ଏସୀୟ ରଗ୍‌ବି ସେଭେନ୍ସ: ରୌପ୍ୟ ଜିତିଲେ ୩ ଓଡ଼ିଆ ଝିଅ

Advertisment
ଏସୀୟ ରଗ୍‌ବି ସେଭେନ୍ସ: ରୌପ୍ୟ ଜିତିଲେ ୩ ଓଡ଼ିଆ ଝିଅ

ଭୁବନେଶ୍ବର: ଉଜ୍‌ବେକିସ୍ତାନ ରଗ୍‌ବି ସଂଘ ଆନୁକୂଲ୍ୟରେ ତାସକେଣ୍ଟଠା‌ରେ ରବିବାର ଶେଷ ହୋଇଥିବା ୧୮ ବର୍ଷରୁ କମ୍‌ ଏସୀୟ ରଗ୍‌ବି ସେଭେନ୍ସ ପ୍ରତିଯୋଗିତ‌ାରେ ଭାରତ ରୌପ୍ୟ ପଦକ ଜିତିଛି। କଡ଼ା ସଂଘଷପୂର୍ଣ୍ଣ ଫାଇନାଲରେ ଭାରତକୁ ସଂଯୁକ୍ତ ଆରବ୍‌ ଏମିରେଟ୍ସ (ୟୁଏଇ) ୨୧-୧୭ରେ ହରାଇ ‌ଦେଇଥିଲା। ପୂର୍ବରୁ ଭାରତ ୧୦-୧୨ରେ କାଜାଖସ୍ତାନ ନିକଟରୁ ହାରିଯାଇଥିଲେ ମଧ୍ୟ ପରବର୍ତୀ ଦୁଇ ଲିଗ୍‌ ମ୍ୟାଚ୍‌ରେ କିର୍ଗିଜସ୍ତାନକୁ ୬୩-୦ ଏବଂ ଉଜ୍‌ବେକିସ୍ତାନକୁ ୨୦-୫ରେ ପରାସ୍ତ କରିଥିଲା। ୟୁଏଇ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଭାରତ ୧୨-୧୯ରେ ହାରିଯାଇଥିଲା। ଭାରତୀୟ ଯୁବା ଦଳକୁ ସୋସିଏଣ୍ଟ୍ ଜେନେରାଲ୍, ଓଡ଼ିଶା ସରକାର, କିଟ୍‌, ବିଏଲ୍‌କେ, ଫାଷ୍ଟ୍‌ ଆଣ୍ଡ୍‌ ଅପ୍‌, ବ୍ଲେଡ୍‌, ଏବିଟିବି ଆଦି ସଂସ୍ଥା ପ୍ରାୟୋଜିତ କରିଥିଲେ। ଭାରତୀୟ ଦଳରେ ସାମିଲ ଥିବା ୩ ଓଡ଼ିଆ ଝିଅ ଏଥି ସହ ରୌପ୍ୟ ପଦକ ଜିତିବାର ଗୌରବ ପାଇଛନ୍ତି। କିସ୍‌ର ଏହି ୩ ଅନ୍ତେଃବାସୀ ଛାତ୍ରୀ ହେଲେ ତରୁଲତା ନାଏକ, ମାମା ନାୟକ ଏବଂ ନିର୍ମାଲ୍ୟ ରାଉତ। ତରୁଲତା ଓ ମାମା କେନ୍ଦୁଝର ଜିଲ୍ଲାର ଜଡ଼ବାଙ୍କ ଓ ତଭସରୁଆର ବୋଲି ଜଣାପଡ଼ିଛି। ନିର୍ମାଲ୍ୟ ବରଗଡ଼ ଜିଲ୍ଲା ଭଟିଗାଁରୁ ଆସି କିସ୍‌ରେ ପଢ଼ି ଖେଳ ଜୀବନ ଗଢ଼ିଛନ୍ତି।

ଭାରତୀୟ ଦଳରେ ସ୍ଥାନ ପାଇ ପଦକ ଜିତିଥିବାରୁ ରଗ୍‌ବି ଇଣ୍ଡିଆ ପକ୍ଷରୁ ବୋର୍ଡ ସଦସ୍ୟ ରାହୁଲ ବୋଷ, ସଭାପତି ବିକ୍ରମ ଆହୁଜା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଓଡ଼ିଶା ରଗ୍‌ବି ‌ଫୁଟ୍‌ବଲ୍ ସଂଘ (ଓର୍‌ଫା) ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, କିସ୍ କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ରଗ୍‌ବି ଇଣ୍ଡିଆ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି। ଏହି ତିନି ଆଦିବାସୀ ସମ୍ପ୍ରଦାୟର ଖେଳାଳି ୨୦୧୭ରେ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ୨୦୧୮ ଜାତୀୟ ଉପକନିଷ୍ଠ ରଗ୍‌ବି‌ ସେଭେନ୍ସରେ କାଂସ୍ୟ ପଦକ ଜିତିଥିଲେ। ଗତବର୍ଷ ତିନିହେଁ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ କିସ୍‌ରେ ପଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe