କୁସ୍ତିରୁ ପ୍ରଥମ ସ୍ବର୍ଣ୍ଣ ଦେଲେ ବଜରଙ୍ଗ; ଅଂଶୁଙ୍କୁ ରୌପ୍ୟ

Advertisment
କୁସ୍ତିରୁ ପ୍ରଥମ ସ୍ବର୍ଣ୍ଣ ଦେଲେ ବଜରଙ୍ଗ; ଅଂଶୁଙ୍କୁ ରୌପ୍ୟ

ବର୍ମିଂହାମ୍‌ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଆଖଡ଼ାରୁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ବଜରଙ୍ଗ ପୂନିଆ। ଶନିବାର ପୁରୁଷ ଫ୍ରିଷ୍ଟାଇଲ ୮୬ କେଜି ଫାଇନାଲ୍‌ରେ ପ୍ରଥମ ପରିୟଡ ସୁଦ୍ଧା ୪-୦ରେ ଆଗୁଆ ରହିଥିବା ବଜରଙ୍ଗ ଶେଷରେ ୯-୨ରେ କାନାଡା ଯୋଦ୍ଧା ଲଚଲାନ୍‌ ମ୍ୟାକ୍‌ନିଲଙ୍କୁ ଧରାଶାୟୀ କରି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ଫଳରେ ବଜରଙ୍ଗ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଏହା ପୂର୍ବ ସଂସ୍କରଣ ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ।

କ୍ରମାଗତ ସଂସ୍କରଣ‌ରେ ସ୍ବର୍ଣ୍ଣ ଜିତିଥିବା ବଜରଙ୍ଗ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ଶନିବାର ସ୍ବର୍ଣ୍ଣ ମୁକାବିଲା ପୂର୍ବରୁ ବଜରଙ୍ଗ କ୍ବାର୍ଟରଫାଇନାଲ୍‌ରେ ମରିସସ୍‌ର ଜିନ୍‌ ଗଲିଆନେ ଜୋରିସ ବନ୍ଦୋଉଙ୍କୁ ଏବଂ ସେମିଫାଇନାଲ୍‌ରେ ଇଂଲଣ୍ଡର ଜର୍ଜ ରାମ୍‌ଙ୍କୁ ୧୦-୦ରେ ପରାସ୍ତ କରିଥିଲେ। ତେବେ କୁସ୍ତିରୁ ଭାରତକୁ ପ୍ରଥମ ପଦକ ଦେଇଥିଲେ ଅଂଶୁ ମଲିକ। ସେ ଫାଇନାଲ୍‌ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ମହିଳା ୫୭ କେଜି ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ ମୁକାବିଲାରେ ଅଂଶୁ ନାଇଜେରିଆ ପ୍ରତିଦ୍ବନ୍ଦ୍ବୀ ଓଡୁନାୟୋ ଆନେକୁରୋୟେଙ୍କଠାରୁ ୪-୬ରେ ହାରି ଯାଇଥିଲେ। ପୂର୍ବରୁ ଅଂଶୁ କ୍ବାର୍ଟରଫାଇନାଲ୍‌ରେ ଅଷ୍ଟ୍ରେଲିଆର ଈରିନେ ସିମେଓନିଡିସ୍‌ଙ୍କୁ ଏବଂ ସେମିରେ ଶ୍ରୀଲଙ୍କାର ନେଥମୀ ପୋରୁଥୋଟାଗେଙ୍କୁ ୧୦-‌୦ରେ ପରାସ୍ତ କରି ଅଂଶୁ ଫାଇନାଲ୍‌ରେ ଅବତୀର୍ଣ୍ଣ ହୋଇଥିଲେ। ଏଥି ସହିତ ବଜରଙ୍ଗ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ସଂଖ୍ୟାକୁ ୭କୁ ବଢ଼ାଇଥିଲା ବେଳେ ଅଂଶୁ ରୌପ୍ୟ ସଂଖ୍ୟାକୁ ୮କୁ ବୃଦ୍ଧି କରିଥିଲେ। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୨୨କୁ ବଢ଼ିଥିଲା।

ଅଂଶୁ ଓ ବଜରଙ୍ଗଙ୍କ ସହିତ ଶନିବାର ମୋଟ ୪ ଭାରତୀୟ କୁସ୍ତି ଯୋଦ୍ଧା ସ୍ବର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ୨ ଜଣ କାଂସ୍ୟ ଲଢ଼େଇରେ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଅନ୍ୟ ୩ ଭାରତୀୟଙ୍କ ମଧ୍ୟରେ ବଜରଙ୍ଗ ପୂନିଆ (ପୁରୁଷ ୬୫ କେଜି), ସାକ୍ଷୀ ମଲ୍ଲିକ (ମହିଳା ୬୨ କେଜି) ଏବଂ ଦୀପକ ପୂନିଆ (ପୁରୁଷ ୮୬ କେଜି) ରହିଛନ୍ତି।

ମହିଳା ଫ୍ରିଷ୍ଟାଇଲ ୬୮ କେଜିରେ ଦିବ୍ୟା କାକ୍ରନ ଏବଂ ପୁରୁଷ ୧୨୫ କେଜି ବର୍ଗରେ ମୋହିତ ଗ୍ରେୱାଲ କାଂସ୍ୟ ପଦକ ପାଇଁ ଲଢ଼ିବେ। କ୍ବାର୍ଟର ଫାଇନାଲ୍‌ରେ ହାରିଯାଇଥିବା ଦିବ୍ୟା କକ୍ରନ ରିପିଚେଜ୍‌ ରାଉଣ୍ଡରେ କାମେରୁନ୍‌ର ଏନ୍‌ଗିରିଙ୍କୁ ପରାସ୍ତ କରି କାଂସ୍ୟ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ସେମିଫାଇନାଲ୍‌ରେ ମୋହିତ ଗ୍ରେୱାଲ କାନାଡାର ଅମରବୀର ଧେସିଙ୍କଠୁ ହାରି ଯାଇଥିଲେ।

ମହିଳା ଫ୍ରି‌ଷ୍ଟାଇଲ ୬୨ କେଜି ସେମିଫାଇନାଲ୍‌ରେ କାମେରୁନ୍‌ର ଇଟାନେ ଏନ୍‌ଗୋଲେଙ୍କୁ ୧୦-୦ରେ ପରାସ୍ତ କରି ସାକ୍ଷୀ ଫାଇନାଲ୍‌ ଟିକେଟ ହାତେଇ ନେଇଥିଲେ। କ୍ବାର୍ଟରଫାଇନାଲ୍‌ରେ ସାକ୍ଷୀ ଇଂଲଣ୍ଡର କେଲ୍‌ସି ବାର୍ନେସଙ୍କୁ ପରାସ୍ତ କରିଥିଲେ।

ସେହିଭଳି ପୁରୁଷ ୮୬ କେଜି ଫ୍ରିଷ୍ଟାଇଲରେ ଦୀପକ ପୁନିଆ କ୍ବାର୍ଟର ଫାଇନାଲ୍‌ରେ ସିଏରା ଲିଓନେର ସେକୁ କାସେକବାମାଙ୍କୁ ଏବଂ ସେମିରେ କାନାଡାର ଆଲେକ୍‌ଜାଣ୍ଡର ମୁରେଙ୍କୁ ୩-୧ରେ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe