ଅଟକିଗଲା ବିଜୟ ରଥ: ତୃତୀୟ ଟ୍ବେଣ୍ଟି-୨୦କୁ ୧୨ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ, ଭାରତ ୨-୧ରେ ଶୃଙ୍ଖଳା ବିଜୟୀ

ଅଟକିଗଲା ବିଜୟ ରଥ: ତୃତୀୟ ଟ୍ବେଣ୍ଟି-୨୦କୁ ୧୨ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ, ଭାରତ ୨-୧ରେ ଶୃଙ୍ଖଳା ବିଜୟୀ

ସିଡ୍‌ନି: ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ଦ୍ବିତୀୟବାର ମୂଳପୋଛ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ କ୍ରିକେଟ୍ ଦଳ। ମଙ୍ଗଳବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦କୁ ୧୨ ରନ୍‌ରେ ହାରିବା ପରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ଜିତିବା ସୁଯୋଗ କୋହଲି ବାହିନୀ ହାତରୁ ଅଚାନକ ଖସି ଯାଇଛି। ତେବେ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ଆଧାରରେ ଭାରତର ଶୃଙ୍ଖଳା ବିଜୟ ଉପରେ ଏହି ପରାଜୟର କୌଣସି ପ୍ରଭାବ ପଡ଼ିନାହିଁ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜ ପରାଜୟ ବ୍ୟବଧାନକୁ ୧-୨କୁ କମାଇ ପାରିଛି। ଏହା ପୂର୍ବରୁ ୨୦୧୫-୧୬ ଗସ୍ତରେ ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ କୌଣସି ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମୂଳପୋଛ କରିଥିଲା ଭାରତ। ଏଥର କିନ୍ତୁ ଅଳ୍ପକେ ଏଥିରୁ ବଞ୍ଚିତ ହୋଇଛି। ସେହିଭଳି ଟ୍ବେଣ୍ଟି-୨୦ରେ ଭାରତର ୧୨ ମ୍ୟାଚ୍ ଅପରାଜେୟ ଧାରା ବି ଅଟକିଯାଇଛି। ଲଗାତାର ୯ ମ୍ୟାଚ୍ ଜିତିବା ପରେ ଭାରତ ମଙ୍ଗଳବାର ପ୍ରଥମ ଟ୍ବେଣ୍ଟି-୨୦ ପରାଜୟ ବରଣ କରିଛି। ଶେଷ ଥର ପାଇଁ ଭାରତ ୨୦୧୯ ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିଥିଲା। ବିଦେଶ ମାଟିରେ ୧୧ ମ୍ୟାଚ୍ ପରେ ଏହା ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ପରାଜୟ। ବିଦେଶରେ କୋହଲିଙ୍କ ଦଳ ଶେଷ ଥର ପାଇଁ ଫେବ୍ରୁଆରି ୨୦୧୯ରେ ହାମିଲଟନଠାରେ ନ୍ୟୁଜିଲାଣ୍ଡଠାରୁ ହାରିଥିଲା।

ୱାଦେ-ସ୍ବିପସନ୍‌ ଏଡ଼ାଇଲେ ମୂଳପୋଛ
ଆଜିର ଏହି ମୁକାବିଲାରେ ଭାରତ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୱାସିଂଟନ ସୁନ୍ଦର ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କୁ ଖାତା ଖୋଲିବାର ସୁଯୋଗ ନଦେଇ ଅଧିନାୟକ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖିଥିଲେ। ତେବେ ୱିକେଟ୍ ରକ୍ଷକ ମାଥ୍ୟୁ ୱାଦେ (୮୦ ରନ୍, ୫୩ ବଲ୍, ୭ ଚୌକା, ୨ ଛକା) ଓ ଅଲରାଉଣ୍ଡର ‌ଗ୍ଲେନ୍ ମ୍ୟାକ୍ସୱେଲ (୫୪ ରନ୍, ୩୬ ବଲ୍, ୩ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନ୍ କରି ନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ ସ୍ମିଥ୍ ୨୩ ବଲ୍‌ରୁ ୨୪ ରନ୍ କରିଥିଲେ। ୱାଦେଙ୍କର ଏକ ଏଲ୍‌ବିଡବ୍ଲ୍ୟୁ ରିଭ୍ୟୁକୁ ହାତଛଡ଼ା କରିବା ଏବଂ ମ୍ୟାକ୍ସୱେଲ୍‌ଙ୍କୁ ଏକାଧିକ ଜୀବନଦାନ ଦେବା ଭାରତ ପାଇଁ ଶେଷରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। କୋହଲି ବାହିନୀ ସମ୍ମୁଖରେ କଙ୍ଗାରୁ ସେନା ୧୮୭ ରନ୍‌ର ଆହ୍ବାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

