ବାବରଙ୍କ ଦ୍ରୁତତମ ୧୪ ଶତକ, ଲାନିଂ ଓ ଆମଲାଙ୍କୁ ପଛରେ ପକାଇଲେ

Advertisment
ବାବରଙ୍କ ଦ୍ରୁତତମ ୧୪ ଶତକ, ଲାନିଂ ଓ ଆମଲାଙ୍କୁ ପଛରେ ପକାଇଲେ

Cricket Addictor

ଦିନିକିଆ ଆନ୍ତର୍ଜାତିକରେ ୧୪ ଶତକ ଜମାଇବାରେ ପାକିସ୍ତାନୀ ଅଧିନାୟକ ବାବର ଆଜମ୍‌ ଦ୍ରୁତତମ କୀର୍ତ୍ତିମାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ବାବର ୧୫୮ ରନ୍‌ର ଶତକୀୟ ପାଳି ଖେଳିଥିଲେ। ଏହା ଥିଲା ତାଙ୍କ ଦିନିକିଆ କ୍ୟାରିୟରର ୧୪ତମ ଶତକ ଏବଂ ଏହାକୁ ସେ ୮୧ ପାଳିରେ ହିଁ ହାସଲ କରିଛନ୍ତି। ଫଳରେ ସେ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍‌ ପାଇଁ ଏକ୍ଷେତ୍ରରେ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ସେ ଅଷ୍ଟ୍ରେଲିଆ ମହିଳା ଦଳର ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ (୮୨ ପାଳି) ଏବଂ ଦକ୍ଷିଣ ଆଫ୍ରିକା ପୁରୁଷ ଦଳର ହାସିମ୍‌ ଆମ୍‌ଲା (୮୪ ପାଳି)ଙ୍କ ଦ୍ରୁତତମ କୀର୍ତ୍ତିମାନକୁ ପଛରେ ପକାଇଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୧୪ ଶତକ ହାସଲ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ୧୦୩ ଏବଂ ଅଷ୍ଟ୍ରେଲିଆର ଡେଭିଡ୍‌ ୱର୍ନର (୯୮) ପାଳି ଖେଳିଥିଲେ। ତେବେ ମଙ୍ଗଳବାର ମ୍ୟାଚ୍‌ରେ ୧୫ ରନ୍‌ କମ୍‌ ପାଇଁ ବାବର ମଧ୍ୟ ଆମ୍‌ଲାଙ୍କ ନାମରେ ଥିବା ଦ୍ରୁତତମ ୪୦୦୦ ଦିନିକିଆ ରନ୍‌ କୀର୍ତ୍ତିମାନ ଭାଙ୍ଗିବାରୁ ବଞ୍ଚିତ ରହିଗଲେ।

ଦିନିକିଆ ଆନ୍ତର୍ଜାତିକରେ ୧୫୦+ ସ୍କୋର୍‌ କରିବାରେ ବାବର ପ୍ରଥମ ପାକିସ୍ତାନୀ ଅଧିନାୟକ ହୋଇଛନ୍ତି। ଏହା ପୂର୍ବରୁ ଜଣେ ପାକିସ୍ତାନୀ ଭାବେ ସୋଏବ ମଲ୍ଲିକଙ୍କ ନାମରେ ୧୨୫ (୨୦୦୮ରେ ଭାରତ ବିପକ୍ଷ) ସର୍ବାଧିକ ଥିଲା। ବାବର ଗତବର୍ଷ ଜିମ୍ବାୱେ ବିପକ୍ଷରେ ୧୨୫ ରନ୍‌ କରିଥିଲା ବେଳେ ଅଧିନାୟକ ଭାବେ ୯ ପାଳିରେ ୩ ଶତକ ଜମାଇଥିଲେ। ଯାହାକି ଆଝାର ଅଲ୍ଲୀଙ୍କ ସହ ଯୁଗ୍ମ ସର୍ବାଧିକ ରହିଛନ୍ତି। ବାବର ମଧ୍ୟ ଇଂଲଣ୍ଡ ବିପକ୍ଷରେ ଗୋଟିଏ ପାଳିରେ ୧୫୦+ ସ୍କୋର୍‌ କରିବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ଏହା ପୂର୍ବରୁ ଅଧିନାୟକ ଭାବେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ୍‌ (୧୪୧ ରନ୍‌, ୨୦୦୯)ଙ୍କ ନାମରେ ଥିଲା।

ପାକିସ୍ତାନର ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ୍‌ ବାବରଙ୍କ ୧୫୮ରୁ ଅଧିକ ସ୍କୋର୍‌ ଇଂଲଣ୍ଡ ବିପକ୍ଷରେ କରିନାହାନ୍ତି। ଇମାମ ଉଲ୍‌ ହକ୍‌ ୨୦୧୯ ବ୍ରିଷ୍ଟ‌ଲରେ ୧୫୧ ରନ୍‌ କରିଥିଲେ। ପୁଣି ଇଂଲଣ୍ଡରେ ଇଂଲଣ୍ଡ ବିପକ୍ଷରେ ବାବରଙ୍କ ୧୫୮ ରନ୍‌ ଚତୁର୍ଥ ସର୍ବାଧିକ ସ୍କୋର୍‌। ତୃ୍ତୀୟ ୱିକେଟ୍‌ରେ ବାବର ଓ ରିଜ୍‌ୱାନ୍‌ଙ୍କ ୧୭୯ ରନ୍‌ ଭାଗୀଦାରୀ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ପାଇଁ କୌଣସି ବି ୱିକେଟ୍‌ରେ ସର୍ବାଧିକ। ପୂର୍ବରୁ ରମିଜ ରାଜା ଓ ସଲିମ ମଲିକ (୧୯୮୭ରେ ଦ୍ବିତୀୟ ୱିକେଟ୍‌ରେ)ଙ୍କ ୧୬୭ ସର୍ବାଧିକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe