The Indian Express
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୭ ଟି-୨୦ ବିଶ୍ୱକପ୍ କ୍ରିକେଟ୍ପ୍ରେମୀଙ୍କ ମନରୁ ଲିଭିନଥିବ। କାରଣ ଏହି ବିଶ୍ବକପ୍ରୁ କ୍ରିକେଟ୍ର ସବୁଠାରୁ କ୍ଷୁଦ୍ର ଫର୍ମାଟ୍ ତିଷ୍ଟି ରହିବାର ବାଟ ଫିଟି ଥିଲା। ଏହି ପ୍ରତିଯୋଗିତାରେ ଭାରତୀୟ ମଧ୍ୟମକ୍ରମ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରର ୬ ବଲ୍ରେ ୬ ଛକା ମାରିଥିଲେ। ଯାହାକୁ ଏବେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମନେ ପକାଇଛନ୍ତି।
୨୦୦୭ ଟି-୨୦ ବିଶ୍ୱକପ୍ ବିଷୟରେ ଗୋଟିଏ କଥା କହିବି। ସେତେବେଳେ ଟେଷ୍ଟ୍ ଓ ଦିନିକିଆ କ୍ରିକେଟ୍ ଥିଲା। ମୋର ମନେଅଛି ୨୦୦୭ ଟି-୨୦ ବିଶ୍ବକପ୍ ସମୟରେ ଅନେକ ମହାନ ବ୍ୟକ୍ତି କହିଥିଲେ ଯେ ଏହା ଟାଇମପାସ୍ କ୍ରିକେଟ୍ ଏବଂ ଏଥିପ୍ରତି ଆଗ୍ରହ ମଧ୍ୟ ଦେଖାଇନଥିଲେ। ଟି-୨୦ କ୍ରିକେଟ୍ କି କ୍ରିକେଟ୍ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ବୋଲି ଅଶ୍ବିନ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ‘ରେମିନିସେନ୍ସ ୱିଥ୍ ଆସ୍’ରେ ପୁରୁଣା ସ୍ମୃତିକୁ ମନେପକାଇ କହିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଖେଳୁଥିବା ବେଳେ ସମଗ୍ର ଦେଶବାସୀ ଏହାକୁ ଦେଖୁଥିଲେ। ଯୁବରାଜ ସିଂହ ପୂରା ଆକ୍ରାମକ ମନୋଭାବରେ ଥିଲେ। ସେ ବ୍ରଡଙ୍କ ୬ ବଲ୍ରେ ୬ ଛକା ମାରିଥିଲେ। ବ୍ରଡଙ୍କ ଏଭଳି ଦୟନୀୟ ବୋଲିଂ ପୂର୍ବରୁ କେବେ ଦେଖିନଥିଲି ବୋଲି ଅଶ୍ୱିନ କହିଛନ୍ତି। ୪ ଛକା ପରେ ଅଧିନାୟକ ଓ ବୋଲରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରଥମରୁ ଏମାନଙ୍କ ସହ ୩-୪ ଜଣ ଥିଲେ। ତା’ପରେ ସମସ୍ତ ୧୧ ଜଣ ଯାକ ଖେଳାଳି ଏହି ଆଲୋଚନାରେ ଭାଗ ନେଇଥିଲେ। ପରେ ଏହି ସଂଖ୍ୟା ୧୭ ହୋଇଯାଇଥିଲା। ଏପରିକି ସହଯୋଗୀ ଅଧିକାରୀ ମଧ୍ୟ ପଡ଼ିଆ ଭିତରକୁ ଦୌଡ଼ି ଆସି କିଛି ଆଲୋଚନା କରିଥିଲେ। ଜଣେ ବ୍ୟାଟ୍ସମ୍ୟାନ୍ ବିସ୍ଫୋରକ ମୁଡ୍ରେ ଅଛି ମାନେ ଏହି ଆଲୋଚନାର କିଛି ଫଳ ନଥାଏ। ଯୁବି ପରବର୍ତୀ ଦୁଇ ବଲ୍ରେ ଆଉ ଦୁଇ ଛକା ମାରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ନଟିଂହାମରେ ଖେଳିଲା ବେଳେ ବ୍ରଡଙ୍କ ସହ ଖେଳିଛି। ସେ ମଧ୍ୟ ଭଲ ବୋଲର। ହେଲେ ଏହି ଯୁଦ୍ଧରେ ଯୁବି ବିଜୟୀ ହୋଇଥିଲେ ବୋଲି ଅଶ୍ବିନ କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୭ ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ପାକିସ୍ତାନକୁ ହରାଇ ଭାରତ ପ୍ରଥମ ଥର ଟ୍ରଫି କରାୟତ୍ତ କରିଥିଲା।
Follow Us