ମଙ୍କଡ଼ିଂକୁ ନେଇ ଅଶ୍ବିନଙ୍କ ଅନ୍ତିମ ଚେତାବନୀ

Advertisment
ମଙ୍କଡ଼ିଂକୁ ନେଇ ଅଶ୍ବିନଙ୍କ ଅନ୍ତିମ ଚେତାବନୀ

ଦୁବାଇ: ଆଇପିଏଲ୍‌କୁ ‘ମଙ୍କଡ଼ିଂ’ ଭୁତ ପୁଣି ଥରେ ଫେରିଛି। ଏଥର ବି ଏହି ବିବାଦୀୟ ରନ୍‌ଆଉଟ୍ ସହ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ନାଁ ଯୋଡ଼ି ହୋଇଛି। ତେବେ ଗତଥର ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ମଙ୍କଡ଼ିଂ କରି ବିବାଦୀୟ ହୋଇ ପଡ଼ିଥିବା ଅଶ୍ବିନ ଏଥର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓପନର ଆରୋନ ଫିଞ୍ଚ୍‌ଙ୍କୁ ଦୟା ଦେଖାଇ ଚର୍ଚାରେ ରହିଛନ୍ତି। ମଙ୍କଡ଼ିଂ କରିବାର ସୁଯୋଗ ଥିଲେ ମଧ୍ୟ ଫିଞ୍ଚ୍‌ଙ୍କୁ ଆଉଟ୍ ନକରି ଅଶ୍ବିନ ଟ୍ବିଟ୍ କରି ଏଥିଲାଗି ପ୍ରଥମ ଓ ଶେଷ ଚେତାବନୀ ଦେଇଛନ୍ତି। ଏଭଳି କରି କୌଣସି ନନ୍‌ଷ୍ଟ୍ରାଇକର ଯଦି ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍ ଛାଡ଼ନ୍ତି, ତାହାଲେ ଗତ ଋତୁ ଭଳି ଏଥର ମଧ୍ୟ ସେ ମଙ୍କଡ଼ିଂ କରିବାକୁ ପଛଘୁଞ୍ଚ‌ା ଦେବେ ନାହିଁ ବୋଲି ଅଶ୍ବିନ ସ୍ପଷ୍ଟ କରି ଦେଇଛନ୍ତି।

ସୋମବାରର ରାଜସ୍ଥାନ-ରୟାଲ ଚାଲେଞ୍ଜର୍ସ ମ୍ୟାଚ୍‌ରେ ଅଶ୍ବିନ ବୋଲିଂ କରୁଥିଲା ବେଳେ ଫିଞ୍ଚ୍ ଏକଦା ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍‌ର ବହୁ ଅଗକୁ ଚାଲି ଯାଇଥିଲେ। ଅଶ୍ବିନଙ୍କ ପାଖରେ ତାଙ୍କୁ ମଙ୍କଡ଼ିଂ କରିବାର ସୁବର୍ଣ୍ଣ ସୁଯୋଗ ଥିଲା। ହେଲେ ଫିଞ୍ଚ୍‌ଙ୍କୁ ସେ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲେ। ମ୍ୟାଚ୍ ଶେଷ ହେବା ପରେ କିନ୍ତୁ ଟ୍ବିଟର ପୃଷ୍ଠାରେ ଏକ ଚେତାବନୀ ବାର୍ତ୍ତା ଛାଡ଼ିଥିଲେ। ଆଉ ଏଥିରେ ଲେଖିଥିଲେ ‘‘ମୁଁ ଆପଣମାନଙ୍କୁ ସ୍ପଷ୍ଟ ଭାବେ କହି ଦେଉଛି!! ୨୦୨୦ ପାଇଁ ପ୍ରଥମ ଓ ଅନ୍ତିମ ଚେତାବନୀ। ମୁଁ ଏକଥା ଆନୁଷ୍ଠାନିକ ଭାବେ କହୁଛି, ପଛରେ ମୋତେ କେହି ଯେମିତି ଦୋଷ ନଦିଅନ୍ତି’’ ଏକଥା ଲେଖି ସେ ନିଜ ଦଳର ପ୍ରଶିକ୍ଷକ ରିକି ପଣ୍ଟିଂ ଓ ଫିଞ୍ଚ୍‌ଙ୍କୁ ଟ୍ୟାଗ୍ କରିବା ସହ ଆମେ ସମସ୍ତେ ଭଲ ବନ୍ଧୁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ‌ଯେ ୨୦୧୯ ଆଇପିଏଲ୍‌ରେ ବଟଲରଙ୍କୁ ମଙ୍କଡ଼ିଂ କରିବା ପରେ ଅଶ୍ବିନ ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଅନେକ ପୂର୍ବତନ କ୍ରିକେଟର ତାଙ୍କ ଖେଳୁଆଡ଼ ମନୋଭାବ ନେଇ ପ୍ରଶ୍ନ ଉଠାଇଥିଲେ। ମଙ୍କଡ଼ିଂ କରିବା ପୂର୍ବରୁ ଚେତାବନୀ ଦେବା ଠିକ୍ ‌ହୋଇଥା’ନ୍ତା ବୋଲି ଅତୀତ ଓ ବର୍ତ୍ତମାନର କ୍ରିକେଟର୍‌ମାନେ ତାଙ୍କୁ ଘନଘନ ପରାମର୍ଶ ଦେଇଥିଲେ। ଚଳିତ ବର୍ଷର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ବି ‘ମଙ୍କଡ଼ିଂ’ ମୁଖ୍ୟ ଚର୍ଚାର ବିଷୟ ହୋଇଥିଲା। ଅଶ୍ବିନ ଚଳିତ ବର୍ଷ କିଙ୍ଗ୍ସ ଏକାଦଶ ପଞ୍ଜାବ ପରିବର୍ତ୍ତେ ଦିଲ୍ଲୀ କ୍ୟାପିଟାଲ୍ସରୁ ଖେଳୁଥିବାରୁ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ପଣ୍ଟିଂ ତାଙ୍କୁ କଡ଼ା ଚେତାବନୀ ଦେଇଥିଲେ। କିଙ୍ଗ୍ସ ଏକାଦଶ କଥା ଦିଲ୍ଲୀ କ୍ୟାପିଟାଲ୍ସରେ ନଦୋହରାଇବାକୁ ତାଗିଦ କରିଥିଲେ। ଏହି ବିଷୟରେ ଉଭୟଙ୍କ ମଧ୍ୟରେ ୟୁଏଇରେ ସରଗରମ ଆଲୋଚନା ବି ହୋଇଥିଲା। ଏହା ପରେ ମଙ୍କଡ଼ିଂ ସୁଯୋଗ ଥିଲେ ବୋଲରଙ୍କୁ ଫ୍ରି-ବଲ୍ ଦେବାକୁ ଅଶ୍ବିନ ଦାବି କରିଥିଲେ। ଏହି ବଲ୍‌ରେ ବ୍ୟାଟର୍‌ ଆଉଟ୍ ହେଲେ ପ୍ରତିପକ୍ଷ ଦଳକୁ ୫ ରନ୍‌ର ପେନାଲ୍ଟି ଦେବାକୁ ବି କହିଥିଲେ। ସୋମବାର ଯେତେବେଳେ ଫିଞ୍ଚ୍‌ଙ୍କୁ ଅଶ୍ବିନ ମଙ୍କଡ଼ିଂ ନକରି କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲେ, ସେତେବେଳେ ଦିଲ୍ଲୀ ଡଗଆଉଟ୍‌ରେ ଥିବା ପଣ୍ଟିଂ କେବଳ ଯାହା ମୁରୁକି ମୁରୁକି ହସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe