ପାକିସ୍ତାନରେ ଏସିଆ କପ୍‌: ଭାରତ ଖେଳିବ ଅନ୍ୟତ୍ର

Advertisment

ସମାଧାନ ପଥେ ଏସିଆ କପ୍‌ ଆୟୋଜନ ବିବାଦ

ସମାଧାନ ପଥେ ଏସିଆ କପ୍‌ ଆୟୋଜନ ବିବାଦ

ଏସିଆ କପ୍‌: ଭାରତକୁ ବିକଳ୍ପ ଭେନ୍ୟୁର ପ୍ରସ୍ତାବ ଦେଲା ପିସିବି

ନୂଆଦିଲ୍ଲୀ: ଚଳିତ ବର୍ଷର ଏସିଆ କପ୍‌ ଦୁଇଟି ସ୍ଥାନରେ ଆୟୋଜନ ହେବ। ପାକିସ୍ତାନରେ ଅଧିକାଂଶ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଭାରତର ମ୍ୟାଚ୍‌ଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ। ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍‌ ସହିତ ମୋଟ୍‌ ୫ ମ୍ୟାଚ୍‌ ଆୟୋଜନ ହେବ। ଏଥିପାଇଁ ଯଦିଓ ସ୍ଥାନ ଘୋଷଣା ହୋଇନାହିଁ, ତଥାପି ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡ ପ୍ରମୁଖ ଦାବିଦାର ଅଛନ୍ତି। ଏସିଆ କପ୍‌ରେ ଗୋଟିଏ ଯୋଗ୍ୟତା ପର୍ଯ୍ୟାୟ ଦଳ ସହିତ ଭାରତ ଓ ପାକିସ୍ତାନ ଗୋଟିଏ ‌ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅନ୍ୟ ଗ୍ରୁପ୍‌ରେ ରହିଛନ୍ତି। ସମସ୍ତ ୬ ଦଳକୁ ନେଇ ୧୩ ଦିନରେ ୧୩ ମ୍ୟାଚ୍‌ ଖେଳାଯିବ। ପୂର୍ବ ନିୟମ ଅନୁଯାୟୀ, ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର ୪ ତଥା ସେମିଫାଇନାଲ୍‌କୁ ଉନ୍ନୀତ ହେବେ। ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍‌ ଖେଳାଯିବା ନେଇ ଅଧିକ ଆକଳନ କରାଯାଉଛି।

ଏହାକୁ ଦୃଷ୍ଟିରେ ରଖି ଦଳଗୁଡ଼ିକର ଗସ୍ତ ବିବରଣୀର ସମୟ ଧାର୍ଯ୍ୟ କରିବାକୁ ଏକ ଛୋଟ କମିଟି ଗଠନ କରାଯାଇଛି। ତେବେ ନିରପେକ୍ଷ ସ୍ଥାନ ଚୟନରେ ପାଣିପାଗ ଏକ ବଡ଼ ଭୂମିକା ନେବାକୁ ଯାଉଛି। ସେପ୍ଟେମ୍ବରରେ ୟୁଏଇରେ ତାପମାତ୍ର ୪୦ ଡିଗ୍ରୀ ପାଖାପାଖି ରହିଥାଏ। ତଥାପି ଏତେ ଗରମ ସତ୍ତ୍ବେ ଏଠାରେ କ୍ରିକେଟ୍‌ ଆୟୋଜନ କରାଯାଇଛି। ୨୦୨୧ ଆଇପିଏଲ୍‌କୁ ସେପ୍ଟେମ୍ବର ଶେଷ ଆଡ଼କୁ ଏଠାରେ ଆୟୋଜନ କରାଯାଇଥିଲା। କିନ୍ତୁ ପାକିସ୍ତାନ ସେପ୍ଟେମ୍ବର ଆରମ୍ଭରୁ ଏଠାରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିସାରିଛି। ଓମାନ ରାଜଧାନୀ ମସ୍କାଟରେ ଏହି ସମୟରେ ତାପମାତ୍ରା ଟିକେ କମ୍‌ ରହିବ ଓ ପୂର୍ବରୁ ଏହି ସମୟରେ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ଖେଳାଯାଇଥିଲା। ଇଂଲଣ୍ଡରେ ମ୍ୟାଚ୍‌ ଆୟୋଜନ ହେଲେ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବ ଓ ଖେଳ ଆକର୍ଷଣୀୟ ଲାଗିବ।

ପାକିସ୍ତାନ ବାହାରେ ଏସିଆ କପ୍‌ର କିଛି ମ୍ୟାଚ୍‌ ଖେଳାଯିବା ନେଇ ଗତ ସପ୍ତାହରେ ଦୁବାଇରେ ହୋଇଥିବା ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ବୈଠକରେ ସହମତି ହୋଇଥିଲା। ଗତବର୍ଷ ଅକ୍ଟୋବରରେ ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ମନ୍ତବ୍ୟ ଦେଇଥିଲେ। ଯଦି ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ନଆସେ କିମ୍ବା ଏହି ପ୍ରତିଯୋଗିତାକୁ ପାକିସ୍ତାନ ବାହାରକୁ ନିଆଯାଏ, ତ‌ାହେଲେ ଭ‌ାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ରେ ଖେଳିବାକୁ ପାକିସ୍ତାନ ଆସିବ ନାହିଁ ବୋଲି ପିସିବି ମୁଖ୍ୟ ନଜମ ସେଠୀ ପ୍ରତିକ୍ରିୟା ରଖିଥିଲେ। କିଛିଦିନ ଧରି ଏହା ଉପରେ ବିତର୍କ ଚାଲିବା ପରେ ଉଭୟ ବୋର୍ଡର ନେତୃତ୍ବଙ୍କ ମଧ୍ୟରେ ନିରପେକ୍ଷ ସ୍ଥାନରେ ଭାରତର ମ୍ୟାଚ୍‌ ଖେଳାଯିବା ନେଇ ଆପାତତଃ ସହମତି ହୋଇଛି। ତେବେ ଏ ସମସ୍ତ ଯୋଜନା ସଂପର୍କରେ ଉଭୟ ବୋର୍ଡ ସେମାନଙ୍କ ସରକାରଙ୍କ ସହିତ ଆଲୋଚନା କରିବା ପରେ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe