ବିଜୟ ସୁଯୋଗ ହାତଛଡ଼ା କରିବା ପରେ ଅଶ୍ବିନଙ୍କୁ ଆକଟ କରିଥିଲେ ଧୋନି

ବିଜୟ ସୁଯୋଗ ହାତଛଡ଼ା କରିବା ପରେ ଅଶ୍ବିନଙ୍କୁ ଆକଟ କରିଥିଲେ ଧୋନି

ମୁମ୍ବାଇ : ଶେଷ ବଲ୍‌ରୁ ବିଜୟ ପାଇଁ ଦୁଇ ରନ୍‌ ଦରକାର ଥିଲା। ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ସହ ବରୁଣ ଆରୋନ ବ୍ୟାଟିଂ କରୁଥିଲେ। ଅଶ୍ବିନ ପୂର୍ବ ବଲ୍‌କୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ଅନେକଙ୍କୁ ବିସ୍ମିତ କରିଥିଲା। ହେଲେ ଶେଷ ବଲ୍‌ରୁ ଆବଶ୍ୟକ ଦୁଇ ରନ୍ ଚୋରାଇ ନେବେ ବୋଲି ସମ୍ଭବତଃ ତାଙ୍କର ଦୃଢ଼ ଆତ୍ମବିଶ୍ବାସ ଥିଲା। ହେଲେ ଦୁର୍ଭାଗ୍ୟଜନକ ଭାବେ ଏହା ହୋଇପାରିନଥିଲା। ସିଙ୍ଗଲ ପୂରଣ କରି ଦ୍ବିତୀୟ ରନ୍ ନେବାକୁ ଚେଷ୍ଟା କରୁଥିଲା ବେଳେ ଅଶ୍ବିନ ରନ୍ ଆଉଟ୍ ହୋଇଯାଇଥିଲେ। ସ୍କୋର ବରାବର ରହିବା ସହ ୱେଷ୍ଟଇଣ୍ଡିଜ୍ ଏକ ଅପ୍ରତ୍ୟାଶିତ ଡ୍ର' ପାଇଯାଇଥିଲା। ଫଳରେ ୦-୩ରେ ମୂଳପୋଛ ହେବାରୁ ବର୍ତ୍ତୀ ଯାଇଥିଲା। ସେହି ରୋମାଞ୍ଚକର କ୍ଷଣକୁ ‌ମନେ ପକାଇ ଅଶ୍ବିନ କହିଛନ୍ତି ଯେ ପ୍ରଥମ ପାଳିରେ ମୁଁ ଶତକ କରିଥିଲି। ଦ୍ବିତୀୟରେ ବି ଭଲ ବ୍ୟାଟିଂ କରୁଥିଲି। ଆମେ ହଠାତ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲୁ ଏବଂ ମୋତେ ଲାଞ୍ଜ ସହ ବ୍ୟାଟିଂ କରିବାକୁ ପଡ଼ିଥିଲା। ଏହା ମଜାଦାର ଥିଲା, ହେଲେ ଶେଷ ଦୁଇ ବ୍ୟାଟ୍ସମ୍ୟାନ୍ ଫିଡେଲ ଏଡୱାର୍ଡସଙ୍କ ସୁଇଂ ହେଉଥିବା ବଲ୍‌କୁ ସମ୍ମୁଖୀନ ହୋଇପାରିବେନାହିଁ ବୋଲି ଭାବିଥିଲି। ସେଥିପାଇଁ ଶେଷ ଓଭରର ପଞ୍ଚମ ବଲ୍‌ରୁ ରନ୍ ନେଇନଥିଲି। ଶେଷ ବଲ୍‌ରେ କିନ୍ତୁ ଆମେ କେବଳ ଗୋଟିଏ ରନ୍ କରିପାରିଥିଲୁ। ମ୍ୟାଚ୍ ପରେ ଧୋନି ମୋତେ କହିଥିଲେ ଯେ ତୁମେ ପଞ୍ଚମ ବଲ୍‌ରେ ସିଙ୍ଗଲ ନେଇ ବରୁଣ ଆରୋନଙ୍କୁ ଛାଡ଼ିଥିଲେ ସେ ହୁଏତ ବଡ଼ ସଟ୍ ଖେଳି ପାରିଥାଆନ୍ତା। ହେଲେ ମୁଁ ଏଭଳି କରି ନଥିବାରୁ ଭଲ ଲାଗି ନଥିଲା।

ମୁମ୍ବାଇର ସେହି ନାଟକୀୟ ମ୍ୟାଚ୍‌
୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଜିତି ଭାରତ ମୁମ୍ବାଇରେ ତୃତୀୟ ଟେଷ୍ଟ୍ ଖେଳିବାକୁ ଯାଇଥିଲା। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରିଥିଲା। ପ୍ରଥମ ପାଳିରେ ଏହି ଦଳ ୫୯୦ ରନ୍‌ର ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ୪୮୨ ରନ୍ କରି ୧୦୮ ରନ୍‌ରେ ପଛୁଆ ରହିଥିଲା। ଦ୍ବିତୀୟ ପାଳିରେ କିନ୍ତୁ ଇଣ୍ଡିଜ୍ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୧୩୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ୬ ଓ ଆର ଅଶ୍ବିନ ୪ ୱିକେଟ୍ ନେଇ ଇଣ୍ଡିଜ୍‌କୁ ଘାଇଲା କରିଦେଇଥି‌ଲେ। ଏଥିପାଇଁ ଭାରତକୁ ଶେଷ ଦିବସରେ ୬୪ ଓଭରରୁ ୨୪୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ମ୍ୟାଚ୍ ଅମୀମାଂସିତ ରହିବ ବୋଲି ଆଶା କରାଯାଉଥିଲା। ତେବେ ବୀରେନ୍ଦ୍ର ସେହବାଗ (୬୦) ଓ ବିରାଟ କୋହଲି (୬୩)ଙ୍କ ଅର୍ଧଶତକ ପାଇଁ ଭାରତ ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ତେବେ ଏହା ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦିଗ ହରାଇ ବସିଥିଲା। ଅଶ୍ବିନଙ୍କ ପାଖରେ ଭାରତକୁ ବିଜୟୀ କରାଇବାର ସୁଯୋଗ ଥିଲେ ମଧ୍ୟ ସେ କରିପାରିନଥିଲେ। ଫଳରେ ଭାରତ ୯ ୱିକେଟ୍ ବିନିମୟରେ ୨୪୨ ରନ୍ କରିବା ସହ ଟେଷ୍ଟ ଇତିହାସରେ ମାତ୍ର ଦ୍ବିତୀୟ ଥର ପାଇଁ କୌଣସି ମ୍ୟାଚ୍ ଟାଇ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe