ଶୀର୍ଷରେ ବର୍ଷ ଶେଷ: ସାମ୍ପ୍ରାସ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହେଲେ ଜୋକୋଭିକ୍‌

ଶୀର୍ଷରେ ବର୍ଷ ଶେଷ: ସାମ୍ପ୍ରାସ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହେଲେ ଜୋକୋଭିକ୍‌

Sports Illustrated

ପ୍ୟାରିସ୍: ସର୍ବିୟା ଟେନିସ୍‌ ତାରକା ନୋଭାକ୍‌ ଜୋକୋଭିକ୍‌ ଶୁକ୍ରବାର ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ୬ ଥର ପୁରୁଷ ଏକକ ଶୀର୍ଷ ମାନ୍ୟତା ସହ ବର୍ଷ ଶେଷ କରିବାରେ ସେ ନିଜ ପିଲାଦିନର ଆଦର୍ଶ ପିଟ୍‌ ସାମ୍ପ୍ରାସ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ବିଶେଷକରି ଗତ ମାସରେ ଭିଏନାରେ କ୍ବାର୍ଟର ଫାଇନାଲ୍‌ ପହଞ୍ଚିବା ମାତ୍ରେ ସେ ଶୀର୍ଷ ମାନ୍ୟତାରେ ଋତୁ ଶେଷ କରିବା ନିଶ୍ଚିତ କରିଥିଲେ। ତଥାପି ୩୩ ବର୍ଷ ବୟସ୍କ ଜୋକୋଭିକ୍‌ଙ୍କୁ ଚଳିତ ବର୍ଷ ଶେଷରେ ଶୀର୍ଷ ମାନ୍ୟତାରୁ କେବଳ ସ୍ପେନ୍‌ ତାରକା ରାଫେଲ ନାଦାଲ ହଟାଇପାରିଥା’ନ୍ତେ। ହେଲେ ନାଦାଲ ଆସନ୍ତା ସପ୍ତାହରେ ଆୟୋଜିତ ସୋଫିଆ ପ୍ରତିଯୋଗିତା ଖେଳିବେ ନାହିଁ ବୋଲି କହିବା ପରେ ଜୋକୋଭିକ୍‌ ଶୀର୍ଷରେ ରହିବା ସ୍ପଷ୍ଟ ହୋଇଯାଇଛି।

ଫଳରେ ୨୦୧୧, ୨୦୧୨, ୨୦୧୪, ୨୦୧୫ ଓ ୨୦୧୮ରେ ଶୀର୍ଷ ମାନ୍ୟତା ସହ ବର୍ଷ ଶେଷ କରିଥିବା ଜୋକୋଭିକ୍‌ ଷଷ୍ଠ ଥର ପାଇଁ ଏହି ସ୍ଥାନ ଅକ୍ତିଆର କରିନେଇଛନ୍ତି। ମୋଟ ୧୭ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ବିଜେତା ଜୋକୋଭିକ୍‌ ମଧ୍ୟ ଏହା ପୂର୍ବରୁ ସାମ୍ପ୍ରାସ୍‌ଙ୍କ ୨୮୬ ସପ୍ତାହ ଧରି ଶୀର୍ଷ ମାନ୍ୟତାରେ ରହିବାର କୀର୍ତ୍ତିକୁ ଗତ ସେପ୍ଟେମ୍ବରରେ ଟପି ଯାଇଥିଲେ। ଏବେ ଫେଡେରର୍‌ଙ୍କ ୩୧୦ ସପ୍ତାହ ସର୍ବକାଳୀନ କୀର୍ତ୍ତିମାନ ସଂଖ୍ୟାକୁ ଟପିବାକୁ ଜୋକୋଭିକ୍‌ ଲକ୍ଷ୍ୟ ରଖିଛନ୍ତି। ସେ ସମ୍ଭବତଃ ଆସନ୍ତାବର୍ଷ ମାର୍ଚ ୮ ତାରିଖ ବେଳକୁ ଫେଡେରେର୍‌ଙ୍କୁ ଟପିପାରିବେ ବୋଲି ଆଶା ରଖିଛନ୍ତି। ବର୍ଷ ଶେଷରେ ଶୀର୍ଷ ମାନ୍ୟତା ହାସଲ କରିବା ଟେନିସ୍‌ରେ ଏକ ବଡ଼ ସଫଳତା ବୋଲି କହିଛନ୍ତି ଏଟିପି ଅଧ୍ୟକ୍ଷ ଆନ୍ଦ୍ରିଆ ଗୌଡେଞ୍ଜି। ସେହି ଦୃଷ୍ଟିରୁ ୬ ଥର ଶୀର୍ଷ ମାନ୍ୟତାରେ ବର୍ଷ ଶେଷ କରିବାରେ ସାମ୍ପ୍ରାସ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହେବା ଏକ ବଡ଼ ଗୌରବ। ଏଥି ସହିତ ଜୋକୋଭିକ୍‌ ନିଜ ନାମକୁ ଇତିହାସ ପୃଷ୍ଠାରେ ସ୍ଥାନିତ କରିଛନ୍ତି। ଜୋକୋଭିକ୍‌ ମଧ୍ୟ ଚଳିତ ମାସ (ନଭେମ୍ବର ୧୫)ରେ ଲଣ୍ଡନରେ କିର୍ତ୍ତିମାନ ସମକକ୍ଷ ଷଷ୍ଠ ଏଟିପି ଫାଇନାଲ୍‌ସ ଟ୍ରଫି କରାୟତ କରିବାର ଆଶା ରଖିଛନ୍ତି। ଜୋକୋଭିକ୍‌ ଚଳିତ ଋତୁ‌ରେ ୩୯-୩ ବିଜୟ ପରାଜୟ ପାଇଛନ୍ତି। ସେଥିରେ ୪ ଟ୍ରଫି (ଅଷ୍ଟ୍ରେଲିଆନ୍‌ ଓପନ୍‌, ଦୁବାଇ, ସିନ୍‌ସିନାଟି ଏବଂ ରୋମ୍‌) ସାମିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe