ପଞ୍ଚମ ଟେଷ୍ଟ୍‌: ହେଡ୍‌ଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼

ପଞ୍ଚମ ଟେଷ୍ଟ୍‌: ହେଡ୍‌ଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼

ହୋବାର୍ଟ : ଶୁକ୍ରବାରଠୁ ଆରମ୍ଭ ହୋଇଥିବା‌ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ର ପ୍ରଥମ ଦିବସରେ ଟ୍ରାଭିସ୍‌ ହେଡ୍‌ଙ୍କ ଚିତାକର୍ଷକ ଶତକ ସାଙ୍ଗକୁ କାରେନ୍‌ ଗ୍ରିନ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଛି। ବର୍ଷା ଯୋଗୁଁ ଏହି ମ୍ୟାଚ୍‌ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଳେ ଚା’ପାନ ବିରତି ପରେ ପ୍ରାୟ ୨ ଘଣ୍ଟାର ଖେଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ପ୍ରଥମ ଦିବସରେ ମୋଟ ୫୯.୩ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୬ ୱିକେଟ୍‌ ହରାଇ ୨୪୧ ରନ୍‌ କରିଛି।

ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିଥିଲା। ଷ୍ଟୁଆର୍ଟ ବ୍ରଡ୍‌ ଏବଂ ଓଲି ରବିନ୍‌ସନ୍‌ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରି ପ୍ରଥମ ଘଣ୍ଟା ଖେଳରେ ଘରୋଇ ଦଳକୁ ୩ଟି ଝଟ୍‌କା ଦେଇଥିଲେ। ଡେଭିଡ୍‌ ୱର୍ଣ୍ଣର (୦) ଏବଂ ଷ୍ଟିଭେନ୍‌ ସ୍ମିଥ୍‌ (୦)ଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ରବିନ୍‌ସନ୍‌। ଏହାପରେ ମାର୍କସ ହାରିସ୍‌ଙ୍କ ବଦଳରେ ପାଳି ଆରମ୍ଭ କରିଥିବା ଗତ ଟେଷ୍ଟ୍‌ର ଶତକହାସକାରୀ ଉସ୍‌ମାନ ଖୱାଜା (୬) ଦଶମ ଓଭର ବେଳକୁ ପାଭିଲିୟନ୍‌ ଫେରିଯାଇଥିଲେ। ତାଙ୍କୁ ବ୍ରଡ୍‌ ଆଉଟ୍‌ କରିଥିଲେ। ତେବେ ମାର୍ନସ ଲବୁସାନେ (୪୪)ଙ୍କ ସହ ମିଶି ଟ୍ରାଭିସ୍‌ ହେଡ୍‌ ଚତୁର୍ଥ ୱିକେଟ୍‌ରେ ୭୧ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ହେଲେ ଲବୁସାନେଙ୍କୁ ଦ୍ବିତୀୟ ଶିକାର କରି ବ୍ରଡ୍‌ ଇଂଲଣ୍ଡକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ମାତ୍ର ହେଡ୍‌ ଓ ଗ୍ରିନ୍‌ ପଞ୍ଚମ ୱିକେଟ୍‌ରେ ୧୨୧ ରନ୍ ଯୋଡ଼ି ଭ୍ରମଣକାରୀ ବୋଲରଙ୍କୁ କିଛିଟା ନିରାଶ କରିଥିଲେ। ହେଡ୍‌ ୧୧୩ ବଲ୍‌ରୁ ୧୨ ଛୌକା ସହାୟତାରେ ୧୦୧ ରନ୍‌ କରି ଆଉଟ୍‌ ହେବା ପରେ ଗ୍ରିନ୍‌ (୭୪) ପ୍ରଥମ ଦିବସ ଶେଷ ୱିକେଟ୍‌ ଭାବେ ପାଭିଲିୟନ୍‌ ଫେରିଥିଲେ। ହେଡ୍‌ଙ୍କର ଏହା ଚତୁର୍ଥ ଟେଷ୍ଟ୍‌ ଶତକ ଥିଲା ବେଳେ ଚଳିତ ଶୃଙ୍ଖଳାରେ ଦ୍ବିତୀୟ। ବର୍ଷା ଯୋଗୁଁ ଆଗୁଆ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଆଲେକ୍ସ କାରି (୧୦) ଓ ମିଚେଲ ଷ୍ଟାର୍କ (୦) କ୍ରିଜ୍‌ରେ ରହିଛନ୍ତି। ବ୍ରଡ୍‌ ଓ ରବିନ୍‌ସନ୍‌ ୨-୨ ଏବଂ ମାର୍କ ଉଡ୍‌ ଓ କ୍ରିସ୍‌ ୱକ୍ସ ୧-୧ ୱିକେଟ୍‌ ହାସଲ କରିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ପ୍ରଥମ ପାଳି ୫୯.୩ ଓଭରରେ ୨୪୧/୬ (ଟ୍ରାଭିସ୍‌ ହେଡ୍‌-୧୦୧, କାମେରନ୍‌ ଗ୍ରିନ୍‌-୭୪, ମାର୍ନସ ଲବୁସାନେ-୪୪, ‌ଷ୍ଟୁଆର୍ଟ ବ୍ରଡ୍‌-୨/୪୮, ଓଲି ରବିନ୍‌ସନ୍‌-୨/୨୪, ମାର୍କ ଉଡ୍‌-୧/୭୯, କ୍ରିସ୍‌ ୱକ୍ସ-୧/୫୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe