ନୂଆ ଜର୍ସିରେ ଖେଳିଲା ଅଷ୍ଟ୍ରେଲିଆ

ମସ୍ତିଷ୍କାଘାତ ବଦଳ ନିୟମ

ନୂଆ ଜର୍ସିରେ ଖେଳିଲା ଅଷ୍ଟ୍ରେଲିଆ

ଶୁକ୍ରବାର ଭ୍ରମଣକାରୀ ଭାରତ ବିପକ୍ଷ ପ୍ରଥମ ଟି-୨୦ରେ ଘରୋଇ ଅଷ୍ଟ୍ରେଲିଆ ଖେଳାଳି ନୂଆ ସ୍ବତନ୍ତ୍ର ଜର୍ସି ପିନ୍ଧି ଖେଳିଥିଲେ। ଏହି ଜର୍ସିରେ ସେମାନଙ୍କ ଦେଶର ପାରମ୍ପରିକ ଐତିହ୍ୟର ଛାପ ରହିଥିଲା। ଏହାର ନିର୍ମାତା କମ୍ପାନି ଏଏସ୍‌ଆଇସିଏସ୍‌ ଏବଂ ଦୁଇ ଜଣ ସ୍ଥାନୀୟ ମହିଳା ଆଣ୍ଟି ‌ଫିଆନୋ କ୍ଲାକ୍‌ ଓ କର୍ଟନି ହେଜେନ ମିଳିତ ସହଯୋଗରେ ‌ଏହାର ଡିଜାଇନ୍‌ ପ୍ରସ୍ତୁତ ହୋଇଥିଲା। ଏଥିରେ ପୂର୍ବପୁରୁଷ, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଆଦିମ କ୍ରିକେଟର୍‌ ଏବଂ ଅଷ୍ଟ୍ରେଲିଆର ଦେଶୀୟ ଐତିହ୍ୟକୁ ଏମାନେ ରଖିଛନ୍ତି। କ୍ଲାକ୍‌ ଦିବଂଗତ କ୍ରିକେଟର ମାସ୍କିଟୋଙ୍କ ବଂଶଜ ଅଟନ୍ତି। ୧୮୬୮ରେ ଇଂଲଣ୍ଡ ଗସ୍ତ କରିଥିବା ଅଷ୍ଟ୍ରେଲିଆ ଦଳରେ କେବଳ ମାସ୍କିଟୋ ସ୍ବଦେଶୀ ଖେଳାଳି ଥିଲେ। ଅଷ୍ଟ୍ରେଲିଆର ପ୍ରଥମ କ୍ରୀଡ଼ା ଦଳ ଭାବେ ଏହି ଦଳ ବାହାରେ ଖେଳିଥିଲା। ‘‘ଦେଶର ପ୍ରଥମ ବ୍ୟକ୍ତି ଭାବେ ଆମ ଖେଳାଳି ଭାରତ-ଅଷ୍ଟ୍ରେଲିଆ ଟି-୨୦ ଶୃଙ୍ଖଳାରେ ଦେଶର ପାରମ୍ପରିକ ଐତିହକୁ ବହନ କରୁଥିବା ଜର୍ସି ପିନ୍ଧିଛି’’ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ଶୁକ୍ରବାର ଟ୍ବିଟର୍‌ରେ ପ୍ରକାଶ କରିଛି।

ମସ୍ତିଷ୍କାଘାତ ବଦଳ ନିୟମ
କ୍ରିକେଟ୍‌ ପଡିଆରେ କୌଣସି ଖେଳାଳିଙ୍କ ମୁଣ୍ଡରେ ବଲ୍‌ ବାଜିଲେ ଆଇସିସି ଅନୁମୋଦନ କ୍ରମେ ଜଣେ ବଦଳ ଖେଳାଳିଙ୍କୁ ଖେଳାଇବାର ନିୟମ ଗତବର୍ଷଠାରୁ ପ୍ରଚଳିତ ହୋଇ ଆସିଛି। ବଦଳ ଖେଳାଳି ମସ୍ତିଷ୍କାଘାତର ଶିକାର ହୋଇଥିବା ଖେଳାଳିଙ୍କ ଭଳି ତଥା ସମଦକ୍ଷତାର ହୋଇଥିବା ନିୟମ ରହିଛି। ଯେଭଳି ମ୍ୟାଚ୍‌ର ଅବଶିଷ୍ଟ ଭାଗରେ ବଦଳ ଖେଳାଳି ଜଣଙ୍କ ନିଜ ଦଳ ପାଇଁ ଅତିରକ୍ତି ଫାଇଦା ନ ଦେବେ ସେଥି ପ୍ରତି ଦୃଷ୍ଟି ରଖି ଅନୁମୋଦନ କରିବାକୁ କୁହାଯାଇଥିଲା। ମନୋନୀତ ବଦଳ ଖେଳାଳି ସାଧାରଣ ଭାବେ ଆହତ ଖେଳାଳିର ସମାନ ଭୂମିକା ତୁଲାଇବାର ଆବଶ୍ୟକ ବୋଲି କୁହାଯାଇଛି। ତେଣୁକରି ବ୍ୟାଟିଂ ପରେ ମସ୍ତିଷ୍କାଘାତ ପାଇଁ ଓହରିଥିବା ଜାଦେଜାଙ୍କ ବଦଳରେ କେବଳ ତାଙ୍କ ସ୍ପିନ୍‌ ବିକଳ୍ପ ଭାବେ ଚହଲଙ୍କୁ ଅନୁମତି ମିଳିଥିଲା। ଏହାକୁ ନେଇ ବିତର୍କର ପ୍ରଶ୍ନ ଉଠିବାର କିଛି କାରଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe