ବିଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ

Advertisment

ଜିତିଲା ଭାରତ, ହାରିଲା ଥଣ୍ଡରଷ୍ଟିକ୍ସ

ଜିତିଲା ଭାରତ, ହାରିଲା ଥଣ୍ଡରଷ୍ଟିକ୍ସ

ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ରଙ୍କ ନାମ ସୁପାରିସ କରିଛନ୍ତି ଓଡ଼ିଶା ସରକାର

ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ହକି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆସନ୍ତା ମାସରେ ଭୁବନେଶ୍ବରରେ ଖେଳାଯିବାକୁ ଥିବା ଏଫ‌୍ଆଇଏଚ୍‌ ସିରିଜ୍ ଫାଇନାଲ୍ସ ପୂର୍ବରୁ ଏହି ଗସ୍ତ କରିଥିବା ଭାରତୀୟ ଦଳ ବୁଧବାର ପ୍ରଥମ ମୁକାବିଲାରେ ୨-୦ ଗୋଲ୍‌ରେ ପଶ୍ଚିମ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ପରାସ୍ତ କରି ଦେଇଛି। ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ ଏବଂ ଅଧିନାୟକ ମନପ୍ରୀତ୍ ସିଂହଙ୍କ ନେତୃତ୍ବରେ ଖେଳୁଥିବା ଭାରତ ୨୩ତମ ମିନିଟ୍‌ରେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରାଙ୍କ ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ଡିଫେଣ୍ଡର ବୀରେନ୍ଦ୍ର ଚମତ୍କାର ଢଙ୍ଗରେ ଫିଲ୍‌ଡ ଗୋଲ୍‌ କରି ଭାରତ ବିଜୟର କର୍ଣ୍ଣଧାର ସାଜିଥିଲେ। ଯାହା ଫଳରେ ପ୍ରଥମାର୍ଧ ୧-୦ରେ ଭାରତ ସପକ୍ଷରେ ରହିଥିଲା‌। ବୀରେନ୍ଦ୍ର ମଧ୍ୟ ୪୦ତମ ମିନିଟ୍‌ରେ ଆଉ ଏକ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ। ହେଲେ ଏଥର ସଫଳ ହୋଇନଥିଲେ। ପ୍ରଥମ କ୍ବାର୍ଟର ଭଳି ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟଭାବେ ଶେଷ ହୋଇଥିଲା। ଚତୁର୍ଥ କ୍ବାର୍ଟର୍‌ରେ ହରମନ୍‌ପ୍ରୀତ ସିଂହ (୫୦ ମିନିଟ୍‌) ଆଉ ଏକ ଗୋଲ୍‌ ଦେଇ ଦଳର ବିଜୟ ବ୍ୟବଧାନକୁ ବଢ଼ାଇଥିଲେ। ଏହି ମ୍ୟାଚ୍‌ ଜରିଆରେ ପଦାର୍ପଣ କରିଥିବା ଯଶ୍‌କରଣ ସିଂହ ପଞ୍ଚମ ମିନିଟ୍‌ରେ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଅଭିଜ୍ଞ ଆକାଶଦୀପ୍‌ ସିଂହ ମଧ୍ୟ ଗୋଲ୍‌ କରିବାରେ ବିଫଳ ହେବାରୁ ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ତଥାପି ଶେଷ କ୍ବାର୍ଟରର ୫୭ ମିନିଟ୍‌ରେ ଘରୋଇ ଦଳ ଲାଗ ଲାଗ ଦୁଇଟି ପେନାଲ୍‌ଟି କର୍ନର ପାଇଥିଲା। ହେଲେ ଭାରତୀୟ ରକ୍ଷଣଭାଗ ଉଭୟ ପ୍ରୟାସକୁ ନିଷ୍ଫଳ କରିଦେବାରୁ ମ୍ୟାଚ୍‌ ଏକପାଖିଆ ଭା‌ବେ ଶେଷ ହୋଇଥିଲା। ଭାରତ ଏହି ଗସ୍ତର ପରବର୍ତୀ ମ୍ୟାଚ୍‌ ଆସନ୍ତା ଶୁକ୍ରବାର ଦିନ ଅଷ୍ଟ୍ରେଲିଆ-ଏ’ ଦଳ ସହ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe