ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ଗୁରୁବାର ଶିଶୁ ଦିବସରେ ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀର ସହିଦ ବାଜି ରାଉତଙ୍କୁ ମନେ ପକାଇଛନ୍ତି। ନିଜ ଇନ୍ଷ୍ଟାଗ୍ରାମ ଏବଂ ଟ୍ବିଟର୍ ପୃଷ୍ଠାରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଢେଙ୍କାନାଳ ଜିଲ୍ଲାର ଭୁବନ ନିକଟସ୍ଥ ନୀଳକଣ୍ଠପୁରଠାରେ ଘାଟ ଜଗିଥିଲା ବେଳେ ଇଂରେଜ ସୈନିକମାନେ ୧୨ ବର୍ଷ ବୟସ୍କ ନିଷ୍ପାପ ଶିଶୁ ବାଜି ରାଉତଙ୍କୁ ଗୁଳି କରି ହତ୍ୟା କରିଥିଲେ। ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ ରାତିରେ କିଛି ଇଂରେଜ ସୈନିକ ବାଜି ରାଉତଙ୍କୁ ନଦୀ ପାର କରାଇଦେବାକୁ କହିଥିଲେ। ହେଲେ ବାଜି ଏହାକୁ ଖାତିର ନ କରି କୌଣସି ପରିସ୍ଥିତିରେ ସେମାନଙ୍କୁ ନଦୀ ପାର କରାଇଦେବେନି ବୋଲି ରୋକ୍ଠୋକ୍ ଭାବେ ଜଣାଇ ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଇଂରେଜ ସୈନିକମାନେ ଅତି ନିର୍ମମ ଭାବେ ମୁଣ୍ଡକୁ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ଜୀବନ ଚାଲି ଯାଇଥିଲେ ମଧ୍ୟ ବାଜି କ୍ରୂର ଇଂରେଜ ସୈନିକଙ୍କ ନିକଟରେ ମୁଣ୍ଡ ନୁଆଁଇ ନଥିଲେ।
/sambad/media/post_attachments/wp-content/uploads/2019/11/f546sh5sfh5sf4h56sf4h56sf4h56sf4h56sfhhhhhhhhhhhhh-1.jpg)
ସେହବାଗ ବାଜିଙ୍କ ବଳିଦାନକୁ ମନେ ପକାଇ ଲେଖିଛନ୍ତି ଯେ ମାତ୍ର ୧୨ ବର୍ଷ ବୟସରେ ଏହି ବାଳକ ନଦୀ ଘାଟରେ ନୌକା ଜଗିଥିଲେ। ବ୍ରିଟିଶ୍ ସୈନିକମାନେ ସେମାନଙ୍କୁ ବ୍ରାହ୍ମଣୀ ନଈ ପାର କରାଇ ଦେବାକୁ ତାଙ୍କୁ ସେତେବେଳେ ନିର୍ଦେଶ ଦେଇଥିଲେ। ଇଂରେଜ ସୈନିକ ଗାଁ ଗାଁକୁ ଯାଇ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରୁଥିବାର କାହାଣୀ ଶୁଣିଥିବା ବାଜି ରାଉତ କୌଣସି ବି ପରିସ୍ଥିତିରେ ସେମାନଙ୍କୁ ନଦୀ ପାର କରାଇ ନଦେବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ଇଂରେଜମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ସୁଦ୍ଧା ବାଜି ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ। ତାଙ୍କଠାରୁ ଆମ ଦେଶର ଶିଶୁମାନେ ଦେଶଭକ୍ତି ନେଇ ଅନେକ କିଛି ଶିଖିବାର ଅଛି।
Follow Us