ଅଷ୍ଟ୍ରେଲିଆ ବନାମ ୟୁରୋପ, ଆଜି ସେମିଫାଇନାଲ୍‌

ଅଷ୍ଟ୍ରେଲିଆ ବନାମ ୟୁରୋପ, ଆଜି ସେମିଫାଇନାଲ୍‌

ଭୁବନେଶ୍ବର: ଚଳିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଉଭୟ ସେମିଫାଇନାଲ୍ ମ୍ୟାଚ୍ ଶନିବାର ଖେଳାଯିବ। ଅପରାହ୍ନ ୪ଟାରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଭେଟିବ ବେଲ୍‌ଜିୟମକୁ। ସଂଧ୍ୟା ୬.୩୦ ମିନିଟରେ ହେବ ଦୁଇ ବଡ଼ ମହାଦେଶୀୟ ଲଢ଼େଇ ଯେଉଁଥିରେ ଅଷ୍ଟ୍ରେଲିଆ ଆଗରେ ରହିଛି ନେଦରଲାଣ୍ଡ। ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା, ୨ ଥର ମୁକୁଟଧାରୀ ଜର୍ମାନି, ଆୟୋଜକ ଭାରତ, ୪ ଥର ବିଜେତା ପାକିସ୍ତାନର ବିଦାୟ ପରେ ଏବେ ଅନ୍ୟୁନ ଗୋଟିଏ ଦେଶ ପ୍ରଥମ ଥର ବିଶ୍ବକପ୍ ଜିତିବାର ସୁଯୋଗ ପାଇବେ। ଗତ ଥରର ଫାଇନାଲିଷ୍ଟ୍ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ୍‌ ସେମିଫାଇନାଲ ପ୍ରତିଦ୍ବନ୍ଦ୍ବୀ ପାଲଟିଥିବାରୁ ଏବେ ଗୋଟିଏ ଦଳକୁ ଲଗାତାର ଫାଇନାଲରୁ ବଞ୍ଚିତ ହେବାକୁ ପଡ଼ିବ। ଏହି ଦୁଇ ଦେଶ ହିଁ ଚଳିତ ବିଶ୍ବକପ୍‌ରେ ଆକ୍ରମଣାତ୍ମକ ହକି ଖେଳିବାରେ ଧୂରନ୍ଧର। କଳିଙ୍ଗ ଷ୍ଟାଡିୟମ ପ୍ରଶଂସକ ସେ ଦୃଷ୍ଟିରୁ ଫାଇନାଲ୍‌ ପୂର୍ବରୁ ଫାଇନାଲ୍‌ ମ୍ୟାଚ୍ ଦେଖିବାର ଅବକାଶ ପାଇବେ ଦ୍ବିତୀୟ ସେମିଫାଇନାଲରେ। ପ୍ରଥମ ସେମିଫାଇନାଲରେ ନିଶ୍ଚିତ ବିଜୟୀ ଦଳ ଅପୂର୍ବ ସୁଯୋଗ ପାଇବେ। ବିଶ୍ବକପ୍ ଇତିହାସରେ ଇଂଲଣ୍ଡ ଏବଂ ବେଲ୍‌ଜିୟମ୍ ସଫଳ ଦଳ ନୁହନ୍ତି। ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ବେଲଜିୟମ୍ ପ୍ରଥମ ଥର ସେମିଫାଇନାଲ୍‌ ଉଠିଛି। ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ ପଞ୍ଚମ ସ୍ଥାନ ଦଖଲ ଯାହାକୁ ସେ ୪ ବର୍ଷ ତଳେ ପାଇଥିଲା। ସେହିଭଳି ଗତ ସଂସ୍କରଣରେ ଚତୁର୍ଥ ରହିଥିବା ଇଂଲଣ୍ଡ ବିଶ୍ବକପ୍‌ରେ ଥରେ ମାତ୍ର ପଦକ ଜିତିଛି। ତା ପୁଣି ୩୨ ବର୍ଷ ତଳେ ୧୯୮୬ ମସିହାରେ ଆୟୋଜକ ଭାବେ ରୌପ୍ୟରେ ସୀମିତ ରହିଛି। କ୍ରସ୍ ଓଭର ନ ଖେଳି ସେମିଫାଇନାଲ୍‌ ପହଞ୍ଚିଥିବା ଏକମାତ୍ର ଦେଶ ହେଉଛି ଅଷ୍ଟ୍ରେଲିଆ। ୧୯୭୮ ମସିହାଠାରୁ ପ୍ରତିଥର ସେମିଫାଇନାଲ୍ ଖେଳି ଆସୁଥିବା ଏହି ଦେଶକୁ ହରାଇବା ନିଶ୍ଚିତ କଷ୍ଟକର ବ୍ୟାପାର। ସେହିଭଳି ସେମିଫାଇନାଲ୍ ପ୍ରତିଦ୍ବନ୍ଦ୍ବୀ ୪ ଦେଶ ମଧ୍ୟରୁ ଅଷ୍ଟ୍ରେଲିଆକୁ ଛାଡ଼ିଦେଲେ ଅନ୍ୟ ୩ ଦେଶ ୟୁରୋପୀୟ। ଏହି କୁକାବୁରା ଦଳ ହାରିଗଲେ ୟୁରୋପକୁ ୧୨ ବର୍ଷ ପରେ ବିଶ୍ବକପ୍ ଫେରିବା ନିଶ୍ଚିତ। ୨୦୦୬ରେ ଶେଷ ଥର ପାଇଁ ଜର୍ମାନି ବିଶ୍ବକପ୍ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe