ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଆଲୋଡ଼ନ:ଓ୍ଵାର୍ନର ଚତୁର୍ଥ ଟେଷ୍ଟ୍‌ରୁ ବାସନ୍ଦ ହେବେ

Advertisment

କ୍ରିକେଟ୍‌ ଅଷ୍ଟ୍ରେଲିଆ ନିଷ୍ପତ୍ତିକୁ ଅପେକ୍ଷା କରିବ ସନ୍‌ରାଇଜର୍ସ:ସ୍ମିଥ୍‌ ଅତି ତଳକୁ ଖସି ଯାଇଛନ୍ତି: ଏମ୍‌ସିସି

କ୍ରିକେଟ୍‌ ଅଷ୍ଟ୍ରେଲିଆ ନିଷ୍ପତ୍ତିକୁ ଅପେକ୍ଷା କରିବ ସନ୍‌ରାଇଜର୍ସ:ସ୍ମିଥ୍‌ ଅତି ତଳକୁ ଖସି ଯାଇଛନ୍ତି: ଏମ୍‌ସିସି

ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଆଲୋଡ଼ନ:ଓ୍ଵାର୍ନର ଚତୁର୍ଥ ଟେଷ୍ଟ୍‌ରୁ ବାସନ୍ଦ ହେବେ

କେପଟାଉନ୍‌ ବଲ୍‌ ବିକୃତି ବିବାଦ ପଦାକୁ ଆସିବା ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଛି। ସେଠାକାର ସବୁ ଦୈନିକ ଖବରକାଗଜ ସ୍ମିଥ୍‌ ଏବଂ ତାଙ୍କ ଦଳର କଳା କାରନାମାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଛନ୍ତି। ଅଷ୍ଟ୍ରେଲିଆର ପ୍ରମୁଖ ଖବରକାଗଜ ଏହି ଘଟଣାକୁ ‘ସ୍ମିଥ୍‌ ଲଜ୍ଜା’ର ନାଁ ଦେଇଛନ୍ତି। ନିଜ ଦେଶର କ୍ରିକେଟରଙ୍କୁ କଡ଼ା ସମାଲୋଚନା କରିବା ସହ ଅଷ୍ଟ୍ରେଲିଆ ଗଣମାଧ୍ୟମ ନିଜ ଦେଶର ଦଳୀୟ ସଂସ୍କୃତି ବଦଳାଇବାକୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ଆହ୍ଵାନ କରିଛି। ଦି ଅଷ୍ଟ୍ରେଲିଆନ୍‌ ଘଟଣାକୁ ସ୍ମିଥ୍‌ ଲଜ୍ଜା ଭବେ ବର୍ଣ୍ଣନା କରିବା ସହ କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ସଦରଲାଣ୍ଡଙ୍କ ଇସ୍ତଫା ଦାବି କରିଛି। ସ୍ମିଥଙ୍କ ଦଳର ବିଶ୍ୱାସଘାତକତା ଅଷ୍ଟ୍ରେଲିଆ କ୍ରିକେଟକୁ ରସାତଳକୁ ଖସାଇ ଦେଲା ବୋଲି ଆଉ ଏକ ବହୁଳ ପ୍ରସାରିତ ଖବର କାଗଜ ଲେଖିଛି। ବିଶିଷ୍ଟ କ୍ରିକେଟ୍‌ ସ୍ତମ୍ଭକାର ପିଟର ଲୋଲାର ଲେଖିଛନ୍ତି ଯେ କୌଣସି ଉପାୟରେ ଜିତିବାର ଭାବନାକୁ ବଦଳାଇବାକୁ ହେବ। ଏଭଳି ଖୋଲାଖୋଲି ବିଶ୍ୱସଘାତକତା ଗ୍ରହଣୀୟ ନୁହେଁ। ଦି ମର୍ନିଂ ହେରାଲ୍ଡ ଲେଖିଛି ଯେ ଷ୍ଟିଭେନ୍‌ ସ୍ମିଥ୍‌ ଏବଂ ତାଙ୍କ ସମ୍ମାନ ଏହି ଘଟଣା ପରେ କେବେବି ସୁଧୁରିବ ନାହିଁ।
କେପଟାଉନ ଟେଷ୍ଟ୍‌ରେ ବଲ୍‌ ବିକୃତି କରିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ନେତୃତ୍ୱ ଗୋଷ୍ଠୀ ମିଳିମିଶି ନିଷ୍ପତ୍ତି ନେଇଥିଲେ। ଏହା ସେମାନଙ୍କ ଯୋଜନାର ଅଂଶ ଥିଲା। ଘଟଣା ଧରାପଡ଼ିଯିବା ପରେ କିନ୍ତୁ କେବଳ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କାମେରୁନ୍‌ ବନକ୍ରଫ୍ଟ ଦଣ୍ଡିତ ହୋଇଥିଲେ। ଉପ ଅଧିନାୟକ ଡେଭିଡ୍‌ ଓ୍ଵାର୍ନର କିନ୍ତୁ ଖସି ଯାଇଥିଲେ। ଚାରିଆଡ଼ୁ ଏଥିନେଇ ବିରୋଧର ସ୍ୱର ଉତ୍ତୋଳନ ହେବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ତାଙ୍କୁ ଜୋହାନେସବର୍ଗରେ ଖେଳା ଯିବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ୍‌ରୁ ବାଦ୍‌ ଦେବାକୁ ଚିନ୍ତା କରୁଥିବା ଜଣା ପଡ଼ିଛି। ଏପରିକି ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏହି ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଆଉ କେତେକ ଖେଳାଳିଙ୍କୁ ବସାଇ ନବାଗତ ଖେଳାଳିଙ୍କୁ ତା’ର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବାର ସମ୍ଭାବନା ଅଧିକ ରହିଛି। ସୂଚନାଯୋଗ୍ୟ ଯେ ଓ୍ଵାର୍ନର ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଉପ ଅଧିନାୟକ ପଦ ଛାଡ଼ି ସାରିଛନ୍ତି।

ବଲ୍‌ ବିକୃତି ବିବାଦ ପାଇଁ ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତଥା ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ ଡେଭିଡ୍‌ ଓ୍ଵାର୍ନର ଚଳିତବର୍ଷର ଆଇପିଏଲ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଓ୍ଵାର୍ନରଙ୍କୁ ନେଇ ଆମେ ହଠାତ୍‌ କୌଣସି ନିଷ୍ପତ୍ତି ନେବୁ ନାହିଁ ବୋଲି ସନରାଇଜର୍ସ ଦଳର ମାର୍ଗଦର୍ଶକ ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି। କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହି ମାମଲାରେ କୌଣସି ନିଷ୍ପତ୍ତି ନେବା ପରେ ଯାଇ ଆମେ ଓ୍ଵାର୍ନରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ସେ ବିଷୟରେ ଚିନ୍ତା କରିବୁ ବୋଲି ଲକ୍ଷ୍ମଣ ସୋମବାର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଏବେ ଏହି ବିଷୟରେ ଅଧିକ କିଛି କହିବା ଠିକ୍‌ ହେବ ନାହିଁ ବୋଲି ଲକ୍ଷ୍ମଣ ମତ ପ୍ରକାଶ କରିଛନ୍ତି।

କେପଟାଉନ୍‌ ବଲ୍‌ ବିକୃତି ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି କ୍ରିକେଟ୍‌ ନିୟମର ସଂରକ୍ଷକ ଏମ୍‌ସିସି (ମେରିଲବନ୍‌ କ୍ରିକେଟ୍‌ କ୍ଲବ୍‌)। ଏଭଳି ଘଟଣାକୁ ରୋକିବାକୁ ହେଲେ ଭାବନା, ମନୋଭାବ ଏବଂ ସଂସ୍କୃତିରେ ପରିବର୍ତନ ଆଣିବାକୁ ହେବ ବୋଲି ୧୭୮୭ରେ ସ୍ଥାପିତ ହୋଇଥିବା ଏମ୍‌ସିସି କହିଛି। ତେବେ ସ୍ମିଥଙ୍କୁ ନେଇ କ୍ଲବ୍‌ ଦେଇଥିବା ମନ୍ତବ୍ୟ ଅଷ୍ଟ୍ରେଲିଆରେ ଝଡ଼ ସୃଷ୍ଟି କରିଛି। ଏମସିସି ସ୍ମିଥଙ୍କୁ କଡ଼ା ସମାଲୋଚନା କରିବା ସହ ତାଙ୍କ ବ୍ୟବହାର ସବୁ ସୀମା ଟପି ଯାଇଛି। ଏପରିକି ଆଗାମୀ ପିଢ଼ିକୁ ଅନୁପ୍ରେରିତ କରିବା ଲାଗି ଦରକାର ମାନର ସର୍ବନିମ୍ନ ସ୍ତରକୁ ସ୍ମିଥ୍‌ ଖସି ଯାଇଛନ୍ତି ବୋଲି ସୋମବାର ଏହି ମାମଲା ନେଇ ପ୍ରକାଶ କରିଥିବା ପ୍ରେସ୍‌ ବିଜ୍ଞପ୍ତିରେ ଏମସିସି କହିଛି। ଖେଳାଳିଙ୍କ ଭାବନା ଏବଂ ମନୋଭାବକୁ ବଦଳାଇବାର ସମୟ ଆସି ଯାଇଛି ବୋଲି ଏହି ବିଜ୍ଞପ୍ତିରେ ମଧ୍ୟ କୁହା ଯାଇଛି। ମ୍ୟାଚ୍‌ ଅଧିକାରୀମାନେ ତୁରନ୍ତ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ଏମସିସି ସ୍ୱାଗତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe