କନିଷ୍ଠ ହକି ବିଶ୍ବକପ୍‌ ଓ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌: ଭାରତ ଆସିବେନି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌

Advertisment
କନିଷ୍ଠ ହକି ବିଶ୍ବକପ୍‌ ଓ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌: ଭାରତ ଆସିବେନି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌

ନୂଆଦିଲ୍ଲୀ : ପୁରୁଷ କନିଷ୍ଠ ହକି ବିଶ୍ବକପ୍‌ ସାଙ୍ଗକୁ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ ଦଳ ଭାରତ ଆସିବେନି। ସେମାନଙ୍କ ସରକାରଙ୍କ କରୋନା ମହାମାରୀ ଜନିତ ଭ୍ରମଣ କଟକଣା ଏବଂ ଅନିଶ୍ଚିତତା ଯୋଗୁଁ ଭାରତରେ ଆୟୋଜିତ ହେବାକୁ ଥିବା ଏହି ଦୁଇଟି ପ୍ରତିଯୋଗିତାରୁ ଉଭୟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ଶୁକ୍ରବାର ସ୍ପଷ୍ଟ ହୋଇଛି। ଏପରିକି ମହିଳା କନିଷ୍ଠ ବିଶ୍ବକପ୍‌ରୁ ମଧ୍ୟ ଏହି ଦୁଇ ଦେଶ ଓହରିଯାଇଛନ୍ତି। ଭାରତରେ ପୁରୁଷ କନିଷ୍ଠ ବିଶ୍ବକପ୍‌ ନଭେମ୍ବର-ଡିସେମ୍ବରରେ ହେବାକୁ ଥିଲା ବେଳେ ଭେନ୍ୟୁ ସ୍ଥିର ହୋଇନାହିଁ। ତଥାପି ଓଡ଼ିଶାରେ ହିଁ ଏହି ବିଶ୍ବକପ୍‌ ହେବା ସମ୍ଭାବନା ଅଧିକ ରହିଛି। ସେହିପରି ମହିଳା କନିଷ୍ଠ ବିଶ୍ବକପ୍‌ ଦକ୍ଷିଣ ଆଫ୍ରିକାର ପୋଚେଫ୍‌ଷ୍ଟ୍ରେୁମ୍‌ରେ ଆୟୋଜିତ ହେବ। ବିଶେଷକରି ବାଧ୍ୟତାମୂଳକ ସଂଗରୋଧ ନିୟମ ବ୍ୟତୀତ ଦୁଇ ତାସ୍‌ମାନ ରାଷ୍ଟ୍ରର ଭ୍ରମଣ କଟକଣା ବାଟ ଓଗାଳିଛି ବୋଲି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ପକ୍ଷରୁ କୁହାଯାଇଛି। ଏହି ଦୁଇ ରାଷ୍ଟ୍ରରୁ ବାହାରକୁ ଯିବା କିମ୍ବା ବାହାରୁ ଫେରିବା ପରର କଟକଣା ଯୋଗୁଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିବାକୁ ବାଧ୍ୟ ହୋଇଛୁ ବୋଲି ହକି ଅଷ୍ଟ୍ରେଲିଆ ଏବଂ ହକି ନ୍ୟୁଜିଲାଣ୍ଡ୍‌ କହିଛନ୍ତି। ସେହିପରି ପ୍ରୋ-ଲିଗ୍‌ରେ ମଧ୍ୟ ଅଂଶଗ୍ରହଣ କରିବା ସମ୍ଭବ ନୁହେଁ ବୋଲି ଉଭୟ ସଂଘ କହିଛନ୍ତି। ପୁଣି କନିଷ୍ଠ ହକି ବିଶ୍ବକପ୍‌ ଏବଂ ପ୍ରୋ-ଲିଗ୍‌ ବ୍ୟତୀତ ଆସନ୍ତାବର୍ଷ ଫେବ୍ରୁଆରିରେ ବେଲ୍‌ଜିୟମରେ ଆୟୋଜିତ ଇନ୍‌ଡୋର ହକି ବିଶ୍ବକପ୍‌ ସାଙ୍ଗକୁ ଆମେରିକାରେ ଆୟୋଜିତ ମାଷ୍ଟର୍ସ ଇନ୍‌ଡୋର ବିଶ୍ବକପ୍‌ରୁ ମଧ୍ୟ ଦୂରେଇ ରହିବାକୁ ହକି ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଛି।

ଏସୀୟ ଚାମ୍ପିଅନ୍‌ସ ଟ୍ରଫି ଡିସେମ୍ବରକୁ ଘୁଞ୍ଚିଲା
ନୂଆଦିଲ୍ଲୀ : ଆସନ୍ତା ମା‌ସ (ଅକ୍ଟୋବର ୧ରୁ ୯ ପର୍ଯ୍ୟନ୍ତ)ରେ ଢାକାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତା ଡିସେମ୍ବର ମାସକୁ ସ୍ଥଗିତ ରହିଛି। ଏନେଇ ଶୁକ୍ରବାର ଆୟୋଜକ ବାଂଲାଦେଶ ହକି ସଂଘ (ବିଏଚ୍‌ଏଫ୍‌) ସ୍ପଷ୍ଟ କରିଛି। ପରିବର୍ତିତ ସୂଚୀ ଅନୁଯାୟୀ ଏହି ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହେବ ବୋଲି ବିଏଚ୍‌ଏଫ୍‌ ସୂଚନା ଦେଇଛି। ଉପମହାଦେଶରେ ସଂପ୍ରତି କରୋନା ମହାମାରୀ ସ୍ଥିତି ସନ୍ତୋଷଜନକ ନଥିବାରୁ ଭ୍ରମଣ କଟକଣା, ସଂଗରୋଧର ଆବଶ୍ୟକତା ବାଟ ଓଗାଳୁଛି। ଫଳରେ ଏହି ବହୁ ଦଳୀୟ ଆନ୍ତର୍ଜାତିକ ପ୍ରତିଯୋଗିତା ଅକ୍ଟୋବରରେ ଆୟୋଜନ କରିବା ସମ୍ଭବ ନଥିବାରୁ ଏହାକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆୟୋଜକ ସଂଘ କହିଛି। ତେବେ ଏନେଇ ଏସୀୟ ହକି ସଂଘ ସହ ଏକାଧିକବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହାର ସିଇଓ ତାୟାବ ଇକ୍ରାମ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଅନ୍ୟପକ୍ଷରେ ସମାନ କାରଣ ପାଇଁ ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ପ୍ରତିଯୋଗିତା ମଧ୍ୟ ସ୍ଥଗିତ ରହିବ। ତଥାପି ଆନୁଷ୍ଠାନିକ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ। ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ଅକ୍ଟୋବର ୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଡଙ୍ଘାଇରେ ଆୟୋଜିତ ହେବାର ସୂଚୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe