା କ୍ରିକେଟ୍‌ର ଏହି ଉଦୀୟମାନ ତଥା ପ୍ରତିଭାଶାଳୀ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ରାଉରକେଲାର ଆଶୀର୍ବାଦ ସ୍ବାଇଁ। ଆଶୀର୍ବାଦ କେବଳ ଓଡ଼ିଶା ୧୬ ବର୍ଷରୁ କମ୍ ଦଳର ଅଭିନ୍ନ ଅଙ୍ଗ ପାଲଟି ନାହାନ୍ତି, ସେ ମଧ୍ୟ ପୂର୍ବାଞ୍ଚଳ ୧୬ ବର୍ଷରୁ କମ୍ ଦଳ‌ ପାଇଁ ମନୋନୀତ ହୋଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତଥା ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନିଜ ଆଦର୍ଶ କରିଥିବା ଆଶୀର୍ବାଦ ଆଗକୁ ଅନ୍ୟ ବୟସବର୍ଗ କ୍ରିକେଟ୍ ସହ ଓଡ଼ିଶା ରଣଜୀ ଦଳର ପ୍ରତିନିଧିତ୍ବ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଶୀର୍ବାଦ ୧୯ ବର୍ଷରୁ କମ୍ ବିଶ୍ବକପ୍ ଖେଳିବାର ସ୍ବପ୍ନ ଦେଖୁଛନ୍ତି। ଏହାକୁ ସାକାର କରିବା ଲାଗି ଦିନ ରାତି ପରିଶ୍ରମ କରୁଛନ୍ତି। ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ରାଉରକେଲାର ଅନ୍ୟତମ ତାରକା ଖେଳାଳି ଗୋବିନ୍ଦ ପୋଦ୍ଦାରଙ୍କଠାରୁ ଏଥିପାଇଁ ଅନେକ ସମୟରେ ପରାମର୍ଶ ଓ ମାର୍ଗଦର୍ଶନ ନେଉଛନ୍ତି। କରୋନା ପାଇଁ ସଂପ୍ରତି ଗୃହାବଦ୍ଧରେ ଥିବାରୁ ଆଉଟ୍ ଡୋର ଅଭ୍ୟାସ କରିବାରୁ ବଞ୍ଚିତ ହେଉଛନ୍ତି ଆଶୀର୍ବାଦ। ତେବେ ଘର ଭିତରେ ହ୍ୟାଙ୍ଗିଙ୍ଗ୍ ବଲ୍ ସହ କିଛି ଶାରୀରିକ ଅଭ୍ୟାସ କରିବାକୁ ଭୁଲୁ ନାହାନ୍ତି। ଘରର ସୀମା ଭିତରେ ଯେତିକି ଓ ‌ ଯେଉଁପ୍ରକାର ଅଭ୍ୟାସ କରିହେବ, ସେସବୁ କରୁଛନ୍ତି। ଅବଶ୍ୟ କ୍ରିକେଟ୍ ଏକ ଆଉଟ୍ ଡୋର ଗେମ୍ ହୋଇଥିବାରୁ ନେଟ୍ସ, ରନିଂ ଏବଂ ଆଉ କେତେକ ଜରୁରୀ ଅଭ୍ୟାସ କରିପାରୁନାହାନ୍ତି। ସେଥିପାଇଁ କରୋନା ଆତଙ୍କ ଯେତେ ଶୀଘ୍ର ଦୂର ହେବ ସେତେ ଭଲ ବୋଲି କହିଛନ୍ତି ସେ। ସେହିଭଳି ନିଜେ ସତର୍କ ଓ ସୁରକ୍ଷିତ ରହିବା ସହ ଓଡ଼ିଶାବାସୀଙ୍କୁ ଘରେ ରହିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଆହ୍ବାନ କରିଛନ୍ତି ଆଶୀର୍ବାଦ।

୧୯ ବର୍ଷରୁ କମ୍ ବିଶ୍ବକପ୍ ଖେଳିବା ଲକ୍ଷ୍ୟ
ପୂର୍ବତନ କ୍ରୀଡ଼ାବିତ୍ ତଥା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀ ବିକ୍ରମ ସ୍ବାଇଁ ଓ ଲିଲି ସ୍ବାଇଁଙ୍କ ଏକମାତ୍ର ସନ୍ତାନ ଆଶୀର୍ବାଦ ୨୦୦୫ ମସିହା ମାର୍ଚ ୩ରେ ଜନ୍ମଗ୍ରହଣ କରିଥିଲେ। ୧୬ ବର୍ଷୀୟ ଆଶୀର୍ବାଦ ଏବେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଖେଳିବାକୁ ଜୀବନର ଅନ୍ୟତମ ବଡ଼ ଲକ୍ଷ୍ୟ କରିଛନ୍ତି। ତା’ ସହ ଓଡ଼ିଶା ରଣଜୀ ଦଳର ନିୟମିତ ସଦସ୍ୟ ହେବାକୁ ଆଶା ରଖିଛନ୍ତି। ତାଙ୍କ କ୍ରିକେଟ୍ ଜୀବନ ରାଉରକେଲାର ଇସ୍ପାତ ଷ୍ଟାଡିୟମରୁ ଆରମ୍ଭ ହେଉଥିଲା। ସେଠାକୁ ତାଙ୍କୁ ପିତା ବିକ୍ରମ ହିଁ ନେଇଥିଲେ। ଏହା ପରେ ସେ ପ୍ରଥମେ ରାଉରକେଲାର ଅନ୍ୟତମ ପ୍ରତିଷ୍ଠିତ ସଂଗଠନ ‘ରାଉରକେଲା ଜିମଖାନ୍ନା କ୍ଲବ୍‌’ରୁ ଖେଳିବା ଆରମ୍ଭ କରିଥିଲେ। ଆଶିଷ ଜେନାଙ୍କଠାରୁ ପ୍ରଥମ ପ୍ରଶିକ୍ଷଣ ନେଇଥିଲେ। ସେହିଭଳି ରାମଲିଙ୍ଗମ୍ ଶ୍ରୀକାନ୍ତ ତାଙ୍କ ୱିକେଟ୍ ରକ୍ଷଣ କଳାକୁ ଆହୁରି ଉନ୍ନତ ଓ ଶାଣିତ କରିବାରେ ଢେର ସହଯୋଗ କରିଥିଲେ। ଗତବର୍ଷର ଓଡ଼ିଶା-ବେଙ୍ଗଲ ୧୬ ବର୍ଷରୁ କମ୍ ବିଜୟ ମର୍ଚାଣ୍ଟ ଟ୍ରଫି ମ୍ୟାଚ୍‌ରେ ଶରତ ସିଂହଙ୍କ ସ୍ଥାନରେ ଆଶୀର୍ବାଦ ଅଧିନାୟକତ୍ବ କରିଥିଲେ। ନିଜ ଭବିଷ୍ୟତ ଯୋଜନା ବିଷୟରେ ସୂଚନା ଦେବାକୁ ଯାଇ ଆଶୀର୍ବାଦ ‘ସମ୍ବାଦ’କୁ କହିଛନ୍ତି ଯେ ଏବେ ତ ମୁଁ ପୁର୍ବାଞ୍ଚଳ ଦଳ ପାଇଁ ମନୋନୀତ ହୋଇଛି। ଏହାର କ୍ୟାମ୍ପ ଚଳିତ ମାସ ୧୨ ତାରିଖରୁ ଭୁବନେଶ୍ବରରେ ହେବାର ଥିଲା। ହେଲେ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ମୁଁ ଜାତୀୟ କ୍ରିକେଟ୍ ଏକାଡେମିରେ ଯୋଗ ଦେବାକୁ ମଧ୍ୟ ଚାହିଁଛି। ସେହିଭଳି ୧୯ ବର୍ଷରୁ କମ୍ ବିଶ୍ବକପ୍ ଖେଳି ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛି। ମୁଁ ଏବେ ଗୋଟିଏ ପରେ ଗୋଟିଏ ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛି। ଏକାଥରକେ ସବୁ ଭାବିଲେ, ଚାପ ବଢ଼ିଯିବ। ଆମେ ବାହାରେ ଖେଳିବା ପିଲା। ଘର ଭିତରେ ଅଭ୍ୟାସ କରିବା ସେତେଟା ସହଜ ନୁହେଁ।

ପିତା ଶକ୍ତିଉତ୍ତୋଳକ
ଆଶୀର୍ବାଦଙ୍କ ପିତା ବିକ୍ରମ ସ୍ବାଇଁ ହେଉଛନ୍ତି ଭଞ୍ଜନଗର ଦୋଡ଼ଗାଁ ଅଞ୍ଚଳର ମୂଳ ବାସିନ୍ଦା। ହେଲେ ଦୁଇ ପିଢ଼ି ହେବ ତାଙ୍କ ପରିବାର ରାଉରକେଲାରେ ରହି ଆସୁଛନ୍ତି। ସଂପ୍ରତି ରାଉରକେଲାର ସେକ୍ଟର ୭ରେ ରହୁଥିବା ବିକ୍ରମ ନିଜ ପିତାଙ୍କ ଭଳି ଆରଏସ୍‌ପିରେ କାର୍ଯ୍ୟ କରୁଛନ୍ତି। ନିଜ ଯୁବାବସ୍ଥାରେ ସେ ଜଣେ ଭାରୋତ୍ତୋଳକ ଓ ଶକ୍ତିଉତ୍ତୋଳକ ଥିଲେ। କେତେକ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମଧ୍ୟ ଖେଳିଥିଲେ। ୨୦୧୦ ମସିହାରେ ଭାରତୀୟ ଶକ୍ତିଉତ୍ତୋଳନର ପ୍ରଶିକ୍ଷକ ଭାବେ ଚେକ୍ ରିପବ୍ଲିକ୍ ଗସ୍ତ କରିଥିଲେ। ସେ ମଧ୍ୟ ଏବେ ପାନପୋଷ୍ କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଛନ୍ତି। ତାଙ୍କ ଭଳି ପୁଅ ଆଶୀର୍ବାଦ କ୍ରୀଡ଼ାବିତ୍ ହେବାକୁ ଆଗ୍ରହ ପ୍ରକାଶ କରିଥିବାରୁ ବିକ୍ରମ ବହୁତ ଖୁସି ଅଛନ୍ତି। କରୋନା ପାଇଁ ସରକାର ଜାରି କରିଥିବା ନିର୍ଦେଶାବଳୀ ମାନିବା ସହ ନିଜର ଓ ନିଜ ଦେଶ ତଥା ରାଜ୍ୟର ହିତ ପାଇଁ ଘରେ ରହିବାକୁ ସେ ମଧ୍ୟ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe