NDTV Sports
ଆଡିଲେଡ୍ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବବୃହତ ବିଜୟ (ରନ୍ ବ୍ୟବଧାନ) ହାସଲ କରି ଅଷ୍ଟ୍ରେଲିଆ ୨ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିନେଇଛି। ରବିବାର ଆଡିଲେଡ୍ ଟେଷ୍ଟର ଚତୁର୍ଥ ଦିନ ସକାଳେ ମାତ୍ର ୯୦ ମିନିଟ୍ ଖେଳରେ ଅଷ୍ଟ୍ରେଲିଆ ବିଜୟର ଔପଚାରିକତା ଶେଷ କରି ଦେଇଥିଲା। ୪୯୭ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ୩୮/୪ରୁ ଖେଳିଥିବା ୱେଷ୍ଟଇଣ୍ଡିଜ୍ ୭୭ ରନ୍ରେ ଏହାର ଦ୍ବିତୀୟ ପାଳିକୁ ଶେଷ କରି ଲଜ୍ଜାଜନକ ଭାବେ ୪୧୯ ରନ୍ରେ ହାରିଥିଲା। ରବିବାର ପତନ ଘଟିଥିବା ଶେଷ ୬ ୱିକେଟ୍ ମଧ୍ୟରୁ ମାଇକେଲ୍ ନେସର୍ ଓ ମିଚେଲ୍ ଷ୍ଟାର୍କ ୫ ୱିକେଟ୍ ବାଣ୍ଟି ନେଇଥିଲେ। ଟାଗେନାରାୟଣ ଚନ୍ଦରପଲ୍ ସର୍ବାଧିକ ୧୭ ରନ୍ କରିଥିଲେ। ଏଥି ସହିତ ଦିବାରାତ୍ର ଟେଷ୍ଟ୍ରେ ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାର କରି ୧୧-୦ରେ ଅଗ୍ରଣୀ ରହିଛି।
‘ବଡ଼ ଭାଗୀଦାରି ମ୍ୟାଚ୍ରେ ସୁଯୋଗ ଦେବା ପରେ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ଗୋଲାପୀ ବଲ୍ ଟେଷ୍ଟରେ ଆମକୁ ଅପରାଜେୟ ରଖିଛନ୍ତି’ ବୋଲି ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର କାମଚଳା ଅଧିନାୟକ ଷ୍ଟିଭେନ୍ ସ୍ମିଥ୍। ବିଗତ ୫ ପାଳିରେ ୪ ଶତକ ହାସଲ କରିଥିବା ମାର୍ନସ ଲବୁସାନଙ୍କୁ ବିଶେଷ ଭାବେ ପ୍ରଶଂସା କରିଥିଲେ ସ୍ମିଥ୍। ନେଟ୍ସରେ ଲବୁସାନ୍ କଠିନ ପରିଶ୍ରମ କରି ନିଜକୁ ପ୍ରମାଣିତ କରି ସାରିଛନ୍ତି ବୋଲି ସେ କହିଥିଲେ। କିଛି ଖେଳାଳିଙ୍କୁ ଆହତ ସମସ୍ୟା ପାଇଁ ହରାଇବା ସତ୍ତ୍ବେ ଦ୍ବିତୀୟ ଟେଷ୍ଟର ପ୍ରଦର୍ଶନ ନିରାଶାଜନକ ବୋଲି ସ୍ବୀକାର କରିଛନ୍ତି ୱେଷ୍ଟଇଣ୍ଡିଜ୍ ଅଧିନାୟକ କ୍ରେଗ୍ ବ୍ରାଥୱେଟ୍। ସ୍ଥାନୀୟ ଖେଳାଳି ଟ୍ରାଭିସ୍ ହେଡ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ମାର୍ନସ ଲବୁସାନ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଅଷ୍ଟ୍ରେଲିଆ ଏହା ପରେ ଦକ୍ଷିଣ ଆଫ୍ରିକା ସହିତ ଡିସେମ୍ବର ୧୭ ତାରିଖରୁ ୩ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ବ୍ରିସବେନ୍ରୁ ଆରମ୍ଭ କରିବ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୫୧୧/୭, ଘୋଷିତ (ଟ୍ରାଭିସ୍ ହେଡ୍-୧୭୫, ମାର୍ନସ ଲବୁସାନ୍-୧୬୩) ଏବଂ ୧୯୯/୬, ଘୋଷିତ (ଉସମାନ ଖୱାଜା-୪୫, ଅଲଜାରି ଯୋସେଫ୍-୩/୩୩)। ୱେଷ୍ଟଇଣ୍ଡିଜ୍: ୨୧୪ (ଟାଗେନାରାୟଣ ଚନ୍ଦରପଲ୍-୪୭, ନାଥନ ଲାୟନ୍-୩/୫୭) ଓ ୭୭ (ଟାଗେନାରାୟଣ ଚନ୍ଦରପଲ୍-୧୭, ସ୍କଟ୍ ବୋଲାଣ୍ଡ୍-୩/୧୬, ମାଇକେଲ୍ ନେସର୍-୩/୨୨, ମିଚେଲ୍ ଷ୍ଟାର୍କ-୩/୨୯)।
Follow Us