Photograph: (NDTV Sports)
ସିଡ୍ନି: ଭାରତର ଯୁବ ସଟ୍ଲର୍ ଆୟୁଷ ସେଟ୍ଟୀ ଓ ପୂର୍ବତନ ବିଶ୍ବ କାଂସ୍ୟ ବିଜେତା ଲକ୍ଷ୍ୟ ସେନ୍ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି। ତେବେ ଦୁଇ ବରିଷ୍ଠ ଖେଳାଳି ଏଚ୍ଏସ୍ ପ୍ରଣୟ ଓ କିଡ଼ାମ୍ବି ଶ୍ରୀକାନ୍ତ ବିଦାୟ ନେଇଛନ୍ତି।
ଗୁରୁବାର ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲ୍ରେ ୟୁଏସ୍ ଓପନ୍ ବିଜେତା ଆୟୁଷ ୨୧-୧୭, ୨୧-୧୬ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜାପାନର ନାରାଓକାଙ୍କୁ ଏବଂ ସପ୍ତମ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ୨୧-୧୭, ୧୩-୨୧, ୨୧-୧୩ରେ ଚାଇନିଜ୍ ତାଇପେର ଚି ୟୁ ଜେଁଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟରଫାଇନାଲ୍ରେ ଏହି ଦୁଇ ଭାରତୀୟ ମୁହାଁମୁହିଁ ହେବେ। ପ୍ରଣୟ ୧୯-୨୧, ୧୦-୨୧ରେ ଇଣ୍ଡୋନେସିଆର ଫର୍ହାନ୍ ଆଲ୍ୱିଙ୍କୁ ଏବଂ ଶ୍ରୀକାନ୍ତ ୨୦-୨୨, ୧୬-୨୧ରେ ଜାପାନର ଶୋଗୋ ଓଗାୱାଙ୍କଠୁ ହାରି ଯାଇଥିଲେ। ପୁରୁଷ ଯୁଗଳରେ ସାତ୍ତ୍ବିକ ଓ ଚିରାଗ ୨୧-୧୮, ୨୧-୧୧ରେ ଚାଇନିଜ୍ ତାଇପେର ସୁ ଚିଙ୍ଗ ହେଙ୍ଗ ଓ ଉ ଗୁଆଁ ଜୁଁଙ୍କୁ ପରାସ୍ତ କରିଥିଲେ। ଏହି ଯୋଡ଼ି କ୍ବାର୍ଟରଫାଇନାଲ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ଫଜର ଅଲ୍ଫିଆନ୍ ଓ ମହମ୍ମଦ ସୋହିବୁଲ ଫିକ୍ରିଙ୍କୁ ଭେଟିବେ।
Follow Us