ହକି ଏସିଆ କପ୍‌ରେ ଭାରତକୁ ଦ୍ୱିମୁକୁଟ

ପୁରୁଷଙ୍କ ପରେ ମହିଳା ବି ଜିତିଲେ ଟ୍ରଫି: ଚୀନ୍‌ ଉପରେ ପ୍ରତିଶୋଧମୂଳକ ବିଜୟ

ହକି ଏସିଆ କପ୍‌ରେ ଭାରତକୁ ଦ୍ୱିମୁକୁଟ

କାକାମିଗାହାରା (ଜାପାନ): ଚୀନ ଉପରେ ୨୦୦୯ ଫାଇନାଲ୍‌ ପରାଜୟର ପ୍ରତିଶୋଧମୂଳକ ବିଜୟ ସହିତ ଭାରତୀୟ ମହିଳା ହକି ଦଳ ଏସିଆ କପ୍‌ ହାସଲ କରିଛି। ୧୫ ଦିନ ତଳେ ପୁରୁଷ ଦଳ ଏସିଆ କପ୍‌ ହାସଲ କରିଥିବାବେଳେ ଏବେ ମହିଳାମାନେ ଏହାର ସମକକ୍ଷ ହୋଇଗଲେ। ଭାରତ ମଧ୍ୟ ଏକ ସମୟରେ ଉଭୟ ପୁରୁଷ ଓ ମହିଳା ଏସିଆ କପ୍‌ ଜିତିବାର ବିରଳ କୃତିତ୍ୱ ଅର୍ଜନ କରିନେଲା। ଅକ୍ଟୋବର ୨୨ ତାରିଖ ଫାଇନାଲ୍‌ରେ ପୁରୁଷ ଦଳ ଆୟୋଜକ ମାଲେସିଆକୁ ୨-୧ରେ ପରାସ୍ତ କରି ବିଜେତା ହୋଇଥିଲା। ୧୯୯୪ରେ ଦକ୍ଷିଣ କୋରିଆ ଏଭଳି ଦ୍ୱିମୁକୁଟ କୃତିତ୍ୱ ଅର୍ଜନ କରିଥିଲା। ରବିବାର ରୋମାଞ୍ଚକର ଫାଇନାଲ୍‌ରେ ଭାରତୀୟ ମହିଳା ସଡନ୍‌ଡ଼େଥ୍‌ରେ ଚୀନକୁ ୫-୪ (୧-୧) ଗୋଲ୍‌ରେ ପରାସ୍ତ କରିଥିଲେ। ଏହି ବିଜୟ ସହିତ ଭାରତ ଏସିଆ କପ୍‌ରେ ଅପରାଜିତ ରହି ବିଜେତା ଟ୍ରଫି ହାସଲ କରିଛି। ୨୦୧୮ ମହିଳା ହକି ବିଶ୍ୱକପ୍‌ ପାଇଁ ମଧ୍ୟ ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରି ନେଲା।

ରବିବାର ଜାପାନର କାକାମିଗାହାରାର ଗିଫୁ ହକି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକର ଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ନଭଜୋତ କଉର୍‌ ୨୫ତମ ମିନିଟ୍‌ରେ ଭାରତକୁ ଆଗୁଆ କରିଥିଲେ। ତୃତୀୟ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ବିତିଥିଲା। ପ୍ରତିଯୋଗିତାର ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ଝଙ୍ଗ ଜିଆକିଙ୍କୁ ଭାରତୀୟ ଖେଳାଳି ଜଗିଦେବାରେ ସକ୍ଷମ ହୋଇଥିଲେ ମଧ୍ୟ ୪୭ତମ ମିନିଟ୍‌ରେ ଟିଆନ୍ତିଆନ୍‌ ଲୁଓ ପେନାଲ୍‌ଟି କର୍ନରରୁ ପାଇଥିବା ଗୋଲ୍‌ ମ୍ୟାଚ୍‌କୁ ବରାବର କରି ଦେଇଥିଲା। ମ୍ୟାଚ୍‌ ନିର୍ଧାରିତ ସମୟରେ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ସୁଟ୍‌ ଆଉଟ୍‌ ବେଳେ ଉଭୟ ଦଳ ୪-୪ ଗୋଲ୍‌ରେ ମଧ୍ୟ ସୀମିତ ରହିଥିଲେ। ଭାରତ ପକ୍ଷରୁ ଅଧିନାୟିକା ରାଣୀ ରାମପାଲ୍‌, ମୋନିକା ମଲ୍ଲିକ, ନଭଜୋତ କଉର୍‌ ଏବଂ ଲିଳିମା ମିଞ୍ଜ୍‌ ଗୋଲ୍‌ ଦେଇଥିବାବେଳେ ନଭପ୍ରୀତ କଉର୍‌ ବିଫଳ ହୋଇଥିଲେ। କିନ୍ତୁ ସଡନ୍‌ ଡେଥ୍‌ ବେଳେ ରାଣୀ ସଫଳ ହୋଇଥିବାବେଳେ ପ୍ରତିପକ୍ଷର ଲିଆଙ୍ଗଙ୍କ ପ୍ରୟାସ ନିଷ୍ଫଳ ଯାଇଥିଲା। ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ତୃତୀୟ ସ୍ଥାନ ମୁକାବିଲାରେ ସିନ୍‌ ହାଜଙ୍ଗଙ୍କ ଏକମାତ୍ର ଫିଲ୍‌ଡ ଗୋଲ୍‌ ବଳରେ ଦକ୍ଷିଣ କୋରିଆ ୧-୦ ଗୋଲ୍‌ରେ ଜାପାନକୁ ପରାସ୍ତ କରି କାଂସ୍ୟ ପଦକ ବିଜେତା ହୋଇଥିଲା।

ଏଥି ସହିତ ଭାରତ ୧୩ ବର୍ଷ ପରେ ଏସିଆ କପ୍‌ ହାସଲ କରିବାର ଗୌରବ ଅର୍ଜନ କରିଥିଲା। ଶେଷ ଥର ପାଇଁ ଭାରତୀୟ ମହିଳା ଦଳ ୨୦୦୪ରେ ଏସିଆ କପ୍‌ ବିଜେତା ହୋଇଥିଲା। ୧୯୯୯ ଏବଂ ୨୦୦୯ରେ ଫାଇନାଲ୍‌ରେ ହାରି ଉପ ବିଜେତା ରହିଥିଲା। ୨୦୦୯ ଫାଇନାଲ୍‌ ପରାଜୟରେ ପ୍ରତିଶୋଧ ନେବାରେ ମଧ୍ୟ ଭାରତ ସଫଳ ହୋଇ ମଧୁର ଅନୁଭବ ପାଇଛି। ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ଭାରତ ବିଶ୍ୱର ୮ ନମ୍ବର ଚୀନ୍‌କୁ ୪-୧ ଗୋଲ୍‌ରେ ପରାସ୍ତ କରିଥିଲା। ପ୍ରତିଯୋଗିତା ସାରା ମଧ୍ୟ ଭାରତ ଅପରାଜିତ ରହି ମୋଟ ୨୮ ଗୋଲ୍‌ ଦେଇ ମାତ୍ର ୫ ବରଣ କରିଥିଲା। ସିଙ୍ଗାପୁରକୁ ୧୦-୦, ଚୀନକୁ ୪-୧, ମାଲେସିଆକୁ ୨-୦ରେ ହରାଇବା ପରେ କ୍ୱାର୍ଟରଫାଇନାଲ୍‌ରେ କାଜାକସ୍ତାନକୁ ୭-୧ରେ ଏବଂ ସେମିଫାଇନାଲ୍‌ରେ ଗତଥରର ବିଜେତା ଜାପାନକୁ ୪-୨ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ନଭଜୋତ୍‌ କଉର୍‌ ବ୍ୟକ୍ତିଗତ ଭାବେ ସର୍ବାଧିକ ୫ ଗୋଲ୍‌ ଦେଇଥିଲେ। ଏସିଆ କପ୍‌ ସହିତ ୨୦୧୮ ମସିହାରେ ଇଂଲଣ୍ଡରେ ହେବାକୁ ଥିବା ହକି ବିଶ୍ୱକପ୍‌ ଲାଗି ଭାରତୀୟ ମହିଳା ଦଳ ମଧ୍ୟ ଯୋଗ୍ୟତା ଅର୍ଜନ କରିନେଲେ। ପୁରୁଷ ଦଳ ଆସନ୍ତା ବର୍ଷ ଭୁବନେଶ୍ୱରରେ ମଧ୍ୟ ବିଶ୍ୱକପ୍‌ ଖେଳିବା ସୁଯୋଗ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe