ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର, ଅଷ୍ଟ୍ରେଲିଆ ୧୦୭ ରନ୍‌ରେ ବିଜୟୀ

Advertisment

ଆଗରଙ୍କ ହ୍ୟାଟ୍ରିକ୍ ପଛରେ ଜାଦେଜାଙ୍କ ପ୍ରେରଣା

ଆଗରଙ୍କ ହ୍ୟାଟ୍ରିକ୍ ପଛରେ ଜାଦେଜାଙ୍କ ପ୍ରେରଣା

ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର, ଅଷ୍ଟ୍ରେଲିଆ ୧୦୭ ରନ୍‌ରେ ବିଜୟୀ

ଜୋହା‌ନେସବର୍ଗ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ଆଉ ଏକ ଶୋଚନୀୟ ପରାଜୟ ବରଣ କରିଛି। ଶନିବାର ପ୍ରଥମ ‌ଟ୍ବେଣ୍ଟି-୨୦କୁ ୧୦୭ ରନ୍‌ର ବୃହତ୍ ବ୍ୟବଧାନରେ ହାରିବା ସହ ଏହି ଫର୍ମାଟ୍‌ରେ ନିଜର ସର୍ବନିମ୍ନ ଦଳଗତ ସ୍କୋର ପାଇବାର ଅଲୋଡ଼ା କୀର୍ତ୍ତିମାନ କରିଛି। ଅଷ୍ଟ୍ରେଲିଆର ୧୯୬/୬ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୯ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ଦୁର୍ବଳ ବ୍ୟାଟିଂ ହିଁ ଦକ୍ଷିଣ ଆଫ୍ରିକାର ଦୟନୀୟ ପରାଜୟର ମୁଖ୍ୟ କାରଣ ହୋଇଛି। ସେହିଭଳି ଏକାଧିକ କ୍ୟାଚ୍ ହାତଛଡ଼ା କରିବା ଓ ଖରାପ କ୍ଷେତ୍ରରକ୍ଷଣ ମଧ୍ୟ ଏହି ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷରେ ଯୁବ ସ୍ପିନର ଆଷ୍ଟନ ଆଗରଙ୍କ ହ୍ୟାଟ୍ରିକ୍ ଅଷ୍ଟ୍ରେଲିଆକୁ ତିନି ଟିକିଆ ଶୃଙ୍ଖଳାରେ ୧-୦‌ରେ ଆଗୁଆ କରିଛି। ଆଗ‌ର ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ କରି ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ପାଇଛନ୍ତି। ସେ ମଧ୍ୟ ତ୍ରୟୋଦଶ ‌ଖେଳାଳି ଓ ବ୍ରେଟ୍ ଲି’ଙ୍କ ପରେ ଦ୍ବିତୀୟ ଅଷ୍ଟ୍ରେଲୀୟ ଭାବେ ଟ୍ବେଣ୍ଟି-୨୦ରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ତାଙ୍କ ଯାଦୁଗରୀ ବୋଲିଂ ପାଇଁ ଅଷ୍ଟ୍ରେଲିଆ ଲଗା‌ତାର ଅଷ୍ଟମ ବିଜୟ ହାସଲ କରି ଟ୍ବେଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। କଙ୍ଗାରୁ ଦଳର ଏହି ଅବିଚ୍ଛିନ୍ନ ଜୟଯାତ୍ରା ଫେବ୍ରୁଆରି ୨୦୧୯ରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଅବ୍ୟାହତ ରହିଛି।

ସ୍ଥାନୀୟ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ର୍ବଷ୍ଟ୍ରେଲିଆ ପାଇଁ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ସର୍ବାଧିକ ୪୫ ରନ୍ କରିଥିଲେ। କେପ୍‌ଟାଉନ ଟେଷ୍ଟ୍‌ର ବହୁ ଚର୍ଚିତ ବଲ୍ ବିକୃତ ବିବାଦ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଖେଳୁଥିବା ସ୍ମିଥ୍ ମାତ୍ର ୩୨ ବଲ୍‌ରୁ ୪୫ ରନ୍ କରିଥିଲେ। ଅଧିନାୟକ ଆରୋନ ଫିଞ୍ଚ୍ ୪୨, ଆଲେକ୍ସ କେରି ୨୭ ଓ ଆଗର ୯ ବଲ୍‌ରୁ ୨୦ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବୋଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଠିକ୍ ଲାଇନ୍ ଲେନ୍ଥ ପାଇଁ ସଂଘର୍ଷ କରିଥିଲେ। ସେଥିପାଇଁ ଦ୍ବିତୀୟ ବଲ୍‌ରେ ଡେଭିଡ୍ ୱାର୍ନରଙ୍କୁ ହରାଇବା ସତ୍ତ୍ବେ ଅଷ୍ଟ୍ରେଲିଆ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୬ ରନ୍ କରି ନେଇଥିଲା। ଦକ୍ଷିଣ ଆଫ୍ରିକାର ପଶ୍ଚାତଧାବନ ଆରମ୍ଭରୁ ଲାଇନଚ୍ୟୁତ ହୋଇଥିଲା। ତୃତୀୟ ବଲ୍‌ରେ ଅଧିନାୟକ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ହରାଇବାର ଝଟ୍‌କାରୁ ଦଳ ମୁକୁଳି ପାରି ନଥିଲା। ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ୪୪ ରନ୍‌ରେ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଶୋଚନୀୟ ସ୍ଥିତିରେ ଥିଲା ବେଳେ କାଗି‌ସୋ ରବାଦାଙ୍କ ୨୨ ରନ୍ ପାଇଁ ୫୦ ରନ୍ ଟପିଥିଲା। ଶେଷରେ ୧୪.୩ ଓଭରରେ ମାତ୍ର ୮୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଆଗରଙ୍କୁ ତାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୨୦ ଓଭରରେ ୧୯୬/୬ (ଷ୍ଟିଭେନ୍ ସ୍ମିଥ୍ ୪୫, ଆରୋନ ଫିଞ୍ଚ୍ ୪୨, ଆଲେକ୍ସ କେରି ୨୭, ଆଷ୍ଟନ୍ ଆଗର ୨୦*, ଡେଲ୍ ଷ୍ଟେନ୍ ୨/୩୧, ତାବ୍ରାଇଜ୍ ସାମସି ୨/୩୧)। ଦକ୍ଷିଣ ଆଫ୍ରିକା ୧୪.୩ ଓଭରରେ ୮୯ (ଫାଫ୍ ଡୁ’ପ୍ଲେସିସ୍ ୨୪, ପିଟେ ବିଲିୟନ୍ ୧୬, କାଗିସୋ ରବାଦା ୨୨, ଆଷ୍ଟନ୍ ଆଗର ୫/୨୪, ପ୍ୟାଟ୍ କମିନ୍ସ ୨/୧୩)।

ମ୍ୟାଚ୍ ପାଉଣାର ୨୦ ପ୍ରତିଶତ ହରାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହେବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଶୋଚନୀୟ ପରାଜୟ ବରଣ କରିଥିବା ଦକ୍ଷିଣ ଆଫ୍ରିକା ପାଇଁ କଟା ଘା’ରେ ଚୁନ ସଦୃଶ ହୋଇଛି। ଏଥିଲାଗି ମ୍ୟାଚ୍ ରେଫରି ଏହି ଦଳର ଖେଳାଳିଙ୍କ ମ୍ୟାଚ୍ ପାଉଣାର ୨୦ ପ୍ରତିଶତ କାଟି ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ନିର୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍ ବୋଲିଂ କରିଥିବା ଜଣାପଡ଼ିବା ପରେ ମ୍ୟାଚ୍ ରେଫରି ଆଣ୍ଡ୍ର୍ୟୁ ପାଇକ୍ରଫ୍ଟ ସେମାନଙ୍କୁ ଜରିମାନା କରିଥିଲେ। ଦକ୍ଷିଣ ଆଫ୍ରିକା ଖେଳାଳିମାନେ ନିଜ ଦୋଷ ମାନିନେବା ପରେ ଶୁଣାଣିର ଦରକାର ପଡ଼ି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe