ଭୁବନେଶ୍ବର: ଆସାମର ଗୁଆହାଟୀଠାରେ ଆୟୋଜିତ ଅସ୍ମିତା ଖେଲୋ ଇଣ୍ଡିଆ ପୂର୍ବାଞ୍ଚଳ ଉପକନିଷ୍ଠ ହକି ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହେବାର ଗୌରବ ଅର୍ଜନ କରିଛି। ଫଳରେ ରାଜ୍ୟ ହକି ମହଲରେ ଖୁସିର ଲହରି ଖେଳିଯାଇଛି। ଗୁରୁବାରର ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଓଡ଼ିଶା ଉତ୍କଣ୍ଠାପୂର୍ଣ୍ଣ ଭାବେ ୪-୩ ଗୋଲ୍‌ରେ ମିଜୋରାମକୁ ହରାଇ ଟ୍ରଫି ଜିତି ନେଇଥିଲା। ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିବା ପରେ ଦ୍ବିତୀୟ କ୍ବାର୍ଟରରେ ଦୁଇଟି ଏବଂ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ରାଜ୍ୟ ଦଳ ନିଜ ଅପରାଜେୟ ଧାରାକୁ ଅତୁଟ ରଖିବା ସହ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ଓଡ଼ିଶା ପାଇଁ ଅସୀମା ଏକ୍କା ଦୁଇଟି (୨୩ ଓ ୫୩ ମିନିଟ୍) ଏବଂ ଅଧିନାୟିକା ସଂଜନା କିରୋ (୨ ମିନିଟ୍) ଓ କିରଣ ଏକ୍କା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। 

Advertisment

Putin: ପାକିସ୍ତାନକୁ ନେଇ ୨୪ ବର୍ଷ ତଳେ ଆମେରିକାକୁ ସତର୍କ କରାଇଥିଲେ ପୁଟିନ

ମିଜୋରାମ ପକ୍ଷରୁ ଅଧିନାୟିକା ଭନଲାଲରିନହୁଇ (୨୪ ମିନିଟ୍) ପ୍ରଥମ ଗୋଲ୍ ଦେବା ପରେ ଚତୁର୍ଥ କ୍ବାର୍ଟରରେ କେ ଭନଲାଲପେକି (୪୮, ୬୦) ଦୁଇଟି ଗୋଲ୍‌ ଦେଇ ଓଡ଼ିଶାକୁ ଚିନ୍ତାରେ ପକାଇଥିଲେ। ହେଲେ ଗୋଟିଏ ଗୋଲ୍‌ ପଛରେ ରହି ମିଜୋରାମ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷରେ ଓଡ଼ିଶା ୪-୨ରେ ଆଗୁଆ ରହି ସହଜ ବିଜୟ ଆଡ଼କୁ ଗତି କରୁଥିଲା ବେଳେ ଶେଷ ମିନିଟ୍‌ରେ ଗୋଲ୍‌ ବରଣ କରି ମାତ୍ର ଗୋଟିଏ ଗୋଲ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା। 

Putin: ପାକିସ୍ତାନକୁ ନେଇ ୨୪ ବର୍ଷ ତଳେ ଆମେରିକାକୁ ସତର୍କ କରାଇଥିଲେ ପୁଟିନ

ରେଶମା ଲାକ୍ରା ଓଡ଼ିଶା ଦଳର ପ୍ରବନ୍ଧକ ଥିଲା ବେଳେ ସୋନାଲି ସାହୁ ବୈଷୟିକ ଅଧିକାରୀ ଥିଲେ। ଏହି ସଫଳତା ଲାଗି ହକି ଇଣ୍ଡିଆ ତଥା ହକି ଓଡ଼ିଶାର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି, ହକି ଓଡ଼ିଶାର ସଂପାଦକ ସନାତନ ସାହୁ ଏବଂ ଅନ୍ତର୍ଜାତୀୟ ଅମ୍ପାୟାର ନିଶାନଜ୍ୟୋତି ମହାନ୍ତି ବିଜେତା ଦଳକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।