ଅଷ୍ଟ୍ରେଲିଆର ଶୃଙ୍ଖଳା ବିଜୟ: ନ୍ୟୁଜିଲାଣ୍ଡ୍‌ ୨୪୭ ରନ୍‌ରେ ପରାସ୍ତ

Advertisment
ଅଷ୍ଟ୍ରେଲିଆର ଶୃଙ୍ଖଳା ବିଜୟ: ନ୍ୟୁଜିଲାଣ୍ଡ୍‌ ୨୪୭ ରନ୍‌ରେ ପରାସ୍ତ

ମେଲବର୍ନ: ସ୍ପିନ୍‌-ପେସ୍‌ ଯୋଡ଼ି ନାଥନ୍ ଲାୟନ ଏବଂ ଜେମ୍ସ ପାଟିନସନ୍‌ ମିଳିତ ଭାବେ ୭ ୱିକେଟ୍ ବାଣ୍ଟି ନେବାରୁ ଅଷ୍ଟ୍ରେଲିଆ ରବିବାର ବକ୍ସିଂ ଡେ’ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ୍‌କୁ ୨୪୭ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ୩ ମ୍ୟାଚ୍‌ ଶୃଙ୍ଖଳାକୁ ମଧ୍ୟ କଙ୍ଗାରୁ ଦଳ ଆଗୁଆ ୨-୦ରେ ଜିତି ନେଇଛି। ଟମ୍ ବ୍ଲଣ୍ଡେଲ୍‌ (୧୨୧) ଲଢ଼ୁଆ ଶତକ ହାସଲ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍ ମ୍ୟାଚ୍‌ ବଞ୍ଚାଇ ପାରିନଥିଲା।

ରବିବାର ସକାଳେ ଅଷ୍ଟ୍ରେଲିଆ ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୧୩୭/୪ରୁ ଖେଳି ୧୬୮/୫ରେ ଘୋଷଣା କରିଥିଲା। ଟ୍ରାଭିସ୍ ହେଡ୍‌ (୨୮)ଙ୍କୁ ନିଲ୍ ୱାଗ୍‌ନର୍‌ ବୋଲଡ୍ କରିଦେବା ମାତ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍‌ ପାଳି ସମାପ୍ତି ସଙ୍କେତ ଦେଇଥିଲେ। ଫଳରେ ନ୍ୟୁଜିଲାଣ୍ଡ୍ ସମ୍ମୁଖରେ ଚତୁର୍ଥ ଦିନ ସକାଳେ ହିଁ ୪୮୮ ରନ୍‌ର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜେମ୍ସ ପାଟିନସନ୍‌ କିନ୍ତୁ ୧୨ ଓଭର ଭିତରେ ପ୍ରଥମ ୩ ୱିକେଟ୍ ନେଇ ନ୍ୟୁଜିଲାଣ୍ଡ୍‌କୁ ମଧ୍ୟାହ୍‌ଣ ଭୋଜନ ବେଳକୁ ୩୫/୩ରେ ସଂଘର୍ଷ କରାଇଥିଲେ। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଖାତା ଖୋଲି ପାରିନଥିଲେ। ଟମ୍ ଲଥାମ (୮) ଏବଂ ରସ୍ ଟେଲର୍ (୨)ଙ୍କ ବିଫଳତା ଦଳକୁ ବଡ଼ ପରାଜୟ ଆଡକୁ ମୁହାଁଇଥିଲା। ମଧ୍ୟକ୍ରମରେ ହେନରି ନିକଲ୍ସ (୩୩), ବିଜେ ୱାଟଲିଂ (୨୨) ଏବଂ ନିମ୍ନକ୍ରମରେ ମିଚେଲ୍ ସାଣ୍ଟନର୍ (୨୭) ସାମୟିକ ସଂଗ୍ରାମ କରିଥିଲେ। ଏହା କେବଳ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ‌ଟମ୍ ବ୍ଲଣ୍ଡେଲ୍‌ (୧୨୧, ୨୧୦ ବଲ୍‌, ୧୫ ଚୌକା)ଙ୍କୁ ନିଜ ଦ୍ବିତୀୟ ଟେଷ୍ଟ୍ ଶତକ ପୂର୍ଣ୍ଣ କରିବାରେ ସହାୟତା କରିଥିଲା। ଶେଷ ବ୍ୟାଟସମ୍ୟାନ୍‌ ଭାବେ ବ୍ଲଣ୍ଡେଲ୍‌ ଆଉଟ୍ ହୋଇଥିଲେ। ନାଥନ୍ ଲାୟନ୍‌ ଲଗାତାର ୪ ୱିକେଟ୍ ନେବା ପରେ ବ୍ଲଣ୍ଡେଲଙ୍କ ୱିକେଟ୍‌ ନେଇ ମାର୍ନସ ଲବୁସାନ୍‌ ପାଳିରେ ଶେଷ ରେଖା ଟାଣିଥିଲେ। ଆହତ କାରଣରୁ ଟ୍ରେଣ୍ଟ୍ ବୋଲ୍ଟ ବ୍ୟାଟିଂ କରିବାକୁ ଆସିନଥିଲେ। ମ୍ୟାଚ୍‌ରେ ମୋଟ ୧୪୨ ରନ୍ କରିଥିବା ଟ୍ରାଭିସ୍ ହେଡ୍‌ (୧୧୪, ୨୮) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତୃତୀୟ ଟେଷ୍ଟ୍ ସିଡନିରେ ଜାନୁଆରି ୩ ତାରିଖରୁ ଖେଳାଯିବ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୬୭ (ଟ୍ରାଭିସ୍ ହେଡ୍‌-୧୧୪, ଷ୍ଟିଭେନ୍ ସ୍ମିଥ୍‌-୮୫, ନିଲ୍ ୱାଗନର୍‌-୪/୮୩, ଟିମ୍ ସାଉଦି-୩/୧୦୩)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୧୪୮ (ଟମ୍ ଲଥାମ୍‌-୫୦, ପ୍ୟାଟ୍ କମିନ୍ସ-୫/୨୮, ଜେମ୍ସ ପାଟିନ୍‌ସନ୍‌-୩/୩୪, ମିଚେଲ ଷ୍ଟାର୍କ-୨/୩୦)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୫୪.୨ ଓଭରରେ ୧୬୮/୫, ଘୋଷଣା (ଡେଭିଡ୍‌ ୱାର୍ନର-୩୮,‌ ଜୋ ବର୍ନସ୍‌-୩୫, ନିଲ୍‌ ୱାଗ୍‌ନର୍‌-୩/୫୦, ମିଚେଲ ସାଣ୍ଟନର୍‌-୧/୨୨)। ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳି: ୭୧ ଓଭରରେ ୧୪୦ (ଟମ୍ ବ୍ଲଣ୍ଡେଲ୍‌-୧୨୧, ନାଥନ୍ ଲାୟନ୍‌-୪/୮୧, ଜେମ୍ସ ପାଟିନ୍‌ସନ୍‌-୩/୩୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe