ଏସୀୟ ଯୁବ ଦୌଡ଼କୁଦ: ଦ୍ବିତୀୟ ଦିନରେ ଭାରତକୁ ୬ ପଦକ, ସିଦ୍ଧାର୍ଥଙ୍କୁ ସ୍ବର୍ଣ୍ଣ

Advertisment
ଏସୀୟ ଯୁବ ଦୌଡ଼କୁଦ: ଦ୍ବିତୀୟ ଦିନରେ ଭାରତକୁ ୬ ପଦକ, ସିଦ୍ଧାର୍ଥଙ୍କୁ ସ୍ବର୍ଣ୍ଣ

ୟେଞ୍ଚିଅନ୍‌ (ଦକ୍ଷିଣ କୋରିଆ): ଚଳିତ ୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ସୋମବାର ଭାରତକୁ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୬ ପଦକ ମିଳିଛି। ଫଳରେ ଭାରତର ପଦକ ସଂଖ୍ୟା ୯ (୩ ସ୍ବର୍ଣ୍ଣ, ୩ ରୌପ୍ୟ, ୩ କାଂସ୍ୟ)ରେ ପହଞ୍ଚିଛି। ସୋମବାର ଏକମାତ୍ର ସ୍ବର୍ଣ୍ଣଟି ଉଦୀୟମାନ ସଟ୍‌ପୁଟର ସିଦ୍ଧାର୍ଥ ଚୌଧୁରୀ ଜିତିଥିଲେ। ୧୭ ବର୍ଷୀୟ ସିଦ୍ଧାର୍ଥ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ୧୯.୫୨ ମିଟର ଫିଙ୍ଗି ଏହି ପଦକ ଜିତିଥିଲେ। ଶିବମ ଲୋହାକାରେ ଜାଭ୍‌ଲିନ୍‌ରେ, ଶାହରୁଖ ଖାନ ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ଏବଂ ସୁସ୍ମିତା ମହିଳା ଲମ୍ବ ଡିଆଁରେ ରୌପ୍ୟ ପଦକ ଜିତିଥିଲେ। ଶିବମ ୭୨.୩୪ ମିଟର ଜାଭଲିନ୍‌ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିଭଳି ଶାହରୁଖ (୮.୫୧.୭୪ ସେକେଣ୍ଡ) ଓ ସୁସ୍ମିତା (୫.୯୬ ମିଟର) ନିଜ ନିଜ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। କାଂସ୍ୟ ଦୁଇଟି ଭାରତୀୟ ୪ ଗୁଣା ୪୦୦ ମିଟର ମିଶ୍ରିତ ରେଲେ ଦଳ ଏବଂ ୮୦୦ ମିଟର ଧାବକ ଶକୀଲ ଜିତିଥିଲେ। ଦୀପକ ସିଂହ, ଅନୁଷ୍କା କୁମ୍ଭାର, ନଭପ୍ରୀତ ସିଂହ ଓ ରେଜୋଆନା ମଲିକ ହୀନାଙ୍କୁ ନେଇ ଗଠିତ ଭାରତୀୟ ରିଲେ ଦଳ ୩:୩୦.୧୨ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲା ବେଳେ ଶ୍ରୀଲଙ୍କା (୩:୨୫.୪୧) ସ୍ବର୍ଣ୍ଣ ଏବଂ ଦକ୍ଷିଣ କୋରିଆ (୩:୨୮.୨୯) ‌ରୌପ୍ୟ ଜିତିଥିଲେ। ଶକୀଲ ୧:୪୯.୭୯ ସେକେଣ୍ଡ ସମୟ ନେଇ ୮୦୦ ମିଟର ରେସ୍‌ ଶେଷ କରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ରବିବାର ଉଦ୍‌ଘାଟନୀ ଦିବସରେ ୪୦୦ ମିଟର ଧାବିକା ରେଜୋଆନା ମଲିକ ହୀନା ଓ ଡିସ୍‌କସ୍‌ ଫିଙ୍ଗାଳି ଭାରତପ୍ରୀତ ସିଂହ ସ୍ବର୍ଣ୍ଣ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe