ନୂଆଦିଲ୍ଲୀ : ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତରେ ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳା ଜିତି ନାହିଁ। ଶେଷ ଥର ପାଇଁ ୨୦୦୪ରେ ଦଳ ସଫଳ ହୋଇଥିଲା। ଭ୍ରମଣକାରୀ ଦଳ ପାଇଁ ମୁଖ୍ୟ ପ୍ରତିବଂଧକ ସାଜୁଥିବା ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନଙ୍କୁ ମୁକାବିଲା କରିବାକୁ ଏବେ ଅଷ୍ଟ୍ରେୃଲିଆ ତାଙ୍କ ଷ୍ଟାଇଲର ବୋଲିଂ କରୁଥିବା ଜଣେ ନକଲ ବୋଲରଙ୍କୁ ବେଙ୍ଗାଲୁରୁ ଅଭ୍ୟାସ ଶିବିରରେ ସାମିଲ କରିଛି। ୨୧ ବର୍ଷୀୟ ଏହି ଗୁଜୁରାଟ ପ୍ରଥମ ଶ୍ରେଣୀ କ୍ରିକେଟର୍ ହେଲେ ମହେଶ ପିଠିୟା। ନେଟ୍ସରେ ମହେଶ ମଧ୍ୟ ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ୍, ଟ୍ରାଭିସ୍ ହେଡଙ୍କୁ ଲମ୍ବା ସ୍ପେଲ୍ ବୋଲିଂ କରିବା ସହ ଅସୁବିଧାରେ ପକାଉଛନ୍ତି।
ମଜାଦାର କଥା ହେଉଛି ଟିଭି ଦେଖିବା ସ୍ଥିତିରେ ନଥିବାରୁ ମହେଶ ୧୧ ବର୍ଷ ହେବା ପର୍ଯ୍ୟନ୍ତ ଅଶ୍ବିନଙ୍କ ବୋଲିଂ ଷ୍ଟାଇଲ୍ ଜାଣିନଥିଲେ। ଗୁଜରାଟର ଜୁନାଗଡ଼ରେ ଜନ୍ମିତ ମହେଶ ୨୦୧୩ରେ ୱେଷ୍ଟଇଣ୍ଡିଜ୍ର ଭାରତ ଗସ୍ତ ବେଳେ ଅଶ୍ବିନଙ୍କ ଆକ୍ସନ ଦେଖିବା ପରଠାରୁ ତାଙ୍କୁ ଆଦର୍ଶ କରିନେଇଥିଲେ। ଗତ ଡିସେମ୍ବରରେ ବରୋଦା ପାଇଁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆ ଶିବିରରେ ସାମିଲ ହେବା ପରଠାରୁ ସାମାଜିକ ଗଣମାଧ୍ୟମରେ ମହେଶଙ୍କୁ ନେଇ ଢେର ଚର୍ଚ୍ଚା ଚାଲିଛି। ଅଶ୍ବିନଙ୍କ ନକଲ କରିବା କଷ୍ଟକର କାର୍ଯ୍ୟ ଥିଲେ ମଧ୍ୟ ତାଙ୍କ ଅନୁରୂପ ବୋଲିଂ କରୁଥିବା ମହେଶଙ୍କୁ ମୁକାବିଲା କରି ଅଷ୍ଟ୍ରେଲିଆ ଏହି ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା ପୂର୍ବରୁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ।
Follow Us