ନୂଆଦିଲ୍ଲୀ: ଭେଟେରାନ୍ ସ୍ପିନର ନାଥନ୍ ଲାୟନ୍ଙ୍କୁ ସହାୟତା କରିବା ପାଇଁ ଅଷ୍ଟ୍ରେଲିଆ ପାଖରେ ଏକାଧିକ ସ୍ପିନ୍ ବିକଳ୍ପ ରହିଛି। ତେଣୁ ଅତିରିକ୍ତ ସ୍ପିନରଙ୍କୁ ନେଇ ଅଷ୍ଟ୍ରେଲିଆ ଚିନ୍ତିତ ନୁହେଁ ବୋଲି ଅଧିନାୟକ ପାଟ୍ କମିନ୍ସ କହିଛନ୍ତି। ଗୁରୁବାରଠୁ ନାଗପୁରରେ ଆରମ୍ଭ ହେଉଥିବା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଲେଗ୍ ସ୍ପିନର ମିଚେଲ୍ ସ୍ବିପସନ୍, ବାମହାତୀ ସ୍ପିନର ଅଷ୍ଟନ ଅଗର ଏବଂ ନବାଗତ ଅଫ୍ସ୍ପିନର ଟଡ୍ ମର୍ଫିଙ୍କୁ ଲାୟନ୍ଙ୍କ ସାଥୀ ସ୍ପିନର ଭାବେ ଦଳରେ ସାମିଲ କରାଯାଇଛି। ବେଙ୍ଗାଲୁରୁରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ଅଧିନାୟକ କମିନ୍ସ ପ୍ରଥମ ଥର ଗଣମାଧ୍ୟମକୁ ସାକ୍ଷତକାର ଦେବା ଅବସରରେ କହିଛନ୍ତି ଯେ ମ୍ୟାଚ୍ରେ ଦୁଇ ଜଣ ସ୍ପିନରଙ୍କ ଆବଶ୍ୟକତା ରହିବ କି ନାହିଁ ତାହା ପଡ଼ିଆରେ ପହଞ୍ଚିବା ପରେ ନିଷ୍ପତ୍ତି ନିଆଯିବ। ତଥାପି ଅଗର ଦଳ ସହିତ ଗତ ମ୍ୟାଚ୍ରେ ରହିଥିଲା ବେଳେ ସ୍ବିପସନ୍ ଦୁଇଟି ବିଦେଶୀ ଗସ୍ତରେ ଖେଳିସାରିଛନ୍ତି। ମର୍ଫି ମଧ୍ୟ ଗତ ଗସ୍ତ ବେଳେ ଦଳ ସହିତ ଥିଲେ। ତେଣୁ ଏମାନଙ୍କ ପାଖରେ ଅଭିଜ୍ଞତା ଭରପୂର ରହିଛି। ଏପରିକି ମଧ୍ୟକ୍ରମ ବ୍ୟାଟର ଟ୍ରାଭିସ୍ ହେଡ୍ ମଧ୍ୟ ପାର୍ଟ ଟାଇମ୍ ସ୍ପିନର ଭାବେ ବୋଲିଂ କରିପାରିବେ। କିନ୍ତୁ କେବଳ ସ୍ପିନରଙ୍କ ବିଷୟରେ ଆଲୋଚନା ହେଉଥିଲା ବେଳେ ଦଳର ଦ୍ରୁତ ବୋଲିଂ କ୍ରମକୁ ଏଡ଼ାଇ ଦିଆଯାଇପାରିବନି। ସିଡ୍ନି ୱିକେଟ୍ରେ ଦ୍ରୁତ ବୋଲରଙ୍କ ପାଇଁ ସେଭଳି କିଛି ସହାୟତା କରିବା ଭଳି ନଥିଲା, ତଥାପି ଆମ ବୋଲରମାନେ ସଫଳତା ପାଇଥିବା ସେ କହିଛନ୍ତି। ସୋମବାର ନାଗପୁର ଅଭିମୁଖେ ବାହାରିବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ବେଙ୍ଗାଲୁରୁରେ ଅଭ୍ୟାସ ଶିବିର ପକାଇଛି।
ଭାରତ ପାଇଁ ଚାଲେଞ୍ଜ ବାମହାତୀ ବ୍ୟାଟର, ସ୍ବିପ୍ ସଟ୍ ଉପରେ ଅଧିକ ଧ୍ୟାନ
ମହତ୍ବପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଏହାର ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେବା ପାଇଁ ଭାରତରେ ପହଞ୍ଚିସାରିଛି। ପ୍ରତିଯୋଗିତାକୁ ନଜରରେ ରଖି ଅଷ୍ଟ୍ରେଲିଆ ଖେଳାଳିମାନେ ନିଜ ଦେଶରେ ଏସ୍ଜି ବଲ୍ରେ ଅଭ୍ୟାସ କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ଏହି ଟ୍ରଫିର ଦୁଇଟି ଘରୋଇ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଲଗାତାର ପରାଜିତ ହୋଇଥିବାରୁ ଭାରତରେ ଅଭ୍ୟାସ ମ୍ୟାଚ୍ ଖେଳି ପରିସ୍ଥିତି ସହ ଖାପ ଖୁଆଇବାକୁ ଚେଷ୍ଟା କରିବ। ଏଭଳି ସ୍ଥିତିରେ ଭାରତୀୟ ଦଳରେ ମଧ୍ୟ କିଛି ସମସ୍ୟା ରହିଛି ଯେଉଁଥିରୁ ମୁକୁଳିବା ପାଇଁ ଦଳ ପକ୍ଷରେ ଅଧିକ କସରତ କରିବାକୁ ହେବ। ପୂର୍ବରୁ ଭାରତୀୟମାନେ ସ୍ପିନରଙ୍କୁ ଭଲ ଖେଳୁଥିଲେ, କିନ୍ତୁ ଏବେ ସ୍ପିନ ବୋଲିଂକୁ ସାମ୍ନା କରିବା ବେଳେ ଭାରତୀୟ ବ୍ୟାଟର ସଂଘର୍ଷ କରୁଛନ୍ତି। ସଡ଼କ ଦୁର୍ଘଟଣା ଯୋଗୁଁ ଋଷଭ ପନ୍ତ୍ ଏହି ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଯାହାଫଳରେ ସ୍ପିନରଙ୍କୁ ଟାର୍ଗେଟ୍ କରିପାରୁଥିବା ଭଳି ଜଣେ ପ୍ରମୁଖ ବ୍ୟାଟରଙ୍କ ଅଭାବ ପରିଲକ୍ଷିତ ହେବ। ମିଳିଥିବା ସୂଚନା ଅନୁଯାୟୀ, ୫ ଦିନ ପର୍ଯ୍ୟନ୍ତ ଭଲ ଟେଷ୍ଟ କ୍ରିକେଟ୍ ଖେଳାଯାଇପାରୁଥିବା ଭଳି ପିଚ୍ ପ୍ରସ୍ତୁତ କରିବାକୁ ୪ଟି ସ୍ଥାନର କ୍ୟୁରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ତେଣୁ ଭାରତୀୟ ଦଳରେ ସନ୍ତୁଳନ ରକ୍ଷା କରିବା ବଡ଼ ପ୍ରସଙ୍ଗ ରହିବ। ପନ୍ତ୍ଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ତେବେ ନବାଗତ ୱିକେଟରକ୍ଷକ ବ୍ୟାଟର କେଏସ୍ ଭରତଙ୍କୁ ୬ ନମ୍ବରରେ ବ୍ୟାଟିଂ କରାଇବାକୁ ଦଳ ଏପର୍ଯ୍ୟନ୍ତ ଭରସା ଜୁଟାଇ ପାରୁନାହିଁ। ଦଳ କେବଳ ଜଣେ ବାମହାତୀ ବ୍ୟାଟରଙ୍କ ସନ୍ଧାନରେ ରହୁଛି। ଯେଉଁଥିପାଇଁ ନିକଟରେ ସୁସ୍ଥ ହୋଇ ଦଳ ସହିତ ଯୋଗଦେଇଥିବା ରବୀନ୍ଦ୍ର ଜାଦେଜା ଏହାର ବିକଳ୍ପ ହୋଇପାରିବେ। ଗତ ଦୁଇ ବର୍ଷ ମଧ୍ୟରେ ପନ୍ତ୍ଙ୍କ ପରେ ଜାଦେଜା ହିଁ ଟେଷ୍ଟ କ୍ରିକେଟ୍ରେ ସ୍ଥିର ପ୍ରଦର୍ଶନ ଦେଇଆସିଛନ୍ତି। ଯଦି ପ୍ରଥମ ୬ ଜଣଙ୍କ ମଧ୍ୟରେ ଜାଦେଜାଙ୍କୁ ବ୍ୟାଟିଂ କରିବାକୁ ଦିଆଯାଏ, ତାହେଲେ ମ୍ୟାଚ୍ରେ ବ୍ୟାଟିଂ ଗଭୀରତା ଅଧିକ ରହିବ ଓ ଦଳ ୫ ବିଶେଷଜ୍ଞ ବୋଲରଙ୍କୁ ନେଇ ଖେଳିପାରିବ। ଅନ୍ୟପକ୍ଷରେ ବ୍ୟାଟରଙ୍କ ମଧ୍ୟରେ କିଏ ଅଧିକ ସୁଇପ୍ ସଟ୍ ଖେଳିପାରିବ ତାହାକୁ ନେଇ ଅଙ୍କକଷା ଚାଲିଛି। ସୂର୍ଯ୍ୟକୁମାର ଓ ଈଶାନ ଏହି ସଟ୍ ଖେଳିବାକୁ ପ୍ରଥମ ପସନ୍ଦ। ଶ୍ରେୟସ ଆୟର ପ୍ରଥମ ମ୍ୟାଚ୍ରେ ଖେଳିବା ସମ୍ଭାବନା କମ୍ ଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ନିଆଯାଇପାରେ। ମଧ୍ୟକ୍ରମରେ ସୁଇପ୍ ସଟ୍ ସହିତ ଅଧିକ ସମୟ ପିଚ୍ରେ ରହି ସ୍କୋର ଗଢିବା ଏମାନଙ୍କ ଉପରେ ବଡ଼ ଦାୟିତ୍ବ ରହିବ।
Follow Us