InsideSport
ଅହମଦାବାଦ: ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଚତୁର୍ଥ ଟେଷ୍ଟ୍ ଅବସରରେ ଏକାଧିକ ମାଇଲଖୁଣ୍ଟ ପ୍ରତିଷ୍ଠା କରିବାର ସୁଯୋଗ ରହିବ। ଯଦି ସେ ମ୍ୟାଚ୍ରେ ୬ ୱିକେଟ୍ ଦଖଲ କରିନିଅନ୍ତି, ତେବେ ଇଂଲଣ୍ଡ ବିପକ୍ଷରେ (ଘରେ ଓ ବାହାରେ) ସର୍ବାଧିକ ୱିକେଟ୍ ନେବାରେ କିଂବଦନ୍ତି କପିଳ ଦେବଙ୍କୁ ଟପିଯିବେ। ଇଂଲଣ୍ଡ ବିପକ୍ଷରେ ଅଶ୍ବିନ ୧୮ ଟେଷ୍ଟ୍ରୁ ୮୦ ୱିକେଟ୍ ଦଖଲ କରିଥିଲା ବେଳେ କପିଳ ୨୭ ଟେଷ୍ଟ୍ରୁ ୮୫ ୱିକେଟ୍ ନେଇଛନ୍ତି।
ଅଶ୍ବିନ (୯୯) ମଧ୍ୟ ପ୍ରଥମ ପାଳି ବୋଲିଂରେ ୧୦୦ ୱିକେଟ୍ ପୂରଣଠାରୁ ମାତ୍ର ଗୋଟିଏ ଦୂରରେ ରହିଛନ୍ତି। ଦ୍ବିତୀୟ ପାଳି ବୋଲିଂରେ ସେ ୧୦୭, ତୃତୀୟରେ ୧୨୬ ଏବଂ ଚତୁର୍ଥରେ ୬୯ ୱିକେଟ୍ ଅକ୍ତିଆର କରିଛନ୍ତି। ମୋଟ ଉପରେ ଏହି ଅଫ୍ ସ୍ପିନର ନିଜ ନାମରେ ୭୭ ଟେଷ୍ଟ୍ରୁ ୪୧୦ ୱିକେଟ୍ ଯୋଡ଼ି ସାରିଛନ୍ତି। ପୁଣି ଆଉ ୫ ୱିକେଟ୍ ନେଲେ ସେ ୱେଷ୍ଟଇଣ୍ଡିଜ୍ର କର୍ଟଲି ଆମ୍ବ୍ରୋଜ୍ (୪୦୫)ଙ୍କୁ ଅତିକ୍ରମ କରିଯିବେ।
ଯଦି ଅଶ୍ବିନ ଚତୁର୍ଥ ଟେଷ୍ଟ୍ରେ ୫ ୱିକେଟ୍ ସଫଳତା ହାତେଇନିଅନ୍ତି, ତା’ହେଲେ ସେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକ୍ଗ୍ରା (୨୯ ଥର ୫ ୱିକେଟ୍)ଙ୍କ କୀର୍ତ୍ତିମାନକୁ ଟପି ଯାଇପାରିବେ। ଅଶ୍ବିନ ଏବେ ଟେଷ୍ଟ୍ରେ ୨୯ ଥର ୫ ୱିକେଟ୍ ସଫଳତା ପାଇସାରିଛନ୍ତି। ଆଉ ଏକ୍ଷେତ୍ରରେ ଅଶ୍ବିନ ମଧ୍ୟ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ (୩୦ ଥର ୫ ୱିକେଟ୍)ଙ୍କ ସଫଳତାର ସମକକ୍ଷ ହୋଇଯିବେ।
ଯଦି ଅଶ୍ବିନ ଚତୁର୍ଥ ଟେଷ୍ଟ୍ରେ ୧୦ ୱିକେଟ୍ ସଫଳତା ଲାଭ କରନ୍ତି, ତା’ହେଲେ ସେ ଡେନିସ୍ ଲିଲି (୭ ଥର ୧୦ ୱିକେଟ୍)ଙ୍କ କୀର୍ତ୍ତିମାନକୁ ଟପିଯିବେ। ଏଥିସହିତ ଅଶ୍ବିନ୍ ମଧ୍ୟ ନିଜ ଦେଶର ପୂର୍ବତନ ସ୍ପିନର ଅନିଲ କୁମ୍ବଲେ (୮ ଥର ୧୦ ୱିକେଟ୍)ଙ୍କ କୀର୍ତ୍ତିମାନର ସମକକ୍ଷ ହେବେ।
Follow Us