Loksatta
ନୂଆଦିଲ୍ଲୀ: ବଦଳିବ ବ୍ୟାଡମିଣ୍ଟନ୍ ରୂପ। ଏଣିକି ୩ ସେଟ୍ ପରିବର୍ତ୍ତେ ୫ ସେଟ୍ ବିଶିଷ୍ଟ ମ୍ୟାଚ୍ ଖେଳାଯିବ। ଏଭଳି ଏକ ଆହ୍ବାନପୂର୍ଣ୍ଣ, ସମୟ ଉପଯୋଗୀ ତଥା ରୋଚକ ପ୍ରସ୍ତାବକୁ ନେଇ ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ (ବିଡବ୍ଲ୍ୟୁ ଏଫ୍)ରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ବସିବାକୁ ଥିବା ମହାସଂଘର ବାର୍ଷିକ ସାଧାରଣ ବୈଠକରେ ଏଥିନେଇ ବିଧିବଦ୍ଧ ଭାବେ ନିର୍ବାଚନ ହେବାର ଅଛି। ଆବଶ୍ୟକ ସମର୍ଥନ ମିଳିଲେ ବ୍ୟାଡମିଣ୍ଟନ୍ ମ୍ୟାଚ୍ ଆଗାମୀ ସମୟରେ ୩ ସେଟ୍ ବଦଳରେ ୫ ସେଟ୍ ବିଶିଷ୍ଟ ହେବ। ବିଡବ୍ଲ୍ୟୁଏଫ୍ ସଭାପତି ପଲ୍ ଏରିକ ଲାର୍ସନ ସର୍ବପ୍ରଥମେ ୨୦୧୪ ମସିହାରେ ଏଭଳି ଏକ ପ୍ରସ୍ତାବ ଦେଇଥିଲେ। ହେଲେ ସେତେବେଳେ ଏହାକୁ ଆବଶ୍ୟକ ସମର୍ଥନ ମିଳି ନଥିଲା। ୭ ବର୍ଷ ପରେ ଲାର୍ସନ ପୁଣି ଥରେ ତାଙ୍କ ଯୋଜନାକୁ କାର୍ଯ୍ୟକରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ଏଥର ଇଣ୍ଡୋନେସିଆ, ମାଳଦ୍ବୀପ ତାଙ୍କ ପ୍ରସ୍ତାବକୁ ରଖିଥିଲା ବେଳେ ବ୍ୟାଡମିଣ୍ଟନ୍ ଏସିଆ ଏହାକୁ ଦୃଢ଼ ସମର୍ଥନ କରୁଛି। ଶନିବାର ଏହି ପ୍ରସ୍ତାବ ସ୍ବୀକୃତି ଲାଭ କଲେ ପ୍ରଚଳିତ ବ୍ୟାଡମିଣ୍ଟନ୍ ନିୟମରେ ପରିବର୍ତ୍ତନ ଆଣିବାର ପ୍ରୟାସ ଆରମ୍ଭ ହେବ ବୋଲି ବିଡବ୍ଲ୍ୟୁଏଫ୍ କହିଛି। ମହାସଂଘର ପରିଚାଳନା ପରିଷଦ ସଦସ୍ୟମାନେ ଏହାକୁ ପୂର୍ବରୁ ସମର୍ଥନ ଦେଇ ସାରିଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସ କିମ୍ବା ପରାଲିମ୍ପିକ୍ସରେ ଏହି ନିୟମ ଲାଗୁ କରାଯିବନି ବୋଲି ମହାସଂଘ ପୂର୍ବରୁ ସ୍ପଷ୍ଟ କରି ଦେଇଛି।
ପ୍ରସ୍ତାବ ଅନୁସାରେ ଆଗାମୀ ସମୟରେ ବ୍ୟାଡମିଣ୍ଟନ୍ ମ୍ୟାଚ୍ ୧୧ ପଏଣ୍ଟ ବିଶିଷ୍ଟ ୫ ସେଟ୍ ଭିତ୍ତିରେ ଖେଳାଯିବ। ଭାରତୀୟ ଦଳର ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ, କଂବଦନ୍ତି ପ୍ରକାଶ ପାଦୁକୋନ ଓ ପ୍ରତିଷ୍ଠିତ ପ୍ରଶିକ୍ଷକ ବିମଳ କୁମାର କିନ୍ତୁ ୨୧ ପଏଣ୍ଟ ବିଶିଷ୍ଟ ୩ ସେଟ୍ ସପକ୍ଷରେ ଅଛନ୍ତି। ତେବେ ପୁରୁଣା ପଦ୍ଧତିରେ ମ୍ୟାଚ୍ଗୁଡ଼ିକ ଅନାବଶ୍ୟକ ଭାବେ ଲମ୍ବୁ ଥିବାରୁ ସମୟ ଅପଚୟ ହେଉଛି। ଏଣୁ ୫ ସେଟ୍ ମ୍ୟାଚ୍ ଭଲ ବୋଲି ବିଡବ୍ଲ୍ୟୁଏଫ୍ର ଜଣେ ଅଧିକାରୀ କହିଛନ୍ତି।
Follow Us