ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ପର୍ଥରେ ଚାଲିଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ୍ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ଘରୋଇ ଦଳ ପ୍ରଥମ ପାଳିରେ ବଡ଼ ଅଗ୍ରଣୀ ନେବା ସହ ଦ୍ବିତୀୟ ପାଳିରେ ଭାରତ ସଂଘର୍ଷ କରିବାରୁ ପରାଜୟ ଦ୍ବାରଦେଶରେ ପହଞ୍ଚିଯାଇଛି।
ଶୁକ୍ରବାର ପ୍ରଥମ ଦିନରେ ଭାରତ ପ୍ରଥମ ପାଳି ୧୯୮ ରନ୍ରେ ଶେଷ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଶନିବାର ୯୬/୩ରୁ ଖେଳ ଆରମ୍ଭ କରି ୩୨୩ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଆନାବେଲ୍ ସଦରଲାଣ୍ଡ୍ଙ୍କ ଶତକ (୧୭୧ ବଲ୍ରୁ ୧୨୯ ରନ୍) ଏବଂ ଏଲିସ୍ ପେରି (୧୧୬ ବଲ୍ରୁ ୭୬ ରନ୍) ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୨୫ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ନେଇଯାଇଥିଲା। ସଦରଲାଣ୍ଡ୍ କ୍ରମାଗତ ତୃତୀୟ ଶତକ ସହ କ୍ୟାରିୟରର୍ ଚତୁର୍ଥ ଟେଷ୍ଟ୍ ଶତକ ଅର୍ଜନ କରିଛନ୍ତି। ନିମ୍ନକ୍ରମରେ ଲୁସି ହାମିଲଟନ୍ (୨୩) ଓ ଆଲନା କିଙ୍ଗ୍ (୨୧) ଉପଯୋଗୀ ପାଳି ଖେଳିବାରୁ ଅଷ୍ଟ୍ରେଲିଆ ଶେଷ ୪ ୱିକେଟ୍ରେ ୮୨ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ପ୍ରଥମ ପଦାର୍ପଣକାରୀ ଦ୍ରୁତ ବୋଲର ସାୟଲୀ ସତ୍ଘରେ (୪/୫୦) ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ୨-୨ ୱିକେଟ୍ ଏବଂ ସ୍ନେହ ରାଣା ଓ ଶେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ଆହୁରି ପଢ଼ନ୍ତୁ: Richa Ghosh auction price: ଦ ହଣ୍ଡ୍ରେଡ୍ ନିଲାମରେ ୧୨ ଭାରତୀୟ ମହିଳା କ୍ରିକେଟର୍: ରିଚାଙ୍କ ଦର ସବୁଠୁ ଅଧିକ
ଜବାବରେ ଭାରତ ଦ୍ବିତୀୟ ପାଳିରେ ଦ୍ବିତୀୟ ରାତି ଖେଳ ଶେଷ ସୁଦ୍ଧା ମାତ୍ର ୧୦୫ ରନ୍ରେ ୬ ୱିକେଟ୍ ହରାଇ ବସିଛି। ପ୍ରତୀକା ରାୱଲ (୮୪ ବଲ୍ରୁ ୪୩* ରନ୍) ଏବଂ ସ୍ନେହ ରାଣା (୧୭ ବଲ୍ରୁ ୧୪* ରନ୍) ବ୍ୟାଟିଂ କରୁଛନ୍ତି। ଦଳର ୫ ବରିଷ୍ଠ ତଥା ଅଭିଜ୍ଞା ଖେଳାଳି ସ୍ମୃତି ମନ୍ଧାନା (୨), ଶେଫାଳି ବର୍ମା (୫), ହର୍ମନପ୍ରୀତ୍ କୌର୍ (୧୧), ଜେମିମା ରଡ୍ରିଗ୍ସ (୧୪), ଦୀପ୍ତି ଶର୍ମା (୯) ବିଫଳ ହେବା ଭାରତକୁ ବିପଦ ମୁହାଁ କରିଛି। ପ୍ରଥମ ପଦାର୍ପଣ କରିଥିବା ଲୁସି ହାମିଲଟନ ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ବି ୩ ୱିକେଟ୍ ନେଇ ସାରିଛନ୍ତି। ଆନାବେଲ୍ ସଦରଲାଣ୍ଡ୍ ୨ ଓ ଡାର୍ସି ବ୍ରାଉନ୍ ୧ ୱିକେଟ୍ ନେଇଛନ୍ତି। ଭାରତ ହାତରେ ଆଉ ମାତ୍ର ୪ ୱିକେଟ୍ ଥିବାବେଳେ ଭ୍ରମଣକାରୀ ହର୍ମନପ୍ରୀତ୍ କୌରଙ୍କ ଦଳ ଏବେ ବି ୨୦ ରନ୍ ପଛରେ ରହିଛି।
Follow Us