Republic World
ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳକୁ ଏବେ ଆଘାତ ସମସ୍ୟା ଚିନ୍ତା ବଢ଼ାଇ ଦେଇଛି। ଅଗଷ୍ଟ ୪ ତାରିଖରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେଉଥିଲା ବେଳେ ଏପର୍ଯ୍ୟନ୍ତ ୩ ଜଣ ଭାରତୀୟ ଖେଳାଳି ଆହତ ହୋଇ ବାଦ୍ ପଡ଼ିଲେଣି। ପ୍ରଥମେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ ବାଦ୍ ପଡ଼ିଥିଲେ। ଏହା ପରେ ମଙ୍ଗଳବାର ଭାରତ-କାଉଣ୍ଟି ସିଲେକ୍ଟ ଏକାଦଶ ମଧ୍ୟରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍ରେ ଆଭେସ ଖାନ୍ ଆହତ ହୋଇ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। କାଉଣ୍ଟି ସିଲେକ୍ଟ ପକ୍ଷରୁ ଖେଳୁଥିବା ଆଭେସ ପ୍ରଥମ ଦିନ ବୋଲିଂ କରୁଥିଲା ବେଳେ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏଥିପାଇଁ ସେ ଦ୍ବିତୀୟ ଦିନ ଆଉ ବ୍ୟାଟିଂକୁ ଆସିନଥିଲେ।
ସେହିପରି କାଉଣ୍ଟି ସିଲେକ୍ଟ ପକ୍ଷରୁ ଭାରତ ବିପକ୍ଷରେ ଖେଳୁଥିବା ୱାସିଂଟନ ସୁନ୍ଦରଙ୍କ ମଧ୍ୟ ଏହି ମ୍ୟାଚ୍ରେ ଆହତ ହୋଇଛନ୍ତି। ସେ ବ୍ୟାଟିଂ କରୁଥିଲା ବେଳେ ମହମ୍ମଦ ସିରାଜଙ୍କ ବଲ୍ ତାଙ୍କ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ଏଥିରୁ ମୁକୁଳିବା ଲାଗି ପ୍ରାୟ ୫ ସପ୍ତାହ ଲାଗିବ। ତେଣୁ ସେ ବି ସମ୍ପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ସୁସ୍ଥ ହେବାକୁ ଅଧିକ ଦିନ ଲାଗୁଥିବାରୁ ଇଂଲଣ୍ଡରେ ରହିବା ଉଭୟଙ୍କର କୌଣସି ଆବଶ୍ୟକତା ନାହିଁ। ଏଥିପାଇଁ ସ୍ବଦେଶ ଫେରିଆସିବାକୁ କୁହାଯାଇଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ଉଭୟଙ୍କ ବଦଳ ଖେଳାଳିଙ୍କ ନାମ ଶୀଘ୍ର ଘୋଷଣା ହେବାର ରହିଛି। ଆଭେସଙ୍କ ବଦଳରେ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଶେଷ ପରେ ନବଦୀପ ସୈନି କିମ୍ବା ଭୁବନେଶ୍ବର କୁମାରଙ୍କ ମଧ୍ୟରୁ ଜଣେ ଇଂଲଣ୍ଡ ଗସ୍ତ କରିବାର ସମ୍ଭାବନା ରହିଛି। ୱାସିଂଟନ୍ଙ୍କ ବଦଳରେ କ୍ରିଷ୍ଣାପ୍ପା ଗୌତମଙ୍କୁ ସ୍ଥାନ ମିଳିପାରେ ବୋଲି ଶୁଣାଯାଉଛି।
Follow Us