କୋହଲିଙ୍କ ଅର୍ଧଶତକ ବେକାର
ବଡ଼ ବିଜୟ ଲକ୍ଷ୍ୟ ହୋଇଥିଲେ ମଧ୍ୟ ଭାରତର ଦୁଇଜଣ ପ୍ରତିଭାବାନ ଯୁବ ତାରକା କେଏଲ୍ ରାହୁଲ ଓ ଶ୍ରେୟସ ଆୟର ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ରାହୁଲ ଦ୍ବିତୀୟ ବଲ୍‌ରେ ହିଁ କାମଚଳା ସ୍ପିନର ମ୍ୟାକ୍ସୱେଲଙ୍କ ଶିକାର ହୋଇଥି‌ଲେ। ସେହିଭଳି ମ୍ୟାଚ୍‌ ନିର୍ଣ୍ଣାୟକ ମୋଡ଼ରେ ଥିଲା ବେଳେ ପଞ୍ଚମ ସ୍ଥାନରେ ବ୍ୟାଟିଂ ଆସିଥିବା ଆୟର ପ୍ରଥମ ବଲ୍‌ରେ ହିଁ ଅଷ୍ଟ୍ରେଲିଆର ନବାଗତ ସ୍ପିନର ମିଚେଲ ସ୍ବିପସନଙ୍କୁ ନିଜ ୱିକେଟ୍ ଉପହାର ଦେଇଥିଲେ। ଫଳରେ ମଝି ଓଭରଗୁଡ଼ିକରେ ଭାରତ ଯେତିକି ରନ୍ କରିବା କଥା ସେତିକି ସଂଗ୍ରହ କରି ପାରି ନଥିଲା। ତଥାପି ଅଧିନାୟକ ବିରାଟ କୋହଲି (୮୫ ରନ୍, ୬୧ ବଲ୍, ୪ ଚୌକା, ୩ ଛକା) ଏବଂ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା (୨୦ ରନ୍, ୧୩ ବଲ୍, ୧ ଚୌକା, ୨ ଛକା) କ୍ରିଜ୍‌ରେ ଥିଲା ବେଳେ ଭାରତ ପାଇଁ ଆଶା ଉଜ୍ଜୀବିତ ରହିଥିଲା। କୋହଲି କେ‌ତେକ ଦର୍ଶନୀୟ ସଟ୍ ଖେଳି ୮୫ତମ ମ୍ୟାଚ୍‌ରୁ ୨୫ତମ ଅର୍ଧଶତକ ପୂରଣ କରି ନେଇଥିଲେ। ତେବେ ବଢ଼ି ବଢ଼ି ଚାଲିଥିବା ରନ୍ ରେଟ୍‌କୁ ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟରେ ପାଣ୍ଡ୍ୟା ବିପଜ୍ଜନକ ସଟ୍ ଖେଳିବାକୁ ବାଧ୍ୟ ହୋଇଥିଲେ। ଫଳରେ ଆଦାମ ଜାମ୍ପାଙ୍କ ବଲ୍‌ରେ ଫିଞ୍ଚ୍‌ଙ୍କ ହାତରେ ଧରାପଡ଼ିଥିଲେ।

ସେ ପ୍ୟାଭିଲିୟନ ଫେରିବାର ଗୋଟିଏ ଓଭର ପରେ କୋହଲିଙ୍କୁ ଆଣ୍ଡ୍ର୍ୟୁ ଟାଇ ଚତୁରତାର ସହ ଶିକାର କରି ନେଇଥିଲେ। ଫଳରେ ଭାରତର ବିଜୟ ଆଶା ସେହିଠା‌ରେ ମଉଳି ଯାଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୨୭ ରନ୍‌ର ଦରକାର ଥିଲା ବେଳେ ସାର୍ଦୁଲ ଠାକୁର (୧୭* ରନ୍, ୭ ବଲ୍, ୨ ଛକା)ଙ୍କ ଦ୍ରୁତ ବ୍ୟାଟିଂ ପାଇଁ ଭାରତ ୧୪ ରନ୍ କରିପାରିଥିଲା। ତା’ ସହ ୧୭୪/୭ରେ ଅଟକି ଯାଇଥିଲା। ଏବଂ ୧୨ ରନ୍‌ରେ ପରାଜିତ ହୋଇ ଟେଷ୍ଟ୍ ଶୃଙ୍ଖଳାକୁ ବିଜୟର ଆତ୍ମବଳ ନେଇ ଯିବାର ସୁବର୍ଣ୍ଣ ସୁଯୋଗ ହରାଇଥିଲା। ଭାରତର ଦୁଇଟି ଯାକ ବିଜୟର ନାୟକ ହାର୍ଦିକ ପାଣ୍ଡ୍ୟା ଶୃଙ୍ଖଳା ଏବଂ ୪ ଓଭର‌ରେ ୨୩ ରନ୍ ଦେଇ ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରିଥିବା ସ୍ବିପସନ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସୀମିତ ଓଭର ପର୍ଯ୍ୟାୟରେ ଉଭୟ ଦଳ ଦୁଇଟି ଲେଖାଏଁ ବିଜୟ ହାସଲ କରିଥିଲା ବେଳେ ଏବେ ପ୍ରଶଂସକଙ୍କ ସବୁ ନଜର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ୍ ଶୃଙ୍ଖଳା ଉପରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe